ରୋମାଞ୍ଚକର ମୁକାବିଲାରେ ଗୁଜରାଟ ୧ରନ୍‌ରେ ବିଜୟୀ

Reporterspen

ବଟଲର୍‌, ଶୁଭମନ ଗିଲ୍‌ ଏବଂ ସୁନ୍ଦରଙ୍କ ଅର୍ଦ୍ଧଶତକ
କେ.ଏଲ ରାହୁଲଙ୍କ ବିସ୍ପୋରଣ ଇନିଂସ ବେକାର

ନୂଆଦିଲ୍ଲୀ, ୦୮।୦୪: ଆଇପିଏଲ୍‌-୨୦୨୬ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଗୁଜରାଟ ଟାଇଟନ୍ସ ୧ରନ୍‌ରେ ବିଜୟୀ ହୋଇଛି। ୨୧୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୨୦୯ ରନ୍‌ କରିପାରିଛି। ଶେଷ ୨ଟି ଓଭରରେ ଦିଲ୍ଲୀକୁ ୩୬ ରନ୍‌ ଦରକାର ଥିଲା। ଦଳ ୧୯ତମ ଓଭରରୁ ୨୩ ରନ୍‌ ସଂଗ୍ରହ କରିଥିଲା ବେଳେ ଶେଷ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୧୧ ରନ୍‌ କରିପାରିଥିଲା। ଅନ୍ତିମ ବଲ୍‌ରୁ ଗୋଟିଏ ରନ୍‌ ସଂଗ୍ରହ କରି ଦଳକୁ ସମାନ ସ୍ତରକୁ ଆଣିବା ପାଇଁ ଡେଭିଡ ମିଲର ଉଦ୍ୟମ କରିଥିଲେ। କିନ୍ତୁ ସେ ରନ ଆଉଟ୍‌ ହୋଇଥିଲେ। ଫଳରେ ଗୁଜରାଟ ବିଜୟୀ ହୋଇଥିଲା।

କେଏଲ୍‌ ରାହୁଲ ଦିଲ୍ଲୀକୁ ବିଜୟ ଦେବା ପାଇଁ ବହୁ ଉଦ୍ୟମ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରି ଶତକର ନିକଟତର ହୋଇଥିଲେ। କିନ୍ତୁ ମହମଦ ସିରାଜଙ୍କ ବଲ ଜୋସ ବଟଲରଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ସେ ବ୍ୟକ୍ତିଗତ ଭାବେ ୫୨ଟି ବଲ୍‌ ଖେଳି ୧୧ଟି ଚୌକା ଏବଂ ୪ଟି ଛକା ବଳରେ ୯୨ ରନ୍‌ ସଂଗ୍ରହ କରିଥିଲେ।

ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା। ଦଳର ପ୍ରାରମ୍ଭିକ ବ୍ୟାଟର ପାଥୁମ ନିଶଙ୍କା ଏବଂ କେଏଲ୍‌ ରାହୁଲ ପ୍ରଥମ ୱିକେଟ୍‌ ପାଇଁ ୭୬ ରନ୍‌ର ଭାଗିଦାରୀ କରିପାରିଥିଲେ। ନିଶଙ୍କା ବ୍ୟକ୍ତିଗତ ଭାବେ ୪୧ ରନ୍‌ ସଂଗ୍ରହ କରିଥିଲେ। ସେ ୨୪ଟି ବଲ୍‌ ଖେଳି ୬ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଦ୍ୱିତୀୟ ୱିକେଟ ପାଇଁ ୨୫ ରନ୍‌ର ଭାଗିଦାରୀ ହୋଇଥିଲା ବେଳେ ସ୍କୋର ୧୦୧ ରନ୍‌ରେ ଦିଲ୍ଲୀ ନିତିଶ ରାଣା ଏବଂ ସମୀର ରିଜଭୀଙ୍କୁ ହରାଇଥିଲା।

ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଟସ୍‌ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ ଟିମ୍‌ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୨୧୦ ରନ୍‌ କରିଥିଲା। ଗୁଜରାଟର ଦ୍ୱିଶତକୀୟ ସ୍କୋରରେ ବଡ ଭୂମିକା ତୁଲାଇଥିଲେ ଅଧିନାୟକ ଶୁବମନ ଗିଲ। ସେ ୪୫ଟି ବଲ୍‌ ଖେଳି ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ ୪ଟି ଚୌକା ଏବଂ ୫ଟି ଛକା ବଳରେ ୭୦ ରନ୍‌ କରିଥିଲେ। ୱିକେଟକିପର ବ୍ୟାଟର ଜୋସ୍‌ ବଟଲର ୨୭ଟି ବଲ୍‌ର ସାମ୍ନା କରିଥିଲେ। ଏଥିରୁ ସେ ୩ଟି ଚୌକା ଏବଂ ୫ଟି ଛକା ସହିତ ୫୨ ରନ୍‌ ସଂଗ୍ରହ କରିଥିଲେ।

ଯୁବ ବ୍ୟାଟର ୱାସିଂଟନ ସୁନ୍ଦର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୨ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୨ଟି ଛକା ବଳରେ ୫୫ ରନ୍‌ ସଂଗ୍ରହ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ସାଈ ସୁଦର୍ଶନଙ୍କ ବ୍ୟାଟ୍‌ରୁ ୨ଟି ଚୌକା ସହିତ ୧୨ ରନ୍‌ ସଂଗ୍ରହ ହୋଇଥିଲା। ଗ୍ଲେନ୍‌ ଫିଲିପ୍‌ସ ଅପରାଜିତ ୧୪ ରନ୍‌ ସଂଗ୍ରହ କରିଥିଲେ। ସେ ୯ଟି ବଲ୍‌ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ରାହୁଲ ତେୱାଟିଆ ଗୋଟିଏ ବଲ୍‌ ଖେଳି ଏକ ରନ୍‌ କରିଥିଲେ। ଦିଲ୍ଲୀ ପକ୍ଷରୁ ମୁକେଶ କୁମାରଙ୍କୁ ସର୍ବାଧିକ ୨ଟି ୱିକେଟ୍‌ ମିଳିଥିଲା। ଲୁଙ୍ଗି ଏନ୍‌ଗିଡି ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଗୁଜରାଟର ପ୍ରାରମ୍ଭିକ ପ୍ରଦର୍ଶନ ଭଲ ନଥିଲା। କିନ୍ତୁ ଦଳର ଖେଳାଳିମାନେ ଦ୍ୱିତୀୟ ଏବଂ ତୃତୀୟ ୱିକେଟ୍‌ରେ ଭଲ ପ୍ରଦର୍ଶନ କରିଥିଲେ।


Reporterspen