jatra: ଭୁବନେଶ୍ୱର (ରିପୋଟର୍ସ ପେନ୍): ସୁପରଷ୍ଟାର ପିୟୁଷଙ୍କୁ ନେଇ ଯାତ୍ରା ମାଲିକଙ୍କ ବିବାଦ ତୁଟିନଥିବା ବେଳେ ଏବେ ଜଣେ କମେଡିଆନଙ୍କୁ ଡାକି ମାଲିକ ମାଡ ମାରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କମେଡି କିଙ୍ଗ୍ ନରୀ ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ତେବେ ଯାତ୍ରା ମାଲିକଙ୍କ ଏଭଳି ଗୁଣ୍ଡାଗିରିକୁ ନେଇ କଳାକାରଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ମାଡ ମାରିବା ଘଟଣାକୁ ନେଇ ନିଜେ ନରୀ ପଣ୍ଡା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ମୋ ବୟସ ୫୨ ବର୍ଷ ଏବଂ ଯାତ୍ରାରେ ପ୍ରାୟ ୩୨ ବର୍ଷ ସମୟ ଅତିବାହିତ କରିସାରିଲିଣି । କିନ୍ତୁ ଏ ପରିସ୍ଥିତି କେବେ ଭୋଗିନଥିଲି । ମୁଁ କୋଣାର୍କ ଗଣନାଟ୍ୟରେ ଦୀର୍ଘ ବର୍ଷ ଧରି ରହିଥିଲି ଏବଂ କଳିଙ୍ଗ ଗଣନାଟ୍ୟରେ ମଧ୍ୟ କିଛି ବର୍ଷ କାମ କରିଛି । ଏଥିସହ ଅନ୍ୟାନ୍ୟ ପ୍ରମୁଖ ଯାତ୍ରା ପାର୍ଟିରେ ମଧ୍ୟ କିଛି ବର୍ଷ କାମ କରିଛି । ଏବେ ୩ ବର୍ଷ ଧରି ସ୍ୱପ୍ନମହଲରେ କାର୍ଯ୍ୟ କରୁଛି । ଆଗାମି ଯାତ୍ରା ଋତୁ ପାଇଁ ନରୀ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ କଥା ହୋଇଥିଲେ ।
ଏନେଇ ଚୁକ୍ତି ହେବା ସହ ଅଗ୍ରିମ ଟଙ୍କା ମଧ୍ୟ ନରୀଙ୍କୁ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତୁଳସୀ ଗଣନାଟ୍ୟ ପକ୍ଷରୁ ନରୀଙ୍କୁ ଆଭଏଡ କରାଯାଇଥିଲା । ନରୀଙ୍କ ଫୋନ୍ ମଧ୍ୟ ରିସିଭ୍ କରିନଥିଲେ ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁ । ତେଣୁ ନିଜ ପତ୍ନୀଙ୍କ ମାଧ୍ୟମରେ ନରୀ ତାଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ନରୀଙ୍କ ପତ୍ନୀ ବୋଲି ଜାଣିବା ପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନାଣ୍ଡୁ ବାବୁ ଫୋନ କାଟିଦେଇଥିବା ନରୀ ଅଭିଯୋଗ କରିଛନ୍ତି । କଥାବାର୍ତ୍ତା ସମୟର ଫୋନକଲ୍ ରେକର୍ଡିଂ ମଧ୍ୟ ରହିଛି ବୋଲି ନରୀ କହିଛନ୍ତି । ପରବର୍ତ୍ତୀ ସମୟରେ ନାଣ୍ଡୁ ବାବୁଙ୍କ ସହ ଯୋଗାଯୋଗ ହେବା ପରେ ନରୀ କହିଥିଲେ ଯେ, ଆପଣଙ୍କ ବ୍ୟବହାର ମତେ ଭଲ ଲାଗୁନାହିଁ ତେଣୁ ଆପଣଙ୍କ ଯାତ୍ରାପାର୍ଟିରେ ମୁଁ କାର୍ଯ୍ୟ କରିବାକୁ ଉଚିତ ମଣୁନାହିଁ । ଏଣୁ ଆପଣଙ୍କ ଟଙ୍କା ଫେରସ୍ତ କରିଦେବି ।