BJD News: ଭୁବନେଶ୍ୱର (ରିପୋଟର୍ସ ପେନ୍): କ୍ଷମତାରୁ ଯିବା ପରେ ବିଜେଡିରେ ଅନ୍ତଃଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ରାଜ୍ୟସାରା ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଥିବା ବେଳେ ଭୁବନେଶ୍ୱରରେ କଥା ହାତାହାତି ପର୍ଯ୍ୟନ୍ତ ଗଲାଣି । ନିଜ ବ୍ୟକ୍ତିଗତ ବିବାଦକୁ ନେଇ କିଛି ଯୁବନେତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ୍ କରୁଛନ୍ତି । ବିଶେଷ କରି ମେୟରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ଏକ ପ୍ରକାର ଧମକ ଦେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଦଳ ଭିତରେ ତୁମ୍ବିତୋଫାନ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ଗତ ସାଧାରଣ ନିର୍ବାଚନରେ ମଧ୍ୟ ନିର୍ବାଚନ ମଣ୍ଡଳୀରୁ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଓ ଏକାମ୍ରରୁ ଲିଟୁ ମହାସୁପକାର ଆଶାୟୀ ପ୍ରାର୍ଥୀ ଥିଲେ । ଦଳ ସେମାନଙ୍କୁ ଟିକେଟ ଦେଇନଥିଲା । ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ଏକାମ୍ରରୁ ଅଶୋକ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଏକାମ୍ରରୁ ଅଶୋକ ପଣ୍ଡା ପରାଜିତ ହୋଇଥିବା ବେଳେ ମଧ୍ୟଆସନରୁ ବୁନୁ ମାତ୍ର ୩୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ଦଳର ଏଭଳି ଅବସ୍ଥା ଲାଗି ବୁନୁ ଓ ଅଶୋକ ଲିଟୁ ଏବଂ ବାଇଁଆକୁ ଦୋଷାରୋପ କରିଥିଲେ । ଏହାକୁ ନେଇ କିଛିଦିନ ତଳେ ଶଙ୍ଖ ଭବନରେ ଅଶୋକ-ବୁନୁ ଗୋଷ୍ଠୀ ଓ ବାଇଁଆ-ଲିଟୁ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ଏହା ପରେ ଗତ ୨୬ ତାରିଖରେ ବିଏମସି କର୍ପୋରେଟ ବୈଠକକୁ ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର ଅଧିକାଂଶ କର୍ପୋରେଟର ଆସିନଥିଲେ । ଏମାନେ ଖଣ୍ଡଗିରି ଠାରେ ଏକ ଗୁପ୍ତ ବୈଠକରେ ଯୋଗଦେଇଥିଲେ । ଯେଉଁମାନେ ଗୁପ୍ତବୈଠକରେ ଯୋଗ ଦେଇଥିଲେ, ସେମାନେ ଅଶୋକ ଓ ବୁନୁ ଗୋଷ୍ଠୀର ବୋଲି କୁହାଯାଉଛି । ଏହି ଗୁପ୍ତ ବୈଠକରେ କି ଚର୍ଚ୍ଚା ହେଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବାଇଁଆ ଓ ଲିଟୁଙ୍କୁ ଦଳରୁ ସସ୍ପେଣ୍ଡ କରିବା ଲାଗି ଚାପ ପକାଇବା ପାଇଁ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ଯଦି ଲିଟୁ ଓ ବାଇଁଆଙ୍କୁ ଦଳରୁ ସସପେଣ୍ଡ କରାନଯାଏ, ତେବେ ସବୁ କର୍ପୋରେଟର ମେୟରଙ୍କ ବିରୋଧରେ ଅନାସ୍ଥା ଆଣି ବିଏମସିକୁ ବିଜେପି ହାତକୁ ଟେକିଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ବୁନୁ ଓ ଅଶୋକ ଦଳର ମଙ୍ଗୁଆଳଙ୍କୁ ଜଣାଇଥିଲେ । କର୍ପୋରେଟରଙ୍କ ଏଭଳି ମେଳି ପରେ ଦଳ ପକ୍ଷରୁ ବାଇଁଆ ଓ ଲିଟୁକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଏଠାରେ ପ୍ରଶ୍ନ ଉଠୁଛି, ବାଇଁଆ ଓ ଲିଟୁ ପାଇଁ ବୁନୁ-ଅଶୋକ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ କରୁଛନ୍ତି? ଯଦି ତାଙ୍କ କଥା ଅନୁସାରେ ନିର୍ବାଚନରେ ଦଳ ବିରୋଧରେ କାର୍ଯ୍ୟ କରିଥିବା ଅଭିଯୋଗ ହେଉଥିବା ସବୁନେତାଙ୍କୁ ଦଳରୁ ନିଲମ୍ବନ କରାଯାଏ, ତେବେ ଦଳ ମୂଳପୋଛ ହୋଇଯିବନି ତ? ବୁନୁ-ଅଶୋକ ଦଳକୁ ସଜାଡିବାକୁ ଯାଇ ବିଜେଡିର ସର୍ବନାସ କରୁନାହାନ୍ତି ତ? ଏହି ଦୁଇନେତା ବିଜେପି ସହ ହାତ ମିଳାଇ ନାହାନ୍ତି ତ? ଏହା ପଛରେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ନାହିଁ ତ? ଏଭଳି ପ୍ରଶ୍ନ ଏବେ ଦଳୀୟ ମହଲରେ ଉଙ୍କି ମାରୁଛି ।
ଅନ୍ୟପକ୍ଷରେ, ନବୀନ ପଟ୍ଟନାୟକ ସାମ୍ବାଦିକତା କରୁଥିବା ଅଶୋକଙ୍କୁ ଦଳକୁ ଆଣି ମନ୍ତ୍ରୀ କରିଥିଲେ । ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳର ଆଭ୍ୟନ୍ତରୀଣ କଥା ଆଲୋଚନା କରୁଥିଲେ । ଏବେ ବିଜେଡି କ୍ଷମତାରୁ ଯିବା ପରେ ନବୀନ ବାବୁ ମାନସିକ ଯନ୍ତ୍ରଣାରେ ଜର୍ଜରିତ ଥିବା ବେଳେ ସେ ତାଙ୍କୁ ମେୟର ପଦ ଛଡାଇ ନେବାର ଧମକ ଦେଇ ବ୍ଲାକମେଲ୍ କରିବା ଏକ ପରିତାପର ବିଷୟ ।
ସେହିପରି କିଛିଦିନ ତଳେ ଏକ ଆପତ୍ତିଜନକ ଭାଇରାଲ ଭିଡ଼ିଓକୁ ନେଇ ବିଜେପି ଓ କଂଗ୍ରେସ ବୁନୁଙ୍କୁ କାଠଗଡାକୁ ଟାଣିଥିଲେ । ରାଜରାସ୍ତାରେ ନିଆଁ ଜାଳିଥିଲେ । ସେତେବେଳେ ନବୀନ ବାବୁ ତାଙ୍କୁ ସୁରକ୍ଷା ଦେଇଥିଲେ । ଏପରିକି ପରବର୍ତ୍ତୀ ସମୟରେ ତାଙ୍କୁ ଟିକେଟ ଦେଇ ଜିତାଇଥିଲେ । ହେଲେ ଏବେ ନିଜ ସ୍ୱାର୍ଥ ପାଇଁ ସେ ମଧ୍ୟ ନବୀନ ବାବୁଙ୍କୁ ବ୍ଲାକମେଲ୍ କରୁଛନ୍ତି । ତେବେ ଏହି ଦୁଇ ନେତା ପ୍ରକୃତରେ ଦଳର ହିତ ଚାହୁଁଛନ୍ତି ନା ବିଜେଡିକୁ ବୁଡାଇବାକୁ ଚେଷ୍ଠା କରୁଛନ୍ତି, ତାହା ସମୟ ହିଁ କହିବ ।