ପଶ୍ଚିମବଙ୍ଗ ସମସ୍ୟା ସମାଧାନ କରିବେ ଓଡିଶା ଓ ଝାଡଖଣ୍ଡର ବିଚାରପତି

Reporterspen

ନୂଆଦିଲ୍ଲୀ,୨୪।୨: ଭୋଟର ତାଲିକାର ସ୍ପେଶାଲ ଇନଟେନସିଭ୍ ରିଭିଜନ୍ (SIR)କୁ ନେଇ ବହୁ ଦିନ ଧରି ଦେଶବ୍ୟାପୀ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଡକ୍ୟୁମେଣ୍ଟ ଯାଞ୍ଚ ଠାରୁ ଆରମ୍ଭ କରି ନାଁରେ ତ୍ରୁଟି ପର୍ଯ୍ୟନ୍ତ। ଏବେ ପକ୍ରିୟାକୁ ଗତିଶୀଳ କରିବାକୁ ପ୍ରାୟ ୮୦ ଲକ୍ଷ ‘ଲଜିକାଲ ଡିସ୍ପ୍ରେନ୍ସି’ ଭଳି ମାମଲାକୁ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସମ୍ବିଧାନର ଧାରା୧୪୨ ଅନୁଯାୟୀ ଅତିରିକ୍ତ ନ୍ୟାୟିକ ନିୟୋଜନକୁ ଅନୁମତି ପ୍ରଦାନ କରିଛନ୍ତି।

ସୁପ୍ରିମକୋର୍ଟରେ ଏକ ଶୁଣାଣି ସମୟରେ, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କଲିକତା ହାଇକୋର୍ଟରେ ବର୍ତ୍ତମାନ ୨୨୦ ଜଣ ADJ-ସ୍ତରୀୟ ବିଚାରପତି ଅଛନ୍ତି। ଯଦିଓ ଜଣେ ବିଚାରପତି ପ୍ରତିଦିନ ୨୦୦ ମାମଲା ଶୁଣାଣି କରନ୍ତି, ତଥାପି ଆପତ୍ତିଗୁଡ଼ିକର ସମାଧାନ ପାଇଁ ଅତି କମରେ ୮୦ଦିନ ସମୟ ଲାଗିବ। ଏହି ସମସ୍ୟାର ସମାଧାନ ପାଇଁ, ସୁପ୍ରିମକୋର୍ଟ ତିନି ବର୍ଷର ଅଭିଜ୍ଞତା ଥିବା ସିଭିଲ୍ ଜଜ୍ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ଦ୍ୱାରା ଏବେ ‘ଲଜିକାଲ ଡିସ୍ପ୍ରେନ୍ସି’ ଏବଂ ‘ଅନମ୍ୟାପଡ୍’ ବର୍ଗରେ ୮୦ଲକ୍ଷ ମାମଲା ସମାଧାନ କରିବା ପାଇଁ ଝାଡ଼ଖଣ୍ଡ ଏବଂ ଓଡ଼ିଶାରୁ ବିଚାରପତିମାନଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଭାରତୀୟ ସମ୍ବିଧାନର ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟଙ୍କୁ ଯେକୌଣସି ବିଚାରାଧୀନ ମାମଲାର ସମାଧାନ ପାଇଁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରେ, ଯାହା ‘ସମ୍ପୂର୍ଣ୍ଣ ନ୍ୟାୟ’ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାର ଅନୁମତି ଦିଏ। ଏହି ନିଷ୍ପତ୍ତି ସମ୍ପର୍କରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ଯଦି ପଡ଼ୋଶୀ ରାଜ୍ୟ ଏହାର ଅଧିକାରୀମାନଙ୍କୁ ପଠାଏ, ତେବେ ସେମାନଙ୍କର ଭାଷା ସମସ୍ୟା ହୋଇପାରେ। ଏହି ସମୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ଓଡ଼ିଶା ଏବଂ ଝାଡ଼ଖଣ୍ଡ ଏକ ସମୟରେ ବଙ୍ଗଳାର ଅଂଶ ଥିଲା, ତେଣୁ ସେମାନେ ଭାଷା ବୁଝିପାରିବେ।


Reporterspen