Political News: ବିଜେପିରେ ଯୋଗ ଦେଲେ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

Reporterspen

Political News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅମରଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶା ରାଜନୈତିକ ଯାତ୍ରାରେ ଅମର ହେଉଛନ୍ତି ଜଣେ ବୈଧିକ ବ୍ୟକ୍ତିତ୍ୱ। ଚାକିରିରୁ ଅବସର ନେଇ ଲୋକଙ୍କ ସେବା ପାଇଁ ସେ ରାଜନୀତିରେ ଯୋଗଦେଇ ଥିଲେ। ପ୍ରଥମେ ସେ ଗୋଟେ ଆଂଚଳିକ ଦଳରେ ଥିଲେ। ରାଜ୍ୟ ସଭା ସାଂସଦ ଭାବେ ଓଡ଼ିଶାର ସ୍ୱାର୍ଥ ପାଇଁ ପାଲ୍ୟାମେଂଟରେ ଅନେକ ପ୍ରସଙ୍ଗ ଉଠାଇ ନିଜର ଦକ୍ଷତା ପରିପ୍ରକାଶ କରିଥିଲେ। ପୂର୍ବରୁ ସେ ବିଜେଡିରେ ରହି ସ୍ୱର ଉଠାଉଥିଲେ ସତ କିନ୍ତୁ ଖୋଲା ହୃଦୟରେ ପ୍ରଶସ୍ତ ଭାବେ କାର୍ଯ୍ୟ କରିପାରୁ ନ ଥିଲେ। କେବଳ ଅମର ନୁହନ୍ତି, ଅନ୍ୟ ଯେଉଁମାନେ ମଧ୍ୟ ବିଜୁ ଜନତା ଦଳ ଛାଡ଼ି ଆଜି ବିଜେପିରେ ଯୋଗ ଦେଇଛନ୍ତି ସେମାନେ କୁହନ୍ତି, ବିଜେଡିରେ ବାକ୍ ସ୍ୱାଧୀନତା ନାହିଁ। ସେଠାରେ ସାଂସଦଙ୍କଠାରୁ ବିଧାୟକ ପର୍ଯ୍ୟନ୍ତ ସଭିଏଁ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ମାତ୍ର ବିଜେପିରେ ଯୋଗଦେବା ପରେ ସେମାନେ ସ୍ୱାଧୀନ ଚିନ୍ତନରେ କାମ କରିପାରୁୂଛନ୍ତି। ଏଥିଯୋଗୁ ବିଜେପିରେ ଯୋଗଦେବା ପରେ ଅମରଙ୍କୁ ମଧ୍ୟ ମୁକ୍ତି ମିଳିଥିବ। ସରକାରୀ ଅଧିକାରୀ ଭାବେ ଅମର ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ନିଖୁଣ ଭାବରେ ସମୀକ୍ଷା କରୁଥିଲେ। ଓଡ଼ିଶାର ସ୍ୱାର୍ଥ ପାଇଁ ସଂସଦରେ ସେ ସାରଥୀ ଭାବେ କାର୍ଯ୍ୟ କରିଛନ୍ତି। ସମବାୟ ଆନ୍ଦୋଳନରେ ତାଙ୍କ ଭୂମିକା ରହିଛି।

ଏବେ ବିଜେପିରେ ଯୋଗଦେଇ ଦଳକୁ ଆହୁରି ଆଗକୁ ନେବାରେ ସହାୟକ ହେବେ। ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ସେ ତାଙ୍କର ଭୂମିକା ଲିଭାଇବେ ବୋଲି ଦଳର ବିଶ୍ୱାସ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁ ହେବା ପଥରେ ଅଗ୍ରସର ହେଉଛି। ଓଡ଼ିଶା ମଧ୍ୟ ବିକଶିତ ହେବା ପଥରେ ଆଗେଇ ଚାଲିଛି। ଡବଲଇଞ୍ଜିନ ସରକାର ଆସିବା ପରେ ଗତ ୧୬ ମାସରେ ଓଡ଼ିଶାର ଡବଲ ବିକାଶ ହୋଇଛି। ଏଭଳିସ୍ଥିତିରେ ନୂଆପଡ଼ା ଉପନିର୍ବାଚନ ମଇଦାନରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଆଉ ସେତିକିବେଳେ ତାଙ୍କ ଦଳର ବରିଷ୍ଠ ନେତା ଅମର ପଟ୍ଟନାୟକ ବିଜେପିରେ ସାମିଲ ହୋଇଛନ୍ତି। ନବୀନ ବାବୁ ଏବେ ସେଠାରେ ପ୍ରଚାର କରନ୍ତୁ। ଆଉ ଅମର ବାବୁ ଯେତେବେଳେ ନୂଆପଡାରେ ଯାଇ ପ୍ରଚାର କରିବେ ସେତେବେଳେ ନବୀନ ବାବୁ ତାଙ୍କ ସ୍ଥିତି ବିଷୟରେ ଅବଗତ ହୋଇପାରିବେ। କାରଣ ଅମରଙ୍କ ଅଭିଜ୍ଞତା ଓ ନେତୃତ୍ୱ ଭାରତୀୟ ଜନତାପାର୍ଟିକୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦେଶ ସର୍ବପ୍ରଥମ, ଦଳ ଦ୍ୱିତୀୟ ଓ ନିଜକୁ ଶେଷ ଗୁରୁତ୍ୱ ଦେଉଥିବା ଭଳି ବିଚାରଧାରର ପାର୍ଟି ହେଉଛି ବିଜେପି। ତ୍ୟାଗ ଓ ସମର୍ପଣ ଭାବନା ରଖି ବିଜେପିରେ ସାମିଲ ହୋଇଥିବା ଅମରଙ୍କୁ ମୁଖ୍ୟମନ୍ତ୍ରୀ ମାଝୀ ସ୍ୱାଗତ କରିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ନିଜର ଜ୍ଞାନ ଓ ଅଭିଜ୍ଞତାକୁ ସମାଜସେବାରେ ଲଗାଇବା ନିମନ୍ତେ ଏବଂ ଓଡ଼ିଶାର ଉନ୍ନତି ପାଇଁ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଚାକିରୀର ୧୦ ବର୍ଷ ଆଗରୁ ଅବସର ନେଇ ରାଜନୀତିକୁ ଓହ୍ଲାଇଥିଲେ ଅମର ପଟ୍ଟନାୟକ। ଆଜି ସେ ବିଶ୍ୱର ସବୁଠାର ବଡ଼ ରାଜନୈତକ ଦଳ ବିଜେପିରେ ଯୋଗଦେଇଛନ୍ତି। ଓଡ଼ିଶାରେ ବିଜେପି ସରକାର ଇତିମଧ୍ୟରେ ୫୦୦ଦିନ ପୂରଣ କରିଥିôବାବେଳେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଓ ଲୋକପ୍ରିୟ ମୁଖମନ୍ତ୍ରୀ ଶ୍ରୀ ମାଝୀଙ୍କ ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ମନସ୍ଥ କରିଛନ୍ତି। ତାଙ୍କ ଯୋଗଦାନ ଦ୍ୱାରା ବିଜେପି ସଂଗଠନ ଅଧିକ ସୁଦୃଢ଼ ହୋଇପାରିଛି ବୋଲି ଶ୍ରୀ ସାମଲ କହିଛନ୍ତି।

ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର କହିଛନ୍ତି ଯେ, ରାଜ୍ୟ ସଭାରେ ଅମରଙ୍କ ସହ ସେ କାର୍ଯ୍ୟ କରିଛନ୍ତି। କିଛି ସ୍ୱାର୍ଥୀ ଲୋକଙ୍କ ଯୋଗୁ ଓଡ଼ିଶାରେ ନବୀନ ପଟ୍ଟନାୟକ ଦୀର୍ଘ ସମୟଧରି ମନମୁଖୀ ଶାସନ ଚଳାଇଥିଲେ। ସେତେବେଳେ ଅମରଙ୍କ ସହ ଯେତେବେଳେ ଦେଖା ହୁଏ ସେ ସବୁବେଳେ କୁହନ୍ତି, ରାଷ୍ଟ୍ରର ହୀତ ପାଇଁ ମୋଦିଜୀଙ୍କୁ ମଜବୁତ୍ କରିବା ଆବଶ୍ୟକ। ଆଜି ଅମରଙ୍କ ପାଇଁ ସେହି ସୁଯୋଗ ଆସିଛି। ତାଙ୍କ ଦୀର୍ଘ ଅନୁଭବର ଲାଭ ବିଜେପି ଦଳକୁ ମିଳିବ ବୋଲି ତୋମାର କହିଛନ୍ତି।

ଶ୍ରୀ ଅମର ପଟ୍ଟନାୟକ କହିଛନ୍ତି ଯେ, ତାଙ୍କ ୮ ବର୍ଷର ରାଜନୈତିକ କ୍ୟାରିୟରରେ ଆଜି ହେଉଛି ଏକ ବିଶେଷ ମୁହୁର୍ତ। ଲୋକଙ୍କ ସହ ମିଶି ଜନସେବା କରିବା ପାଇଁ ସେ ଚାକିରି ଛାଢ଼ିଥିଲେ। ଏହି ପରିପ୍ରେକ୍ଷୀରେ ଯେତେବେଳେ ରାଜ୍ୟସଭାରେ ସୁଯୋଗ ମିଳିଲା, ସେତେବେଳେ ଓଡ଼ିଶାର ଜନସାଧାରଣଙ୍କ ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବା ପାଇଁ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଲୋକଙ୍କ ସମସ୍ୟା କଥା ରାଜ୍ୟ ସଭାରେ ଉଠାଇଛନ୍ତି। କିନ୍ତୁ ଯେତେବେଳେ ରାଷ୍ଟ୍ର ନିର୍ମାଣ କଥା ଚିନ୍ତାକଲେ ସେତେବେଳେ ବିଜେପି ଛଡ଼ା ଅନ୍ୟ କୌଣସି ଦଳ ନଜରକୁ ଆସି ନ ଥିଲା। କାରଣ ଅନ୍ୟ କୌଣସି ଦଳର ରାଷ୍ଟ୍ର ନିର୍ମାଣରେକୌଣସି ଭୂମିକା ନାହିଁ। ସେଥିପାଇଁ ବିଜେପିରେ ଯୋଗ ଦେଇଥିବା କହିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିଶ୍ୱମାନଚିତ୍ରରେ ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଓଡ଼ିଶା ଏଥିରେ ଭାଗନେଇ ୨୦୪୭ ମସିହା ବେଳକୁ ନୂଆ ଭାରତ ଗଠନରେ ପ୍ରମୁଖ ଭୂମିକା ଗହଣ କରିବ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏନେଇ ଯେଉଁ ଭିଜନ ପ୍ରସ୍ତୁତ କରିଛନ୍ତି ତାହା ତାଙ୍କୁ ନିଶ୍ଚୟ ସଫଳ କରାଇବ। ଏନେଇ ଦଳପକ୍ଷରୁ ଅମରଙ୍କୁ ଯେଉଁ କାମରେ ନିୟୋଜନ କରାଯିବ, ତାହାକୁ ସୂଚାରୁ ରୂପେ ସମ୍ପାଦନ କରି ରାଷ୍ଟ୍ର ଏବଂ ନୂତନ ଓଡ଼ିଶା ନିର୍ମାଣରେ ନିଜର ଯୋଗଦାନ ଦେଇପାରିବେ। ବିଜେପି ଏହି ସୁଯୋଗ ଦେଇଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରିବା ସହ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିବାକୁ ସଂକଳ୍ପ ନେଉଛନ୍ତି ବୋଲି ଅମର କହିଛନ୍ତି।

ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Reporterspen