ନୂଆଦିଲ୍ଲୀ,: ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ନୀତିନ ନବୀନଙ୍କୁ ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ମିଳିଛି । ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁରେ ମୋହର ବାଜିଛି ।
ଆପଣଙ୍କୁ କହିରଖୁଛୁ ଯେ, ୪୫ ବର୍ଷୀୟ ନୀତିନ ନବୀନ ୪ ଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି । ଏହି ନିଯୁକ୍ତିକୁ ବିହାର ଏବଂ ଜାତୀୟ ରାଜନୀତିରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ମତ ପ୍ରକାଶ ପାଇଛି । ନିତୀନ ନବୀନଙ୍କ ସାଂଗଠନିକ ଅଭିଜ୍ଞତା, ତୃଣମୂଳ ସ୍ତରର ଉପସ୍ଥିତି ଏବଂ ପ୍ରଶାସନିକ କ୍ଷମତାକୁ ଉଲ୍ଲେଖ କରି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।
ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହଙ୍କ ଦ୍ୱାରା ଜାରି ଆଦେଶ ଅନୁଯାୟୀ, ଏହି ନିଯୁକ୍ତି ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ଦ୍ୱାରା କରାଯାଇଛି । ନୀତିନ ନବୀନ ବର୍ତ୍ତମାନ ପାଟନାର ବାଙ୍କିପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅଛନ୍ତି । ସେ ଛାତ୍ର ରାଜନୀତିରୁ ସଂଗଠନ ଭିତରେ ବିଭିନ୍ନ ପଦବୀରେ ରହିଛନ୍ତି । ନିତୀନ ଜଣେ ଶୃଙ୍ଖଳିତ ସଂଗଠକ ଏବଂ ଶୀଘ୍ର ନିଷ୍ପତ୍ତି ନେଉଥିବା ନେତା ଭାବରେ ବେଶ୍ ଜଣାଶୁଣା ।
ସୂଚନାଯୋଗ୍ୟ, ନୀତିନ ନବୀନଙ୍କ ଜନ୍ମ ପାଟନାରେ ଏବଂ ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ଜଣେ ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ ବିଧାୟକ ଥିଲେ । ପିତାଙ୍କ ମୃତ୍ୟୁ ପରେ ନୀତିନ ନବୀନ ସକ୍ରିୟ ଭାବରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ପ୍ରଥମେ ୨୦୦୬ ମସିହାରେ ଉପନିର୍ବାଚନ ଜିତିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ ବିଧାନସଭା ନିର୍ବାଚନରେ ଲୋକଙ୍କ ବହୁମତ ପାଇ ବିଜୟୀ ହୋଇଥିଲେ । ୨୦୨୫ ବିଧାନସଭା ନିର୍ବାଚନରେ ୯୮,୨୯୯ ଭୋଟ ପାଇ ଆରଜେଡି ପ୍ରାର୍ଥୀ ରେଖା କୁମାରୀଙ୍କୁ ୫୧,୯୩୬ ଭୋଟର ବିପୁଳ ବ୍ୟବଧାନରେ ନୀତିନ ପରାସ୍ତ କରିଥିଲେ ।

