ହୋଟେଲ ଓ ବାରରେ ଅଗ୍ନି ନିରାପତ୍ତା ଯାଞ୍ଚ, ଅବକାରୀ ବିଭାଗ ଚଢାଉ

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ନୂଆବର୍ଷ ପୂର୍ବରୁ ଭୁବନେଶ୍ୱରରେ ଥିବା ବିଭିନ୍ନ ହୋଟେଲ ଓ ବାରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ହୋଟେଲ, କ୍ଲବ, ବାର ଓ ଡ୍ୟାନ୍ସ ପବରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଭଳି ରହିଛି ତାହାର ଯାଞ୍ଚ ହୋଇଛି । ଭୁବନେଶ୍ୱର ସତ୍ୟବିହାର ବାରରେ ଅଗ୍ନିକାଣ୍ଡ ପରେ ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯାଇଛି । ସେପଟେ ହୋଟେଲରେ ଚାଲୁଥିବା ବେଆଇନ ନିଶା କାରବାର ଉପରେ ମଧ୍ୟ ଅବକାରୀ ବିଭାଗ ଚଢାଉ କରିଛି ।

ଗୋଆରେ ନାଇଟ୍ କ୍ଲବ୍ ଓ ଭୁବନେଶ୍ୱର ସତ୍ୟବିହାର ବାରରେ ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛି । ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବରେ ଅଗ୍ନି ନିରାପତ୍ତା ନେଇ ଯାଞ୍ଚ ଆରମ୍ଭ ହୋଇଛି । ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି । ବିଲ୍ଡିଂ ଆପ୍ରୁଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବିକରଣ ନେଇ ଅଗ୍ନିଶମ ବିଭାଗ ଯାଞ୍ଚ କରୁଛି । ୧୦୦ ସିଟ୍ କ୍ଷମତା ଥିବା ରେଷ୍ଟୁରାଣ୍ଟକୁ ମଧ୍ୟ ଚେକିଂ ପରିସରଭୁକ୍ତ କରାଯାଇଛି । ଅଗ୍ନିଶମ ନିରାପତ୍ତା ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିରାପତ୍ତା ସମ୍ବନ୍ଧିତ ସରଞ୍ଜାମ ରହିଛି କି ନାହିଁ ସେନେଇ ଯାଞ୍ଚ କରାଯାଉଛି ।

ଫାୟାର ଅଫିସର ମନରଞ୍ଜନ ରାଉତ କହିଛନ୍ତି, ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଟିମ ଗଠନ କରାଯାଇ ସବୁ ହୋଟେଲ ଓ ବାର୍‌, କ୍ଲବ, ଓ ଡ୍ୟାନ୍ସ ପବ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଭଳି ରହିଛି ତାର ଯାଞ୍ଚ କରାଯାଉଛି । ଯେଉଁମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରି ନାହାନ୍ତି ସେମାନଙ୍କୁ ଫାୟାର ସେଫ୍ଟି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ଯେଉଁମାନେ ଗାଇଡଲାଇନ ମାନୁନାହାନ୍ତି ସେମାନଙ୍କ ଉପରେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି । ସମସ୍ତଙ୍କୁ ସଚେତନ କରିବା ପାଇଁ ପଦକ୍ଷପ ନିଆଯାଉଛି ।
ଅବକାରୀ ଅଧିକାରୀ ଦେବାଶିଷ ପଟେଲ କହିଛନ୍ତି, ପ୍ରତି ସପ୍ତାହନ୍ତରେ ଯାଞ୍ଚ କରାଯାଉଛି । ଆଗକୁ ମଧ୍ୟ ଯାଞ୍ଚ କରାଯିବ ।

ଗତ ମାସେ ଦେଢମାସ ମଧ୍ୟରେ ଭୁବନେଶ୍ୱରରେ ବିନା ଲାଇସେନ୍ସରେ ଚାଲୁଥିବା ୫ରୁ ୬ଟି ବାର ଜବତ ହୋଇଛି । ବିନା ଅବକାରୀ ଲାଇସେନ୍ସରେ ଯେଉଁ ହୋଟେଲ ଓ ବାର୍ ମଦ କାରବାର କରୁଛନ୍ତି, ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଗିରଫ ସହ କୋର୍ଟ ଚାଲାଣ କରାଯିବ । ଯେଉଁମାନେ ନିୟମ ଅବମାନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୁବନେଶ୍ୱରରେ ୧୪୫ଟି ଲାଇସେନ୍ସ ଥିବାର ବାର ରହିଛି । ସେଥିରୁ କିଛି ବାର ବନ୍ଦ ପଡ଼ିଛି । ପାଖାପାଖି ୧୪୦-୧୪୨ଟି ବାର ଚାଲିଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ହୋଟେଲରେ ନିଶା କାରବାର ନେଇ ଚଢାଉ କରାଯାଉଛି । ଭୁବନେଶ୍ୱରରେ ବିନା ଅବକାରୀ ଲାଇସେନ୍ସରେ ଚାଲୁଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଅବକାରୀ ବିଭାଗ ଚଢ଼ାଉ କରୁଛି । ନୂଆବର୍ଷ ପାଇଁ ଭୁବନେଶ୍ୱରରେ ଥିବା ବାର କିଭଳି ଭାବରେ ଠିକ ସମୟରେ ବନ୍ଦ କରିବେ ଓ ଅବକାରୀ ବିଭାଗ ଅନୁଯାୟୀ ନୀତି ନିୟମ ମାନି ଚାଲିବେ ସେନେଇ ଅବକାରୀ ବିଭାଗ ଧ୍ୟାନ ଦେଉଛି । ଏଭଳି ଅନେକ ହୋଟେଲ, ବାରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ବାର ଓ ପବରେ ନିଶାପାନ କରି ଅନେକ ସମୟରେ ଗୁଣ୍ଡାଗଦି ଦେଖିବାକୁ ମିଳୁଛି । ରାତିରେ ହୋଟେଲର ଅନୈତିକ କାର୍ଯ୍ୟ ଚାଲୁଛି । କେବଳ ବାର ଓ ହୋଟେଲ ନୁହେଁ ଅନେକ ଆପାର୍ଟମେଣ୍ଟରେ ମଧ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଏନେଇ ସରକାର ସେଭଳି କିଛି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ନଜରକୁ ଆସିଛି ।


Reporterspen