ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ହେବେ ରାଜ୍ୟସଭା ପ୍ରାର୍ଥୀ। ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢିବେ। ଆସନ୍ତା ୫ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି । ତେବେ ଦିଲ୍ଲୀପଙ୍କ ସ୍ବାଧୀନ ପ୍ରାର୍ଥୀତ୍ବକୁ ସମର୍ଥନ କରିବ ବିଜେପି। ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଦିଲ୍ଲୀପ ରାୟ ନିଶ୍ଚୟ ଜିତିବେ ବୋଲି ମନମୋହନ କହିଛନ୍ତି।
ଏହାପୂର୍ବରୁ ବିଜୁ ଜନତା ଦଳ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ୪ର୍ଥ ପ୍ରାର୍ଥୀ ଭାବେ ଦତ୍ତେଶ୍ବରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଡ. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଛି । ଫଳରେ ୪ର୍ଥ ଆସନ ପାଇଁ ଡ.ଦତ୍ତେଶ୍ବର ହୋତା ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଟକ୍କର ହେବ।
୨୦୦୨ରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେଡିର ବିରୋଧ ସତ୍ତ୍ୱେ କ୍ରସ ଭୋଟିଂରେ ବାଜି ମାରିଥିଲେ ଦିଲ୍ଲୀପ । ତେଣୁ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ରାଜ୍ୟସଭା ଭୋଟ ଗଣିତ ବଡ଼ ରୋଚକ କରିବ ବୋଲି ଆଲୋଚନା ହେଉଛି। ଦିଲ୍ଲୀପ ୩ ଥର ବିଧାୟକ ଓ ୨ ଥର ରାଜ୍ୟସଭା ସାଂସଦ ହେବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି।

