ପୁରୀ-କୋଣାର୍କ ନୂଆ ଲାଇନ୍ରେ ନୂଆ କୋଚିଂ ଟର୍ମିନାଲ ଡିପୋ
ନ୍ୟୁ ଭୁବନେଶ୍ୱର ଷ୍ଟେସନ ହେବ ସାଟେଲାଇଟ୍ କୋଚିଂ ଟର୍ମିନାଲ
ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଆସନ୍ତା ୫ ବର୍ଷରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଚାଲିବ ଦୁଇ ଗୁଣରୁ ଅଧିକ ଟ୍ରେନ । ୨୦୩୦ ବେଳକୁ ଭୁବନେଶ୍ୱର ସହିତ ପୁରୀ ଷ୍ଟେସନର ବି କ୍ଷମତା ଦୁଇ ଗୁଣ ବଢ଼ିବ । ସେଥିପାଇଁ ପ୍ରମୁଖ ଭିତ୍ତିଭୂମିର ଉନ୍ନତୀକରଣ କରାଯିବ । ରେଳ ମନ୍ତ୍ରଣାଳୟ ଦ୍ୱାରା ଆସନ୍ତା ୫ ବର୍ଷରେ ଦୁଇ ଗୁଣା ଅଧିକ ଟ୍ରେନ ଚଳାଇବା ପାଇଁ ଚିହ୍ନଟ ୪୮ ଷ୍ଟେସନରୁ ଓଡ଼ିଶାର ୨ ଷ୍ଟେସନ ମଧ୍ୟରେ ଭୁବନେଶ୍ୱର ଓ ପୁରୀ ରହିଛି । ଏହା ସହିତ ପୂର୍ବତଟ ରେଳପଥ ଅଧୀନରେ ଆସୁଥିବା ବିଶାଖାପାଟଣାର ଷ୍ଟେସନର ମଧ୍ୟ ବିକାଶ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ କହିଛନ୍ତି, ଆମେ କୋଚିଂ ଟର୍ମିନାଲଗୁଡ଼ିକର ସମ୍ପ୍ରସାରଣ କରୁଛୁ । ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ଲାଗି ଷ୍ଟେସନର କ୍ଷମତା ବୃଦ୍ଧି କରୁଛୁ । ଏହି ପଦକ୍ଷେପ ଆମର ରେଳ ନେଟୱାର୍କକୁ ଉନ୍ନତ କରିବ । ୨୦୩୦ ସୁଦ୍ଧା ଏହି ସହରଗୁଡ଼ିକରେ ଟ୍ରେନ ଯାତାୟାତ ଦୁଇଗୁଣ କରିବା ପାଇଁ ଅତିରିକ୍ତ ପ୍ଲାଟଫର୍ମ ନିର୍ମାଣ କରାଯିବ । ଏହାର ଆଖପାଖରେ ନୂତନ ଟର୍ମିନାଲଗୁଡ଼ିକୁ ଚିହ୍ନଟ କରି ମେଗା କୋଚିଂ କମ୍ପେ୍ଲକ୍ସ ସମେତ ରକ୍ଷଣାବେକ୍ଷଣ ସୁବିଧା ବିକାଶ କରାଯିବ ।
ପୁରୀରେ ଏବେ ଛଅଟି ଲାଇନ୍ ଥିବା ବେଳେ ଦୁଇଟି ଅତିରିକ୍ତ ଲାଇନ ନିର୍ମାଣାଧୀନ ଅଛି । ସମ୍ପୂର୍ଣ୍ଣ କୋଚିଂ ରକ୍ଷଣାବେକ୍ଷଣ ସୁବିଧାକୁ ମଞ୍ଜୁରୀପ୍ରାପ୍ତ ପୁରୀ-କୋଣାର୍କ ନୂଆ ଲାଇନରେ କରାଯିବ । ଏହା ବ୍ୟତୀତ ନ୍ୟୁ ଭୁବନେଶ୍ୱର ଷ୍ଟେସନକୁ ଏକ ସାଟେଲାଇଟ୍ କୋଚିଂ ଟର୍ମିନାଲ ଭାବେ ବିକଶିତ କରାଯାଉଛି । ଯେଉଁଥିରେ ମଞ୍ଚେଶ୍ୱରରେ ଦୁଇଟି ପିଟ୍ ଲାଇନ୍ ରହିବ । ସ୍ଥାନର ଅଭାବ ଯୋଗୁଁ ନିକଟସ୍ଥ ଅଞ୍ଚଳରେ ନୂଆ ପ୍ରସ୍ତାବିତ ଡିପୋ ପ୍ରତିଷ୍ଠା କରାଯିବ ।

