ବିଜେପିରୁ ମମତା ଓ ସ୍ୱାଧିନ ଭାବେ ଜଗନ୍ନାଥଙ୍କ ପ୍ରାର୍ଥୀପତ୍ର ଦାଖଲ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟସଭା ନିର୍ବାଚନ ଲାଗି ଆଜି ବିଜେପିରୁ ମମତା ମହାନ୍ତ ଓ ସ୍ୱାଧିନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ବିଜେପି ମମତା ମହନ୍ତଙ୍କ ନାଁ ଘୋଷଣା କରିଥିବା ବେଳେ ଜଗନ୍ନାଥ ପ୍ରଧାନ ହଠାତ ସ୍ୱାଧିନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜ୍ୟସଭା ପାଇଁ କୁଡୁମୀ ସଂପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିଲେ । ଆଜି ଆଜି ପୂର୍ବାହ୍ଣରେ ସେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲେ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂହ ତୋମାରଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ସାଧାରଣ ନିର୍ବାଚନ ପରେ ପରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ସେ ବିଜେପିରେ ସାମିଲ ହୋଇଥିଲେ ।

ଏହାର କିଛି ସମୟ ପରେ ଅର୍ଥାତ ଅପରାହ୍ଣରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଧାୟକଙ୍କ ସହ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି । ତାଙ୍କ ନାମାଙ୍କନରେ ୧୦ଜଣ ବିଧାୟକ ପ୍ରସ୍ତାବକ ପଡ଼ିଛନ୍ତି । ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି ।

ତେବେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ ଆଜି କାହିଁକି ନାମାଙ୍କନ ଦାଖଲ କଲେ, ତାହା ଜଣାପଡ଼ିନାହିଁ । କୁହାଯାଉଛି, ଜଗନ୍ନାଥ ପ୍ରଧାନ ଔପଚାରିକ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କାରଣ ବିଜେପି କୌଣସିମତେ ରାଜ୍ୟସଭା ସିଟ୍ ହାତଛଡା କରବାକୁ ଚାହୁଁନାହିଁ । ଯଦି କୌଣସି ତ୍ରୁଟି ଯୋଗୁଁ ମମତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଏ, ତେବେ ଜଗନ୍ନାଥଙ୍କ ପ୍ରାର୍ଥୀପତ୍ର କାଏମ ରହିବ । ଯଦି ମମତାଙ୍କର ପ୍ରାର୍ଥୀପତ୍ର କାଏମ ରୁହେ, ତେବେ ଜଗନ୍ନାଥ ନିର୍ବାଚନରୁୁ ଓହରି ଯିବେ । ଅନ୍ୟପକ୍ଷରେ ଏହା ବିଜେପି ଦଳରେ ବିଦ୍ରୋହର ଏକ ନମୁନା ବୋଲି ବିରୋଧିମାନେ କହୁଛନ୍ତି ।

ଉଲ୍ଲେଖଥାଉ, ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସେ ତାଙ୍କ ନିକଟତର ପ୍ରତିଦ୍ୱନ୍ଦ୍ୱୀ ଅନନ୍ତ ନାରାୟଣ ଜେନାଙ୍କ ଠାରୁ ୩୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଏପରିକି ପୁନଃ ଭୋଟ ଗଣତି ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି ।


Reporterspen