Political News: ବିଜୟ ମହାପାତ୍ରଙ୍କୁ ଭେଟିଲେ ମହମ୍ମଦ ମୋକିମ, ନୂଆ ଦଳ ଚର୍ଚ୍ଚା ଜୋର ଧରିଲା

Reporterspen

Political News: ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌): କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ ଆଜି ବରିଷ୍ଠ ରାଜନେତା ବିଜୟ ମହାପାତ୍ରକୁ ଭେଟିଛନ୍ତି । ତାଙ୍କ ଭୁବନେଶ୍ୱର ବାସଭବନରେ ପହଁଚି ମୋକିମ ଶ୍ରୀ ମହାପାତ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଆଗମୀ କାର୍ଯ୍ୟପନ୍ଥା ନେଇ ମୋକିମ ଆଲୋଚନା କରିଥିବା କୁହାଯାଉଛି । ବିଶେଷ କରି ନୂଆ ଆଂଚଳିକ ଦଳ ଗଢିବା ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି । ପୂର୍ବରୁ ବିଜୟ-ମୋକିମ ଏନେଇ ସଙ୍କେତ ଦେଇଥିଲେ । ଏବେ ଏହି ସାକ୍ଷାତ ପର୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅପରପକ୍ଷରେ ୨୦୨୬ରେ ଓଡିଶା ରାଜନୀତିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପରାଜୟ ପରେ ବିଜେଡି ଶକ୍ତି ହରାଉଥିବା ବେଳେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ବଳ ଗୋଟାଉଛି । ଏସବୁ ଭିତରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବୟାନ ରାଜ୍ୟ ରାଜନୀତିରେ ଭୃକ୍ରୁଞ୍ଚନ ସୃଷ୍ଟି କରିଛି । ଶାସନତନ୍ତ୍ରରୁ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଓଡିଶା ରାଜନୀତି କଡ ଲେଉଟାଇବା ଆରମ୍ଭ କରିଛି । କିଛି ନେତା ବିଜେଡି ଶିବିରରୁ ବିଜେପି କ୍ୟାମ୍ପକୁ ଡିଆଁ ମାରିଛନ୍ତି । ବିଜେଡିରେ ଭବିଷ୍ୟତ ନଥିବା ଆକଳନ କରି କିଛି ନେତା ବିକଳ୍ପ ସନ୍ଧାନରେ ଅଛନ୍ତି । ଏଭଳି ସ୍ଥିତିରେ ଓଡିଶା ରାଜନୀତିର ଧୂରନ୍ଧର ବିଜୟ ମହାପାତ୍ରଙ୍କ ବୟାନ ଅନେକ କିଛି ଇସାରା କରୁଛି । ନବୀନଙ୍କ ଜିଲ୍ଲାରୁ ବିଜୟଙ୍କ ‘ଓଡିଶା ରାଜନୀତି ବଡ ପରିବର୍ତ୍ତନ ଦେଖିବ’ ବୟାନ ବିକଳ୍ପ ଖୋଜୁଥିବା ନେତାଙ୍କ ମନରେ ବିଶ୍ୱାସ ଜନ୍ମାଇଛି । ଏସବୁ ଭିତରେ ରାଜ୍ୟ ରାଜନୀତିର ଅନେକ ପୁରୁଖା ଓ ଅନୁଭବୀ ନେତାଙ୍କ ଲୁଚାଛପା ବୈଠକ, ନୂଆ ଆଞ୍ଚଳିକ ଦଳ ଗଠନକୁ ବଳ ଦେଉଛି ।

ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ସେତେବେଳେ ବଢିଛି ଯେତେବେଳେ ରାଜ୍ୟର ଅନେକ ବରିଷ୍ଠ ଓ ଯୁବ ନେତୃତ୍ୱ ନିଜର ରାଜନୈତିକ କ୍ୟାରିୟର ସଜାଡିବାକୁ ନେବାକୁ ଜାତୀୟ ଦଳ ଉପରେ ଭରସା କରିପାରୁନାହାନ୍ତି । ବିଜେଡିରୁ ବିଦା ହୋଇଥିବା ଅନେକ ନେତା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ବିଜୟ ମହାପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ମହମ୍ମଦ ମୋକିମ, ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ଖାରବେଳ ସ୍ୱାଇଁ, ଭୂପିନ୍ଦର ସିଂଙ୍କ ଭଳି ଅନେକ ନେତା ମଝିରେ ମଝିରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ବଳ ଦେଉଛନ୍ତି । ଏସବୁ ଭିତରେ କଂଗ୍ରେସରୁ ବିଦା ହୋଇଥିବା ମହମ୍ମଦ ମୋକିମ ବିଜୟଙ୍କୁଚ ଭେଟିବା ଚର୍ଚ୍ଚାକୁ ଜୋରଦାର କରିଛି । ଏହାବାଦ୍ ବିଜେଡି ଓ କଂଗ୍ରେସରେ ଅଲୋଡା ଏବଂ ବିଜେପିରେ ଅସନ୍ତୁଷ୍ଟ ଥିବା ନେତା ମଧ୍ୟ ନୂଆ ଆଞ୍ଚଳିକ ଦଳ ଗଠନକୁ ଭିତିରି ସମର୍ଥନ ଦେଉଛନ୍ତି । ଏମିତି ବି ଚର୍ଚ୍ଚା ହେଉଛି, ପଞ୍ଚାୟତ ନିର୍ବାଚନର ଫଳାଫଳକୁ କିଛି ନେତା ଅପେକ୍ଷା କରିଛନ୍ତି । ଏହାପରେ ହୁଏତ ଓଡିଶା ରାଜନୀତି କଡ ଲେଉଟାଇପାରେ ।

ସେପଟେ ମୋକିମ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ରୀୟ ନେତାଙ୍କ ସହ କଥା ହେବା ପରେ ସେ କହିଛନ୍ତି ଯେ, ମୁଁ ଚିଠିରେ ଯାହା ସବୁ ଲେଖିଥିଲି ସେ ବାବଦରେ କେନ୍ଦ୍ରୀୟ ନେତା ପଚାରି ବୁଝିଛନ୍ତି । ଏଥିସହ ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ କେନ୍ଦ୍ରୀୟ ନେତା ମୋତେ ପଚାରିଛନ୍ତି ବୋଲି ମୋକିମ କହିଛନ୍ତି । ମୋ ଚିଠିର ପ୍ରଭାବ ପଡିଛି ତେଣୁ ଆଶା କରୁଛି ଏହାର ସଠିକ୍ ତର୍ଜମା କରାଯିବ । ମୁଁ ରାଜନୀତି କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ରାଜନୀତି କରିବି । ଖୁବ କମ୍ ଦିନ ଭିତରେ ନିଜର ନିଷ୍ପତ୍ତି ସମସ୍ତଙ୍କୁ ଜଣାଇବି ବୋଲି ମୋକିମ କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, କଂଗ୍ରେସ୍ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ୱିତ ହେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଅତ୍ୟନ୍ତ ଶାନ୍ତ ଏବଂ ସ୍ମିତହାସ୍ୟ ଓଠରେ ପ୍ରତିକ୍ରିୟା ଦେଇ ମୋକିମ୍ କହିଥିଲେ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ବାକ୍ୟ କୁହନ୍ତି, ‘ଡରୋ ମତ୍‌’ ସେହିଥିରେ ଅନୁପ୍ରାଣିତ ହୋଇଛି । କଂଗ୍ରେସ ଦଳ ଭିତରେ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଯାହା ଦ୍ୱାରା ଦଳ ସାରା ଭାରତବର୍ଷରେ ଧିରେ ଧିରେ ଦୁର୍ବଳ ହେଇଯାଉଛି । ଓଡ଼ିଶାରେ ମଧ୍ୟ ୬ଟି ନିର୍ବାଚନରେ ପରାଜୟ ବରଣ କରିଛି କଂଗ୍ରେସ ଦଳ । ସେସମ୍ପର୍କରେ ମୁଁ ସୋନିଆ ଗାନ୍ଧୀଙ୍କୁ ଏକ ପତ୍ର ଲେଖି ସତ ଜଣାଇଥିଲି । ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ଏହା ପ୍ରଘଟ ହୋଇଥିଲା । କେବଳ ଓଡ଼ିଶାରେ ନୁହେଁ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ପତ୍ର ଦେଖିବାକୁ ମିଳିଥିଲା ତେଣୁ ସମସ୍ତ ଗଣମାଧ୍ୟମକୁ ମୋକିମ ଧନ୍ୟବାଦ ଜଣାଇଥିଲେ ।


Reporterspen