ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପିଲାମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇଛନ୍ତି । ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରି ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଭାବରେ ତୁମମାନଙ୍କର ପ୍ରଥମ ଦାୟିତ୍ୱ ହେଉଛି ଭଲ ପାଠ ପଢି ଦକ୍ଷତା ହାସଲ କରିବ ଏବଂ ନିଜର ଓ ଦେଶର ବିକାଶରେ ଯୋଗଦାନ ରଖିବ । ଏହା ହେଉଛି ଆମ ଶିକ୍ଷା ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ । ତେଣୁ, ଅନ୍ୟ କୌଣସି ବିଷୟରେ ଯାହା ତୁମର କ୍ୟାରିୟର ଗଢିବାରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି ସେଥିରୁ ଦୂରେଇ ରହିବା ଉଚିତ୍ । ସେହିପରି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ଉପରେ ଆଲୋକପାତ କରି ଏହା ଆଜିର ସମୟରେ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ନେଇ ସଫଳତାର ଶୀର୍ଷରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା କେବଳ ଜ୍ଞାନ ପ୍ରଦାନ ନୁହେଁ, ଶିକ୍ଷା ହେଉଛି ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା ଏବଂ ଆମର ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି । ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ମହାତ୍ମ୍ୟ ପିଲାମାନଙ୍କୁ ବୁଝାଇବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପୂଣ୍ୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅତୁଳନୀୟ। ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣଙ୍କଠାରୁ ଆରମ୍ଭ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ସ୍ୱାମୀ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ନିର୍ଣ୍ଣାୟକ ଥିଲା । ଆଜିର ଯୁଗରେ ମଧ୍ୟ ‘ମିଜାଇଲ ମ୍ୟାନ୍’ ଡଃ ଏ.ପି.ଜେ. ଅବ୍ଦୁଲ କାଲାମଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଦେଶର ସର୍ବୋଚ୍ଚ ପଦବୀରେ ଥାଇ ମଧ୍ୟ ନିଜକୁ ପ୍ରଥମେ ଜଣେ ଶିକ୍ଷକ ଭାବେ ପରିଚୟ ଦେବାକୁ ପରମ ଗୌରବ ମନେକରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାରଙ୍କ ସଂକଳ୍ପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ‘କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସାରା ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ସାର୍ବଜନୀନ ନିଃଶୁଳ୍କ କରିଛି । ଏତଦ୍ ବ୍ୟତୀତ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ୨,୨୦୦ଟି ବିଶ୍ୱସ୍ତରୀୟ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯାଉଛି ଏବଂ ପ୍ରାକ୍-ବିଦ୍ୟାଳୟ ପିଲାଙ୍କ ପାଇଁ ୪୫,୦୦୦ ଶିଶୁ ବାଟିକା ଖୋଲାଯାଇଛି । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ ଯୋଗାଣ, ଆଦିବାସୀ ପିଲାଙ୍କ ପାଇଁ ‘ଶହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଏବଂ ଆଗାମୀ ୩ ବର୍ଷ ମଧ୍ୟରେ ୪୫,୦୦୦ ଶିକ୍ଷକ ପଦବୀ ପୂରଣ ନେଇ ସରକାରୀ ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ‘ପଞ୍ଚସଖା ଶିକ୍ଷା ସେତୁ’ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରି ସ୍କୁଲର ସମନ୍ୱିତ ରୂପାନ୍ତରଣ କରାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଶିକ୍ଷକଙ୍କ ଅଗାଧ ଜ୍ଞାନ, ଛାତ୍ରଛାତ୍ରୀଙ୍କ ପ୍ରତିଭା, ପୁରାତନ ଛାତ୍ରଙ୍କ ଅନୁଭବ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି । ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିଷ୍ଠାପର ସେବା ପ୍ରଦାନ କରିଥିବା ଅନେକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଛନ୍ତି ।

