ଚାଷୀଙ୍କ ସବୁ ସମସ୍ୟାର ସମାଧାନ କରିବୁ,ଚାଷୀଙ୍କ ଧାନ ସରକାର ନିଶ୍ଚୟ କିଣିବେ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ରାଜ୍ୟ ସରକାର ସମୃଦ୍ଧ ଓଡ଼ିଶା ଗଢ଼ିବାକୁ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଡବଲ ଇଞ୍ଜିନ ସରକାର ଏ ନେଇ ସଂକଳ୍ପବଦ୍ଧ । ବିରୋଧୀ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ବିଧାନସଭାରେ ହଙ୍ଗାମା କରୁଛନ୍ତି । ରାଜ୍ୟ ବଜେଟ ଉପରେ ସାଧାରଣ ଆଲୋଚନାରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୋହନ ବିଧାନସଭାରେ କହିଲେ,୨୦୨୬-୨୭ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ କେବଳ ଆସନ୍ତା ବର୍ଷ ପାଇଁ ଆୟବ୍ୟୟ ଲେଖାଯୋଖାର ଏକ ହିସାବ ନୁହେଁ,ଏହି ବଜେଟ ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ । ଏ ବଜେଟ ଉପସ୍ଥାପିତ ହେବା ପରେ ବିରୋଧୀଙ୍କର ବିରୋଧ କରିବା ପାଇଁ କିଛି ନାହିଁ,ତେଣୁ ଗୃହକୁ ଅଚଳ କରୁଛନ୍ତି । ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି ବଜେଟରେ ଆକଳନ କରାଯାଇଥିବା ୭୨ ହଜାର ୧୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ,ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୫ ପ୍ରତିଶତ । ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ । ଆମେ ଏହି ବଜେଟରେ କେତେକ ନୂତନ ଏକ୍ସପ୍ରେସ ୱେ ଯଥା ବ୍ରହ୍ମପୁର-ଜୟପୁର ରାଜପଥ,ଗଜପତିରୁ ଆମ୍ବାଭୋନାକୁ ଯୋଡୁଥିବା ନମୋ ଏକ୍ସପ୍ରେସ ୱେ,ରସୁଲଗଡ଼ରୁ-ନାନପୁର/ରଘୁନାଥପୁର ପର୍ଯ୍ୟନ୍ତ ୪-ଲେନ୍ ଏକ୍ସପ୍ରେସ ୱେ ଏବଂ ମାଲକାନଗିରିର ମୋଟୁ-ମୟୂରଭଞ୍ଜର ତିରିଙ୍ଗିକୁ ସଂଯୋଗ କରୁଥିବା ଅଟଳ ଏକ୍ସପ୍ରେସୱେ ନିର୍ମାଣ ପାଇଁ ପୁଞ୍ଜି ବିନିଯୋଗ ବ୍ୟବସ୍ଥା କରିଛୁ । ଓଡିଶାରେ ୯୦ ହଜାର କୋଟିରୁ ବି ଅଧିକ ଟଙ୍କାର ବିଭିନ୍ନ ରେଳବାଇ ପ୍ରକଳ୍ପ ଚାଲୁଅଛି । ଚଳିତ ବଜେଟରେ ତାଳଚେର,ଅନୁଗୁଳ,ପାରାଦୀପ ଏବଂ ଧାମରା ମଧ୍ୟରେ ଆଭ୍ୟନ୍ତରୀଣ ଜଳ ପରିବହନକୁ ବୃଦ୍ଧି କରି ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ପାଣ୍ଠି ବରାଦ ହୋଇଛି ।

ସମୃଦ୍ଧ କୃଷକଯୋଜନା ଅଧୀନରେ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ମୂଲ୍ୟରେ ଧାନ କ୍ରୟ ପାଇଁ ୬ ହଜାର ୮୮ କୋଟି ଟଙ୍କାର ପ୍ରସ୍ତାବ ରହିଅଛି । ଚାଷୀଙ୍କ କ୍ଷେତ୍ରରେ ଆମେ କୌଣସି କାର୍ପଣ୍ୟତା ରଖିନୁ । ଆସନ୍ତା ୩ ବଷରେ ପ୍ରାୟ ୧୧ ଲକ୍ଷ ମେଟ୍ରିକ ଟନ୍ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଅଛି । ବିରୋଧୀ ଦଳର ବିଧାୟକମାନେ ଚାଷୀମାନଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କଂଗ୍ରେସ ଦଳକୁ ତ ଲୋକେ ୨୫ ବର୍ଷ ହେଲା ପ୍ରାୟ ଭୁଲି ଯାଇଛନ୍ତି । ମୁଖ୍ୟ ବିରୋଧୀଦଳ ବାରମ୍ବାର ଚାଷ ଓ ଚାଷୀଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଲେ,ଆମ ସରକାରଙ୍କ ଇନ୍ପୁଟ ସହାୟତା ଘୋଷଣା ପରେ ନିଶ୍ଚିତ ଭାବେ ଅଧିକ ଚାଷ ହୋଇଛି । ଅମଳ ସଂରକ୍ଷଣ କରିବା ପାଇଁ ଭିତ୍ତିଭୂମି ନାହିଁ । ଭିତ୍ତିଭୂମିକୁ ତ ରାତାରାତି କରି ହେବ ନାହିଁ । ଆମେ ଏଥିପାଇଁ ୧୦୦ ଟି ମଡେଲ ମଣ୍ଡି,ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ପ୍ରାୟ ୧୫ ଲକ୍ଷ ମେଟ୍ରିକ ଟନର ଗୋଦାମ ଷ୍ଟୋରେଜ ନିର୍ମାଣ କରୁଛୁ । ରାଜ୍ୟର ସବୁ ଚାଷୀଙ୍କୁ ନିର୍ଭର ପ୍ରତିଶୃତି ଦେଉଛି ଯେ ଚାଷୀଙ୍କ ସବୁ ସମସ୍ୟା ସମାଧାନ କରାଯିବ । ସବୁ ଯୋଗ୍ୟ ଚାଷୀଙ୍କ ସବୁ କ୍ରୟଯୋଗ୍ୟ ଧାନକୁ ଉଠାଇବୁ ।

ସେ କହିଲେ,ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟ ଏଆଇ ମିଶନ ମାଧ୍ୟମରେ ଏଆଇକୁ ଶାସନ ଏବଂ ସେବା ବିତରଣରେ ଏକୀକରଣ କରିବା ଦିଗରେ ବିଭାଗଗୁଡିକୁ ସାହାଯ୍ୟ କରିବ । ଆମ ସରକାରଙ୍କ ସମୟୋଚିତ ପଦକ୍ଷେପ ଫଳରେ ଓଡିଶା ଆଗାମୀ ଦିନରେ “ସେମିକଣ୍ଡକ୍ଟର କ୍ୟାପିଟାଲହେବାକୁ ଯାଉଛି । ମାତ୍ର ବର୍ଷକ ମଧ୍ୟରେ ଗତ ଉତ୍କର୍ଷ ଓଡିଶାରୁ ରାଉରକେଲା ସମ୍ମିଳନୀ ପର୍ଯ୍ୟନ୍ତ ଆମେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ପାଇଛୁ । ଅଢେଇ ଲକ୍ଷ କୋଟି ଟଙ୍କାର ନିବେଶ ହୋଇ ସାରିଛି । ଆମର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ପାଇଁ ଭୁବନେଶ୍ୱରଠାରେ ୮ ଶହ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଆମେ ପଦକ୍ଷେପ ନେଇଛୁ । ପୁରୀଠାରେ ଏକ ମେରାଇନ୍ ଆକ୍ୱାରିୟମ୍ ପ୍ରତିଷ୍ଠା ସହ ସମ୍ବଲପୁର,କଟକ,ଭୁବନେଶ୍ୱର,ବାରିପଦା ଏବଂ ବୈତରଣୀ ନଦୀ କୂଳରେ ୫୦୦ କୋଟି ଟଙ୍କା ବ୍ୟୟରେ ନଦୀପଠାର ସାମଗ୍ରିକ ବିକାଶ କରାଯିବ ।

ମୋହନ କହିଲେ,ବଜେଟରେ କେନ୍ଦ୍ରାପଡ଼ା,ଜଗତସିଂହପୁର,ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଅଛି । କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ଖଣି ଏବଂ ଧାତୁ ବିଜ୍ଞାନ କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ପାରାଦୀପ ଓ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ ସ୍ଥାପନ କରିବା ପାଇଁ ପ୍ରସ୍ତାବ ରହିଛି । ଗଜପତି,ମାଲକାନଗିରି ଏବଂ ରାୟଗଡ଼ାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଏବଂ ନୂଆପଡ଼ାରେ ଦୁଇଟି ନୂଆ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବ ରହିଛି । ମହିଳାମାନଙ୍କର ସଶକ୍ତିକରଣ ଓ ଗରିମା ରକ୍ଷା ପାଇଁ ମୋଟ ୧୮ ହଜାର ୯୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହି ବଜେଟ ହେଉଛି “ସମୃଦ୍ଧ ଓଡିଶାନିର୍ମାଣ ପାଇଁ ଏକ ରୋଡ ମ୍ୟାପ । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୫-୨୬ରେ ଓଡ଼ିଶାର ଅଭିବୃଦ୍ଧି ହାର ୭.୯% ରହିବ ବୋଲି ଆକଳନ କରାଯାଇଛି । ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି ୮%ରୁ ଅଧିକ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ମୁଣ୍ଡପିଛା ଆୟ ବର୍ତ୍ତମାନର ମୂଲ୍ୟରେ ୧ ଲକ୍ଷ ୮୬ ହଜାର ଟଙ୍କା ରହିବ । ଭାରତର ହାରାହାରି ମୁଣ୍ଡପିଛା ଆୟ ୨ ଲକ୍ଷ ୧୯ ହଜାର ଟଙ୍କା ରହିଛି । ଭାରତ ଏବଂ ଓଡ଼ିଶାର ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି । ସମୃଦ୍ଧ ଓଡ଼ିଶା ଗଢ଼ିବାକୁ ଆମେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ ।


Reporterspen