ନୂଆଦିଲ୍ଲୀ: ଦିଲ୍ଲୀ ବୋମା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁଟାନରୁ ଫେରିବା ମାତ୍ରେ ସେ ସିଧାସଳଖ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ଗସ୍ତ କରିଛନ୍ତି । ସେଠାରେ ଆହତଙ୍କୁ ଭେଟିବା ସହ ସେମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଆଉମଧ୍ୟ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ସହ କଥା ହୋଇଛନ୍ତି ।
ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ସିଧାସଳଖ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଦିଲ୍ଲୀ କାର ବିସ୍ଫୋରଣର ଆହତମାନଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ସହ କଥା ହୋଇଛନ୍ତି ।
ନଭେମ୍ବର ୧୧ରେ ଭୁଟାନ ଗସ୍ତରେ ଯାଇଥିଲେ ମୋଦି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ଚତୁର୍ଥ ତଥା ପୂର୍ବତନ ରାଜା ଜିଗମେ ସିଙ୍ଗେ ୱାଙ୍ଗଚୁକଙ୍କୁ ଭେଟିଥିଲେ । ଭାରତ ଓ ଭୁଟାନ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ କରିବା ପାଇଁ ବର୍ଷ ବର୍ଷ ଧରି ତାଙ୍କର ବ୍ୟାପକ ପ୍ରୟାସକୁ ମୋଦି ପ୍ରଂଶସା କରିଥିଲେ । ଶକ୍ତି, ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ସଂଯୋଗୀକରଣ କ୍ଷେତ୍ରରେ ସହଯୋଗ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପୂର୍ବରୁ ସେ କାଳଚକ୍ର ଏମପାୱାରମେଣ୍ଟ ସେରିମନିରେ ଯୋଗ ଦେଇଥିଲେ । ଆଜି ଭୁଟାନରୁ ଫେରିବା ପରେ ହସ୍ପିଟାଲ ଗସ୍ତ କରିଛନ୍ତି ମୋଦି ।
ଭୁଟାନରେ ଥାଇ ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣକୁ ନେଇ କଡା ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଷଡଯନ୍ତ୍ରର ଶେଷ ପର୍ଯ୍ୟନ୍ତ ପହଞ୍ଚାଯିବ, ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଛଡା ଯିବନି ଓ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ମୋଦି । ଆଉମଧ୍ୟ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକ ଓ ଆହତଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ ।

