Odisha Police: ଭୁବନେଶ୍ୱର (ରିପୋଟର୍ସ ପେନ୍) : ମୋହନ ସରକାର କ୍ଷମତାକୁ ଆସିବା ପରେ ପୋଲିସ ବ୍ୟବସ୍ଥା କିପରି ସୁଦୃଢ ହେବ ଓ ସାଧାରଣ ଲୋକେ କିପରି ତ୍ୱରିତ ନ୍ୟାୟ ପାଇବେ, ସେ ଦିଗରେ ପ୍ରାଥମିକତା ଦିଆଯାଉଛି । ଏତଲାକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ କରାଯିବ, ଅର୍ଥାତ ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ଠାରୁ ଏତଲା ଗ୍ରହଣ କରି ପୋଲିସ ଅଧିକାରୀମାନେ ତୁରନ୍ତ ତଦନ୍ତ କରିବେ । ଯଦି ଏଥିରେ ବ୍ୟତିକ୍ରମ ହୁଏ, ତେବେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ପରେ ପୋଲିସ ଏକ ନୂଆ ଫଣ୍ଡା ଆପଣାଇଛି । ତାହା ହେଉଛି ‘କାଉଣ୍ଟର ଏତଲା’ । ଏହି କାଉଣ୍ଟର ଏତଲା ମାଧ୍ୟମରେ ପୋଲିସ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ‘କାଉଣ୍ଟର’ କରୁଥିବା କୁହାଯାଉଛି ।
ମୁଖ୍ୟମନ୍ତ୍ରୀ ‘ଏତଲାରେ ଜିରୋ ଟଲେରାନ୍ସ’ ନୀତି ଘୋଷଣା କରିବା ପରେ ପୋଲିସର କାର୍ଯ୍ୟଶୈଳୀ ବଦଳି ଯାଇଥିଲା । ଯେକୌଣସି ଘଟଣାରେ ଅଭିଯୋଗକାରୀ ଥାନାକୁ ଏତଲା ନେଇ ଆସୁଥିବା ବେଳେ ପୋଲିସ ତୁରନ୍ତ ଏତଲା ଗ୍ରହଣ କରୁଛି । ଅଭିଯୋଗକାରୀକୁ ବୁଝାସୁଝା କରି ତଦନ୍ତ କରାଯିବ କହି ପଠାଇଦେଉଛି । ମାତ୍ର ଏହାର କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତ ପକ୍ଷକୁ ଡାକି ଏକ କାଉଣ୍ଟର ଏତଲା ଦେବାକୁ କହୁଛି । ଏପରିକି ଏତଲାଟି କିପରି ଲେଖାଯିବ, ତାହା ମଧ୍ୟ କହିଦେଉଛି । ପରବର୍ତ୍ତୀ ସମୟରେ ଅଭିଯୋଗକାରୀକୁ ‘କେସ୍ ହେଲେ ଉଭୟ ପକ୍ଷ ବନ୍ଧା ହେବ’ କହି ଭୟଭିତ କରୁଛି । ଏପରିକି ଉଭୟପକ୍ଷ ବସି ଘଟଣାର ଆସୁସମାଧାନ କରିବାକୁ ପରାମର୍ଶ ଦେଉଛି । ଫଳରେ ନିର୍ଯାତନା ଓ ମାଡ ଖାଇ ଥାନାକୁ ନ୍ୟାୟ ପାଇଁ ଆସିଥିବା ଲୋକଟି ଜେଲ ଯିବା ଭୟରେ ମାମଲାର ସମାଧାନ କରିବାକୁ ବାଧ୍ୟ ହେଉଛି । ନିକଟରେ କମିଶନରେଟ ପୋଲିସର ମଞ୍ଚେଶ୍ୱର ଥାନା ଓ ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ଘଟିଥିବା ଦୁଇଟି ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ।
ଦୁଇଦିନ ସତ୍ୟଜିତ ପାତ୍ର ନାମକ ଜଣେ ଯୁବକ ରାତି ୧୧ଟା ବେଳେ କାମ ସାରି ଘରକୁ ଫେରୁଥିଲା । ଜିଜିପି କଲୋନୀ ରାସ୍ତାରେ ଯାଉଥିବା ବେଳେ ନିଶାସକ୍ତ ଅବସ୍ଥାରେ ଦୁଇଜଣ ଯୁବକ (ବିକି-ଜାକି) ତାଙ୍କୁ ଗାଳିଗୁଲଜ କରିଥିଲେ । ସେ ପ୍ରତିବାଦ କରିବାକୁ ତାଙ୍କୁ ସେମାନେ ମାଡ ମାରି ଲହୁଲୁହାଣ କରିଥିଲେ । ଏନେଇ ସେ ରାତିରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ଗ୍ରହଣ କରି ସକାଳେ ଆସିବାକୁ କହି ତାଙ୍କୁ ପଠାଇ ଦେଇଥିଲା । ପରଦିନ ସନ୍ଧ୍ୟାରେ ସେ ଥାନାକୁ ଯିବା ବେଳକୁ ପୋଲିସ ଅପରପକ୍ଷଙ୍କୁ ଡାକି କାଉଣ୍ଟର ଏତଲା ଗ୍ରହଣ କରୁଥିବା ସେ ଦେଖିଥିଲେ । ପରେ ପୋଲିସ ତାଙ୍କୁ ଚିରାଚରିତ ଢଙ୍ଗରେ ମାମଲାର ଆସୁସମାଧାନ କର ନଚେତ ଉଭୟ ପକ୍ଷ ବନ୍ଧା ହେବ ବୋଲି କହିଥିଲା ।
ସେହିପରି ଗତ ଏପ୍ରିଲ ୨୧ ତାରିଖ ରାତିରେ ଡେଲାଙ୍ଗ ଥାନା ବେରବୋଇ ଗାଁରେ ଏକ ବିଶ୍ୱଶାନ୍ତି ମହାଯଜ୍ଞ ଚାଲିଥିବା ବେଳେ ନିକଟସ୍ଥ ଗାଁର ସନ୍ତୋଷ ରାଉତ ଓ ତାଙ୍କର ସହଯୋଗୀ ସେଠାରେ ପହଞ୍ଚି ନିଶାସକ୍ତ ଅବସ୍ଥାରେ ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ଗାଁର ଝିଅ-ବୋହୂମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ସେଠାରେ ପାଟିତୁଣ୍ଡ ହୋଇଥିଲା । ପରେ ଗାଁ ଲୋକେ ଥାନାରେ ଏତଲା ଦେବାକୁ ଯାଉଥିଲେ । ଏହି ସମୟରେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଅଟକାଇ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିଲା । ପରେ ଗାଁ ଲୋକେ ଥାନା ଘେରାଉ କରିବା ସହ ଏତଲା ଦେଇଥିଲେ । ପୋଲିସ ତୁରନ୍ତ ଅଭିଯୁକ୍ତକୁ ଉଠାଇ ଆଣିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲା । ହେଲେ ପରଦିନ ପୋଲିସ ଏକ କାଉଣ୍ଟର ଏତଲା ଗ୍ରହଣ କରି ମାମଲାର ସମାଧାନ ପାଇଁ ବାଧ୍ୟ କରିଥିଲା ।
ପୋଲିସର ଏଭଳି ନୀତି ପଛରେ କି ଉଦ୍ଦେଶ୍ୟ ରହିଛି? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ‘କାଉଣ୍ଟର’ ଫଣ୍ଡାରେ କୋଲାପ୍ସ କରିବାକୁ ଏଭଳି ନୀତି ନୁହେଁ ତ? ଏଭଳି ‘କାଉଣ୍ଟର ଏତଲା’ ଫଣ୍ଡା ପୋଲିସ ପାଇଁ ସୁବିଧା ହେଉଥିବା ବେଳେ ସାଧାରଣ ଲୋକଟି ନ୍ୟାୟ ପାଇବାରୁ ବଞ୍ଚିତ ହେଉନି କି? ପୋଲିସର ଏହି ନୂଆଫଣ୍ଡା ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲାଗି ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀ ଓ ଡିଜିପି ଏଦିଗରେ ଯତ୍ନବାନ ନହେଲେ, ଦିନ ଆସିବ ଏହି କାଉଣ୍ଟର ଫଣ୍ଡା ସରକାରଙ୍କ ଲାଗି ବୁମେରଂ ହେବ, ଏଥିରେ ସନ୍ଦେହ ନାହିଁ ।