ସତ୍ୟବ୍ରତ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ, ପ୍ରେମିକା ନିର୍ଦ୍ଦୋଷ
ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ଭୁବନେଶ୍ୱରର ନୀଳାଦ୍ରୀ ବିହାରରେ କାର ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟାକାଣ୍ଡର ଖୁଲାସା ହୋଇଛି । ତ୍ରିକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଛି । ସତ୍ୟବ୍ରତ ପ୍ରଧାନଙ୍କୁ ଲିଜାର ପ୍ରେମିକ ଦିନେଶ ନାୟକ ହତ୍ୟା କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେଏସିପି ସୋନାଲ ସିଂହ ପରମାର ଏହି ସୂଚନା ଦେଇଛନ୍ତି ।
ପୋଲିସ ସୂଚନା ଅନୁସାରେ, ଉଭୟ ସତ୍ୟବ୍ରତ ପ୍ରଧାନ ଓ ଦିନେଶ ନାୟକ ବିବାହିତ ହୋଇ ସୁଦ୍ଧା ପାର୍ଲରେ କାମ କରୁଥିବା ଲିଜାଙ୍କୁ ଭଲ ପାଉଥିଲେ । ଲିଜାଙ୍କ ସହିତ ପ୍ରଥମେ ଜଗତସିଂହପୁରର ଦିନେଶଙ୍କ ସଂପର୍କ ଗଢିଉଠିଥିଲା । ଲିଜା ଓ ଦିନେଶଙ୍କ ମଧ୍ୟରେ ୩ ବର୍ଷ ଧରି ପ୍ରେମ ସଂପର୍କ ଥିଲା । ସେମାନେ କିଛି ଦିନ ଲିଭ୍-ଇନ୍ରେ ମଧ୍ୟ ରହିଥିଲେ । ତା’ପରେ ଲିଜାଙ୍କ ଜୀବନକୁ ଆସିଥିଲେ ସତ୍ୟବ୍ରତ । ଦୁଇ ମାସ ହେଲାଣି ଲିଜା କେଣସି କାରଣକୁ ନେଇ ଦିନେଶଙ୍କ ଠାରୁ ଦୂରେଇ ରହୁଥିଲେ । ତେଣୁ ଦିନେଶ ତାଙ୍କ ଉପରେ ସନ୍ଦେହ କରୁଥିଲେ । ଲିଜାଙ୍କର ଆଉ କାହା ସହିତ ସଂପର୍କ ଥିବା ସେ ସନ୍ଦେହ କରୁଥିଲେ । ଦୁଇ ମାସ ହେଲାଣି ସେ ଜଗତସିଂହପୁର ପଳାଇଥିଲେ ସୁଦ୍ଧା ଫୋନ୍ରେ ଲିଜାଙ୍କ ସହିତ ଯୋଗାଯୋଗରେ ଥିଲେ । ସତ୍ୟବ୍ରତଙ୍କ ସହିତ ମଧ୍ୟ ଲିଜାଙ୍କର ସଂପର୍କ ଥିବା ସେ ଜାଣି ନଥିଲେ । ଦନେଶ ଓ ସତ୍ୟବ୍ରତ ମଧ୍ୟ ପରସ୍ପରକୁ ଜାଣି ନଥିଲେ ।
ଗତ ରବିବାର ଦିନେଶ ବାରମ୍ବାର ଲିଜାଙ୍କୁ କଲ୍ ଓ ଭିଡିଓ କଲ୍ କରିଥିଲେ । କିନ୍ତୁ ଲିଜା ରିସିଭ୍ କରି ନଥିଲେ । ତେଣୁ ଦିନେଶଙ୍କର ସନ୍ଦେହ ହୋଇଥିଲା । ସେ କାରରେ ଜଗତସିଂହପୁରରୁ ଭୁବନେଶ୍ୱର ଆସିଥିଲେ ଓ ସିଧା ଯାଇ ଲିଜା ରୁମରେ ପହଞ୍ଚିଥିଲେ । ରାତି ଗୋଟାଏରେ ସେ ଲିଜାଙ୍କ ଘରେ ପହଞ୍ଚିଥିଲେ । ସେଠାରେ ସେ ଲିଜାଙ୍କ ସହିତ ସତ୍ୟବ୍ରତଙ୍କୁ ଦେଖିଥିଲେ ।
ପ୍ରେମିକାଙ୍କୁ ଅନ୍ୟ ଜଣେ ଯୁବକ ସହ ଦେଖି ଦିନେଶ ରାଗିଯାଇଥିଲେ । ସତ୍ୟବ୍ରତ ଓ ଦିନେଶଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସେହି ସମୟରେ ଦିନେଶ ଏକ ଛୁରୀରେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲେ । ସେ ସତ୍ୟବ୍ରତଙ୍କ ତଣ୍ଟି ଓ ଛାତିରେ ଛୁରୀ ଭୁଷି ଦେଇଥିଲେ । ଲିଜା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସତ୍ୟବ୍ରତ ଗୁରୁତର ଅବସ୍ଥାରେ ଘରୁ ଦୌଡି ପଳାଇଥିଲେ । ସେ ମଙ୍ଗଳା ମନ୍ଦିର ନିକଟରେ ଅଚେତ ହୋଇ ପଡିଯାଇଥିଲେ । ଲିଜା ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇ ଦେଇଥିଲେ । ଇତି ମଧ୍ୟରେ ଦିନେଶ କାରରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଯେତେବେଳେ ଦିନେଶ ଦେଖିଲେ ପୋଲିସ ସିସିଟିଭି ଫୁଟେଜ୍, କଲ ରେକର୍ଡ ଆଦି ଯାଞ୍ଚ କରି ତାଙ୍କୁ ଖୋଜୁଛି, ସେ ଆତ୍ମସମର୍ପଣ କରି ଦେଇଥିଲେ ।
ତ୍ରିକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଏସିପି ସୋନାଲ ସିଂହ ପରମାର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦିନେଶ ଏକମାତ୍ର ଅଭିଯୁକ୍ତ । ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଲିଜାଙ୍କୁ ନେଇ ଏହି ତ୍ରିକୋଣୀୟ ପ୍ରେମ କାହାଣୀ ଗଢିଉଠିଥିଲା ବେଳେ ସତ୍ୟବ୍ରତଙ୍କ ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ନାହିଁ । ହତ୍ୟାକାଣ୍ଡ ପଛରେ କୌଣସି ଷଡଯନ୍ତ୍ର ନ ଥିବା ମଧ୍ୟ ସ୍ପଷ୍ଟ ହୋଇଛି ।
ଗୋଟିଏ ରୁମ୍ରେ ଲିଜା ଓ ସତ୍ୟବ୍ରତଙ୍କୁ ପାଇ ଦିନେଶ ଆକ୍ରମଣ କରିଥିଲେ । ଲିଜା ସତ୍ୟବ୍ରତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ତେଣୁ ତାଙ୍କର ହତ୍ୟାରେ ସମ୍ପୃକ୍ତି ନାହିଁ । ସତ୍ୟବ୍ରତ ଯେଉଁ କାର୍ ଚଳାଉଥିଲେ ତାହାକୁ ମାଲିକ ନେଲା ବେଳେ ଦୁର୍ଘଟଣା ଘଟିଥିଲା । କାର୍ ମାଲିକ କାର ନେଇଯିବା ପାଇଁ ଯେଉଁ ଡ୍ରାଇଭରଙ୍କୁ ପଠାଇଥିଲେ ସେ ମଦ ପିଇ ଗାଡି ଚଲାଉଥିବାରୁ ଦୁର୍ଘଟଣା ଘଟିଥିଲା ।
ଆତ୍ମସମର୍ପଣ ପରେ ଦିନେଶ ଗିରଫ
ଅଭିଯୁକ୍ତ ଦିନେଶ ନାୟକଙ୍କ ଘର ଜଗତସିଂହପୁର ଜିଲା ବାଲିକୁଦା ଥାନା ଅରିଲୋ ଗାଁରେ । ମଙ୍ଗଳବାର ରାତିରେ ଦିନେଶ ଚାଲି ଚାଲି ଆସି ଜଗତସିଂହପୁର ସଦର ଥାନାରେ ପହଞ୍ଚିଥିଲେ । ସେ ହତ୍ୟା କରିଥିବା ଓ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ପୋଲିସକୁ କହିଥିଲେ । ଖବର ପାଇବା ପରେ କମିଶନରେଟ ପୋଲିସ ଜଗତସିଂହପୁର ପହଞ୍ଚିଥିଲା ଓ ଦିନେଶକୁ ଭୁବନେଶ୍ୱର ଆଣିଥିଲା । ଦିନେଶଙ୍କ ବାପାମା’ ନାହାନ୍ତି । ସେମାନଙ୍କର ପରଲୋକ ହୋଇଯାଇଛି । ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିବା ଦିନେଶଙ୍କ ଘରେ ତାଙ୍କ ସ୍ତ୍ରୀ ଓ ଝିଅ ଅଛନ୍ତି । ଲିଜା ସହିତ ସମ୍ପର୍କ ଗଢିଉଠିବା ପରଠୁ ସେ ଆଉ ନିୟମିତ ଘରକୁ ଯାଉ ନଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ସେ ଗାଡି ଡ୍ରାଇଭର ଭାବରେ ପ୍ରଥମେ କଟକ ଓ ପରେ ଭୁବନେଶ୍ୱରରେ କାମ କରୁଥିଲା । ଲିଜା ସହିତ ସମ୍ପର୍କ ରଖିବା ପରେ ତାଙ୍କ ପରିବାର ଉଜୁଡି ଯାଇଛି ବୋଲି ଦିନେଶଙ୍କ ସ୍ତ୍ରୀ କହିଛନ୍ତି ।

