ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସବୁଠି ଅଭିଯୋଗ ଶୁଣାଣୀ

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ରାଜ୍ୟର ସର୍ବସାଧାରଣ ନାଗରିକ ସୋମବାର (ସରକାରୀ କାର୍ଯ୍ୟ ଦିବସ) ଦିନ ନିଜର ସମସ୍ୟା ଭିତ୍ତିକ ଅଭିଯୋଗ ପାଇଁ ସରକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇପାରିବେ । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ବ୍ଲକ, ଉପଖଣ୍ଡ ତଥା ତହସିଲ ସ୍ତରରେ ପ୍ରତି ସୋମବାର ସରକାରୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗୃହରେ ଉତ୍ତର ରଖିଛନ୍ତି ।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ କି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ବ୍ଲକ, ଉପଖଣ୍ଡ, ତହସିଲ ଆଦି ସ୍ତରରେ ଯୁଗ୍ମ ଶୁଣାଣିର ଆୟୋଜନ କରାଯାଉଛି । ଆସୁଥିବା ଅଭିଯୋଗ ଗୁଡିକର ସମାଧାନ କରିବାର ପ୍ରାବଧାନ ରହିଛି । ଉକ୍ତ ଅଭିଯୋଗ ଗୁଡିକୁ ଜନଶୁଣାଣି ପୋର୍ଟାଲରେ ପଞ୍ଜୀକରଣ କରାଯାଉଅଛି । ଯଦି କୌଣସି ସୋମବାର ସରକାରୀ ଛୁଟିଦିନରେ ପଡୁଥାଏ, ତେବେ ପରଦିନ ଅର୍ଥାତ ମଙ୍ଗଳବାର ଯୁଗ୍ମ ଶୁଣାଣିର ଆୟୋଜନ କରାଯିବାର ପ୍ରାବଧାନ ରହିଛି ।

ପ୍ରତ୍ୟେକ ସୋମବାର ଦିନ ବ୍ଲକ ଉନ୍ନୟନ ଅଧିକାରୀମାନେ ନିଜ ସୀମାବର୍ତ୍ତୀ ଅଞ୍ଚଳରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ନିୟମିତ ଭାବରେ ନିଜ ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି କରିବା ଏବଂ ଅନ୍ୟୁନ ୧ ଥର ନିଜ ସୀମାବର୍ତ୍ତୀ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି କରିବାର ବ୍ୟବସ୍ଥା ରହିଛି । ସେହିପରି ତହସିଲଦାରମାନେ ମଧ୍ୟ ପ୍ରତ୍ୟେକ ସୋମବାର ଦିନ ନିଜ ସୀମାବର୍ତ୍ତୀ ଅଞ୍ଚଳରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ନିୟମିତ ଭାବରେ ନିଜ ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି କରିବା ଏବଂ ମାସକୁ ୨ଥର ନିଜ ସୀମାବର୍ତ୍ତୀ ରାଜସ୍ୱ ମଣ୍ଡଳରେ ଅଭିଯୋଗ ଶୁଣାଣି କରିବାର ବ୍ୟବସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ସେହିପରି ମୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ, ସମସ୍ତ ପ୍ରଶାସନିକ ବିଭାଗ ଏବଂ ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତରମାନଙ୍କରେ ମଧ୍ୟ ପ୍ରତ୍ୟେକ ସୋମବାର(ସରକାରୀ କାର୍ଯ୍ୟ ଦିବସ) ଦିନ ଅଭିଯୋଗ ଶୁଣାଣି ହେଉଅଛି । ଜନସାଧାରଣ ଓ ସରକାରୀ କର୍ମଚାରୀମାନେ ଉପରୋକ୍ତ ସମସ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମଗୁଡିକରେ ନିଜର ଅଭିଯୋଗ ଦାଖଲ କରିପାରୁଛନ୍ତି । ଏତଦ୍ ବ୍ୟତୀତ, ସରକାରୀ କର୍ମଚାରୀମାନଙ୍କ ଅଭିଯୋଗର ସମାଧାନ ପାଇଁ ଜନଶୁଣାଣି ପୋର୍ଟାଲରେ ଏକ ପୃଥକ ପୃଷ୍ଠା ବିକଶିତ କରାଯାଇଛି । ଏହା ଦ୍ୱାରା ସେମାନେ ସିଧାସଳଖ ନିଜ ଅଭିଯୋଗଗୁଡିକୁ ଉପରିସ୍ଥ ଅଧିକାରୀମାନଙ୍କ ପାଖରେ ଦାଖଲ କରିପାରୁଛନ୍ତି ।

ଅଭିଯୋଗ ସମାଧାନର ସମୟ ସୀମା ଅଭିଯୋଗର ପ୍ରକାର ଭେଦ ତଥା ଅଭିଯୋଗର ଗଭୀରତା ଏବଂ ଜଟିଳତା ଉପରେ ନିର୍ଭର କରେ । ଜନସାଧାରଣଙ୍କର ପ୍ରତ୍ୟେକ ଅଭିଯୋଗକୁ ସମାନ ଗୁରୁତ୍ୱ ଦିଆଯାଉଅଛି ଏବଂ ତ୍ୱରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଅଛି । ଜନଶୁଣାଣି ପୋର୍ଟାଲରେ ପଞ୍ଜୀକୃତ ଅଭିଯୋଗ ଗୁଡିକର ସମାଧାନ ପରେ ଅଭିଯୋଗକାରୀଙ୍କୁ ଇ-ମେଲ/ମେସେଜ ମାଧ୍ୟମରେ ଅବଗତ କରାଯାଉଅଛି । ଯଦି କୌଣସି ଅଧିକାରୀ ଅଭିଯୋଗ ସମାଧାନ କ୍ଷେତ୍ରରେ ଅବହେଳା କରୁଥିବାର ଦେଖାଯାଉଛି, ତେବେ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯାଉଅଛି ।


Reporterspen