Murder in Puri: ସ୍ନାନଯାତ୍ରା ବେଳେ ପୁରୀରେ ରକ୍ତଛିଟା, ସେବାୟତଙ୍କୁ ହତ୍ୟା

Reporterspen

Murder in Puri: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ମହାପ୍ରଭୁଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ପୁରୀରେ ରକ୍ତର ଛିଟା ପଡିଛି । ଜଣେ ବରିଷ୍ଠ ସେବାୟତଙ୍କୁ ଦୁବୃତ୍ତମାନେ ହତ୍ୟା କରିଛନ୍ତି । ଗୁଡ଼ିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଗନ୍ନାଥ ଦୀକ୍ଷିତ (୮୩) । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପୁରୀ ଟାଉନ୍ ଥାନା ଅଧୀନ ଗୁଡ଼ିଆସାହିରେ ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ରୁହନ୍ତି । ଆଜି ସ୍ନାନଯାତ୍ରା ଥିବାରୁ ପରିବାର ଲୋକେ ଅପରାହ୍ଣରେ ଘରେ ନଥିବା ବେଳେ ଜଗନ୍ନାଥ ଦୀକ୍ଷିତ ଏକାକୀ ଥିଲେ । ଏହି ସମୟରେ ପଡ଼ୋଶୀ ନାରାୟଣ ପାଟ୍ଟଯୋଶୀ ଆସିଥିଲେ । ସେ ଟଙ୍କା ନେଣଦେଣକୁ ନେଇ ଜଗନ୍ନାଥ ଦୀକ୍ଷିତଙ୍କ ସହିତ ଯୁକ୍ତିତର୍କ କରିଥିଲେ । ପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ହତ୍ୟାକାଣ୍ଡ ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପରିବାର ଲୋକେ ଆସି ଦେଖିଲା ବେଳକୁ ଜଗନ୍ନାଥ ଦୀକ୍ଷିତଙ୍କ ମୃତଦେହ ଘର ଅଗଣାରେ ପଡ଼ିଥିଲା । ଏନେଇ ସେମାନେ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତର ଭାଇକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ଏନେଇ ପୁରୀ ଏସପି କହିଛନ୍ତି, ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଜଣାପଡୁଛି । ଟାଉନ୍ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ପରେ ହତ୍ୟାକାଣ୍ଡର ଚିତ୍ର ସ୍ପଷ୍ଟ ହେବ । ହତ୍ୟାକାଣ୍ଡ ସଂପର୍କିତ ଏକ ସିସିଟିଭି ଭିଡିଓ ଯାହା ଭାଇରାଲ ହେଉଛି ସେନେଇ ଅଧିକ ଯାଂଚ୍ କରାଯିବ ।

ସୂଚନାଯୋଗ୍ୟ, ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା ଜାରି ଥିବା ବେଳେ ଏକ ହତ୍ୟାକାଣ୍ଡ ଘଟିଛି । ସମ୍ଭବତଃ ଏଭଳି ଅଘଟଣା ପୁରୀ ଇତିହାସରେ ପ୍ରଥମ ଥର ଘଟିଥିବା କୁହାଯାଉଛି । ସହରବାସୀ ଆଜିଭଳି ଦିନରେ ଭକ୍ତିଭାବରେ ନିୟୋଜିତ ଥିବା ବେଳେ ରକ୍ତପାତ ହୋଇଛି । ପୁରୀରେ ଏହି ସ୍ୱତନ୍ତ୍ର ଦିନ ପାଇଁ ୭୦ ପ୍ଲାଟୁନ ପୋଲିସ ମୁତୟନ ଥିବା ବେଳ ଅଭିଯୁକ୍ତ ଏହାକୁ ଖାତିର କରିନାହିଁ । ବରଂ ଦିନ ଦ୍ୱିପହରରେ ହତ୍ୟାକାଣ୍ଡ କରି ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି । ଏହି ଭଳି ଏକ ହତ୍ୟାକାଣ୍ଡ ଘଟଣା ପରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଗନ୍ନାଥ ପ୍ରେମୀଙ୍କ ମନରେ ଭିନ୍ନ ଚିନ୍ତାଧାରା ସୃଷ୍ଟି କରିଛି ।


Reporterspen
!-- afp header code starts here -->