ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ପୃଷ୍ଠଭୂମିରେ ଏହି ଉତ୍ସବ ଦେଶ ବିଦେଶର କଳାପ୍ରେମୀ ମାନଙ୍କ ପାଇଁ ଆକର୍ଷଣର ଅନ୍ୟତମ କେନ୍ଦ୍ର । ଶାସ୍ତ୍ରୀୟ ନୃତ୍ୟ ଗୁଡିକ କେବଳ ଏକ ଆର୍ଟ ଫର୍ମ ନୁହେଁ, ଏହା ହେଉଛି କଳା ମାଧ୍ୟମରେ ଆଧ୍ୟାତ୍ମିକତାର ଏକ ମହାନ ଅନୁଭବ, ଇଶ୍ୱର ପ୍ରାପ୍ତିର ଏକ ମାର୍ଗ । କୋଣାର୍କ ଉତ୍ସବ ଏବଂ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ସେ ଆହୁରି କହିଥିଲେ ଯେ, କୋଣାର୍କ ଉତ୍ସବ ହେଉଛି ଆମ ଓଡିଶାର ସାଂସ୍କୃତିକ ଅସ୍ମିତାର ଏକ ଉଜ୍ଜ୍ୱଳ ପରିଚୟ । ଏହି ଉତ୍ସବ କେବଳ ଓଡିଶାର କଳା ନୁହେଁ, ବରଂ ଓଡିଶାର ସାମଗ୍ରିକ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଚଳିତ ବର୍ଷ ଓଡିଶୀ ସହିତ ଭାରତନାଟ୍ୟମ, କଥାକଳୀ, ମଣିପୁରୀ ଓ କଥକ ଆଦି ନୃତ୍ୟ ପରିବେଷଣ ପାଇଁ ବିଭିନ୍ନ ରାଜ୍ୟରୁ ନୃତ୍ୟ ଶିଳ୍ପୀମାନେ ଆସିଛନ୍ତି । ଏହି ମଞ୍ଚରେ ଭାରତର ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ଆମ ଦେଶର ସାଂସ୍କୃତିକ ସମ୍ପଦକୁ ବଞ୍ଚାଇ ରଖିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ବୋଲି ସେ କହିଥିଲେ ।
ଏହି ଅବସରରେ ଅନୁଷ୍ଠିତ ହେଉଥିବା ସୁଭଦ୍ରା ଶକ୍ତି ମେଳାକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ସହିତ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ଅର୍ଗାନିକ ଉତ୍ପାଦ ସହିତ ୨୦୦ରୁ ଅଧିକ ସାମଗ୍ରୀର ପ୍ରଦର୍ଶିତ ହେଉଛି । ପ୍ରାୟ ୨୦୦ରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ୧୫୦ଟି ଷ୍ଟଲରେ ସେମାନଙ୍କର ସାମଗ୍ରି ପ୍ରଦର୍ଶିତ କରୁଛନ୍ତି । ଏହି ମେଳା ଦ୍ୱାରା ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟ ପ୍ରତି ଜାତୀୟ ଓ ଅନ୍ତର୍ଜାତୀୟ ମାର୍କେଟରେ ଆଗ୍ରହ ସୃଷ୍ଟି ହେବ । ଆଗାମୀ ଦିନରେ ସୁଭଦ୍ରା ଶକ୍ତି ମା’ମାନେ ନିଜର କଳା, ପରିଶ୍ରମ ଓ ବ୍ୟବସାୟିକ ସାମର୍ଥ୍ୟ ଯୋଗୁ ସ୍ୱଚ୍ଛଳ ହେବା ସହିତ ଉଦ୍ୟୋଗୀ ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡ, ପୁରୀ ବିଧାୟକ ସୁନିଲ ମହାନ୍ତି, ପିପିଲି ବିଧାୟକ ଆର୍ଶିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଓଡିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।
ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଇଥାଏ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ । ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ ୧୪୦ ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ ୪୦ ଜଣ ମହିଳା ଓ ୯୫ ଜଣ ପୁରୁଷ । ସ୍ପେନ୍, ରୁଷିଆ, ଜାପାନ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କାରୁ ପ୍ରାୟ ୫ ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି ଚନ୍ଦ୍ରଭାଗା ବେଳାଭୂମିରେ ତାଙ୍କ କଳାନୈପୁଣ୍ୟକୁ ରୂପ ଦେବା ପାଇଁ । କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନରେ ଥିଲା ସୋନାଲୀ ମହାପାତ୍ରଙ୍କ ନୃତ୍ୟ ଅନୁଷ୍ଠାନ ନୃତ୍ୟ ଉପାସନା ପିଠର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ସେମାନଙ୍କ ପ୍ରଥମ ପ୍ରସ୍ତୁତିରେ ଥିଲା ସନ୍ଥ ତୁଳସୀଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅଭିରାମ ନନ୍ଦ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ସୋନାଲୀ ମହାପାତ୍ର । ସେମାନଙ୍କ ଦିତୀୟ ପ୍ରସ୍ତୁତିରେ ଥିଲା ସାରଙ୍ଗ ପଲ୍ଲବୀ ଏକ ଶୁଦ୍ଧ ନୃତ୍ୟ ଖଣ୍ଡ ଯେଉଁଥିରେ ଗତି ଏବଂ ସଙ୍ଗୀତ ଏକ ପ୍ରସ୍ଫୁଟିତ ଫୁଲ ପରି ସୁନ୍ଦର ଭାବରେ ପ୍ରକଟିତ ହୁଏ । ଏହା ରାଗର ସୌନ୍ଦର୍ଯ୍ୟକୁ ବିସ୍ତାରିତ କରେ, ତାଳ, ମାଧୁର ଏବଂ ନୃତ୍ୟ ନିର୍ଦ୍ଦେଶନାକୁ ଏକ ସୁସଙ୍ଗତ ଠାଣିରେ ବାନ୍ଧିରଖେ ଯାହାର ନୃତ୍ୟ ସଂରଚନା ଗୁରୁ ସୋନାଲି ମହାପାତ୍ର ଓ ସଙ୍ଗୀତ ଏବଂ ତାଳ ସଂଯୋଜନା ନିର୍ମଳ କୁମାର ମହାପାତ୍ର କରିଥିଲେ । ଶେଷରେ ନୃତ୍ୟ ଉପାସନା ପିଠର ଶିଳ୍ପୀମାନଙ୍କ ପ୍ରସ୍ତୁତିରେ ଥିଲା ଚାରି ଯୁଗ ଦେବୀ । ଯେଉଁଥିରେ ଦେବୀ ଦୁର୍ଗାଙ୍କ ଶକ୍ତି ଏବଂ ଦିବ୍ୟ ଶକ୍ତିକୁ ବର୍ଣ୍ଣନା କରଯାଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ସୋନାଲି ମହାପାତ୍ର, ଓ ସଙ୍ଗୀତ ଏବଂ ତାଳ ସଂଯୋଜନା କରିଥିଲେ ନିର୍ମଳ କୁମାର ମହାପାତ୍ର ।
ପ୍ରଥମ ସନ୍ଧ୍ୟାର ଦିତୀୟ ତଥା ଶେଷ ଉପସ୍ଥାପନରେ ଥିଲା ଡକ୍ଟର ଆନନ୍ଦ ଶଙ୍କର ଜୟନ୍ତଙ୍କ ଶଙ୍କରାନନ୍ଦ କାଳକ୍ଷେତ୍ର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ ହୋଇଥିଲା । ସେମାନେ ପ୍ରଥମେ ଭକ୍ତ ରାମଦାସଙ୍କ ଦ୍ୱାରା ସରଳ ତେଲୁଗୁ ଭାଷାରେ ରଚିତ ମହାବିଷ୍ଣୁଙ୍କ ଦଶାବତାରକୁ ନେଇ ବର୍ଣ୍ଣିତ ଦଶାବତାରମ୍ ପରିବେଷଣ କରିଥିଲେ ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ଦେବୀ ଉପସକମ୍ ଏବଂ ଶେଷରେ କବିତା, ପଦ୍ୟ, ସୁର ଏବଂ କାଳଜୟୀ ସଙ୍ଗୀତର ତାଳର ମୁଖବନ୍ଧ, ଭାରତନାଟ୍ୟମର ସ୍ଥାପତ୍ୟ, ସୌନ୍ଦର୍ଯ୍ୟ ଏବଂ ବ୍ୟାକରଣ ମାଧ୍ୟମରେ, ଏହା ସର୍ବଜ୍ଞ, ସର୍ବବ୍ୟାପୀ ଭଗବାନ ଶିବଙ୍କୁ ଆଣିବା ପାଇଁ ଏକ ଅର୍ଘ୍ୟ ଶିଭୋହମ୍ ପ୍ରସ୍ତୁତ କରିଥିଲେ ଶିଳ୍ପୀମାନେ ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ଆନନ୍ଦ ଶଙ୍କର ଜୟନ୍ତ ।
ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ସହଯୋଗ କରିଥିଲେ ଡକ୍ଟର ସଂଗୀତା ଗୋସାଇଁ ।

