ଫେରେରା ଓ ଜାଡେଜା ଲଢିଲେ, ଖାତା ଖୋଲିପାରିଲେନି ୩ଜଣ ବିସ୍ଫାରକ ବ୍ୟାଟର
ହାଇଦ୍ରାବାଦ ୧୩।୦୪: ଆଇପିଏଲ୍ ୨୦୨୬ର ଏକବିଂଶ ମୁକାବିଲା ସନ୍ରାଇଜର୍ସ ହାଇଦ୍ରାବାଦ୍ର ବିଶାଳ ବିଜୟ ହୋଇଛି। ଘରୋଇ ମାଟିରେ ରାଜସ୍ଥାନ ରୟାଲ୍ସକୁ ହାଇଦ୍ରାବାଦ୍ ୫୭ ରନ୍ରେ ପରାସ୍ତ କରିଛି। ରାଜସ୍ଥାନର କିଛି ବିସ୍ଫୋରକ ବ୍ୟାଟର ଖାତା ଖୋଲିପାରି ନାହାନ୍ତି। ରାଜସ୍ଥାନ ଟିମ୍ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ୍ କରିଛି। ରାଜସ୍ଥାନର ଅଧିକାଂଶ ଖେଳାଳି ହାଇଦ୍ରାବାଦର ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ପ୍ରଫୁଲ୍ଲ ହିଙ୍ଗେ ଏବଂ ସାକିବ୍ ହୁସେନ ୪-୪ ୱିକେଟ୍ ନେଇଥିଲା ବେଳେ ଇଶାନ ମାଲିଙ୍ଗା ୨ଟି ୱିକେଟ୍ ନେଇଥିଲେ।
୨୧୭ ରନ୍ର ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ହାଇଦ୍ରାବାଦର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ସ୍କୋର ମାତ୍ର ୯ ରନ୍ରେ ଦଳ ଆଗଧାଡିର ୫ଜଣ ବ୍ୟାଟରଙ୍କୁ ହରାଇଥିଲା। ଏଥିରେ ବିସ୍ଫୋରକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ଲୁଆଡ ଡ୍ରି ପ୍ରିଟ୍ରିୟସ, ରିୟାନ ପରାଜ ଓ ଧ୍ରୁବ ଜୁରେଲ ସାମିଲ ଅଛନ୍ତି। ସୂର୍ଯ୍ୟବଂଶୀ, ଜୁରେଲ ଏବଂ ଲୁଆନ ଖାତା ଖୋଲିପାରି ନଥିଲେ।
ରାଜସ୍ଥାନ ପାଇଁ ଦୋନାଭାନ ଫେରାରିଆ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୪ଟି ବଲ୍ ସାମ୍ନା କରି ୬୯ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୭ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା। ସେହିପରି ୩୨ଟି ବଲ୍ ଖେଳି ୫ଟି ଚୌକା ସହାୟତାରେ ୪୫ ରନ୍ ସଂଗ୍ରହ କରିଥିଲେ ରବୀନ୍ଦ୍ର ଜାଡେଜା। ତୁଷାର ଦେଶପାଣ୍ଡେ ୧୧ଟି ବଲ୍ ଖେଳି ୩ଟି ଛକା ସହାୟତାରେ ୨୫ ରନ୍ ସଂଗ୍ରହ କରିଥିଲେ।
ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ରାଜସ୍ଥାନ ଟଚ୍ ଜିତିି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ଟିମ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା। ଈଶାନ କିଶନଙ୍କ ନେତୃତ୍ୱରେ ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୧୬ ରନ୍ ସଂଗ୍ରହ କରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୧୭ ରନ୍ ଟାର୍ଗେଟ ମିଳିଛି।
ହାଇଦ୍ରାବାଦ୍ ପାଇଁ ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦଳକୁ ଆରମ୍ଭରୁ ହିଁ ବଡ ଝଟକା ଲାଗିଥିଲା। ଯୁବ ବ୍ୟାଟର ଅଭିଷେକ ଶର୍ମା ଗୋଟିଏ ବଲ୍କୁ ସାମ୍ନା କରି କୌଣସି ରନ୍ ସଂଗ୍ରହ ନକରି ଆଉଟ୍ ହୋଇ ପାଭଲିଅନକୁ ଫେରିଯାଇଥିଲେ। ଫଳରେ ତାଙ୍କର ସ୍ଥାନ ପୂରଣ କରିବା ପାଇଁ ଅଧିନାୟକ ଈଶାନ କିଶନ ପଡିଆକୁ ପ୍ରବେଶ କରିଥିଲେ।
ନିଜ ଦଳ ପାଇଁ ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୪ଟି ବଲ୍ ଖେଳି ୯୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୮ଟି ଚୌକା ଏବଂ ୬ଟି ଛକା ସାମିଲ କରିଥିଲେ। ହେନରିକ କ୍ଲାସେଁ ୨୬ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୩ଟି ଛକା ବଳରେ ୪୦ ରନ୍ ସଂଗ୍ରହ କରିଥିଲେ। ଈଶାନ କିଶନ ଏବଂ ଟ୍ରାଭିସ୍ ହେଡ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୫ ରନ୍ ସଂଗ୍ରହ କରିଥିଲେ। ଟ୍ରାଭିସ୍ ହେଡ୍ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍ରେ ରହିପାରି ନଥିଲେ। ସେ ବ୍ୟକ୍ତିଗତ ଭାବେ ୧୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ ଏବଂ ୩ଟି ଚୌକା ମାରିଥିଲେ।
ଯୁବ ବ୍ୟାଟର ନୀତିଶ ରେଡ୍ଡୀ ବ୍ୟକ୍ତିଗତ ଭାବେ ୨୮ ରନ୍ ସଂଗ୍ରହ କରିଥିଲେ। ସେ ୧୩ଟି ବଲ୍ରୁ ୪ଟି ଛକା ମାରିଥିଲେ। ଅନିକେତ ବର୍ମା ୫ଟି ବଲ୍ ଖେଳି ୬ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଚୌକା ସାମିଲ ଥିଲା। ସଲିଲ ଅରୋରା ୧୩ଟି ବଲ୍ରୁ ୨ଟି ଚୌକା ଏବଂ ୨ଟି ଛକା ବଳରେ ଅପରାଜିତ ୨୪ ରନ୍ କରିଥିଲେ।

