Nuapada by-election: ନୂଆପଡ଼ାରେ ଜୟଙ୍କ ମହାବିଜୟ

Reporterspen

Nuapada by-election: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ନୂଆପଡ଼ା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ହୋଇଛି । ୮୩ ହଜାର ୭୪୮ ଭୋଟରେ ଜୟ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ପରାସ୍ତ କରିଛନ୍ତି ଜୟ । ଏହାକୁ ବିଜେପିର ଅଭୂତପୂର୍ବ ସଫଳତା ଭାବେ ଗ୍ରହଣ କରାଯାଉଛି । ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିର୍ବାଚର ରଣନୀତି ପ୍ରସ୍ତୁତି ଏବଂ ତାହାକୁ ସୁଚାରୁ ରୂପେ ପରିଚାଳନା କରାଯିବା ଦ୍ୱାରା ବିଜେପି ଏହି ସଫଳତା ହାସଲ କରିଛି ବୋଲି କୁହାଯାଉଛି । ଅପରପକ୍ଷେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଜୟ ଭେଟି କୃତଜ୍ଞତା ଜ୍ଞାପନ କରିବା କାର୍ଯ୍ୟକ୍ରମ ରହିଛି ।

ଏହି ଆସନଟି ୨୦୨୪ ନିର୍ବାଚନରେ ବିଜେଡି ହାତରେ ରହିଥିଲା । ଜୟଙକ୍ ବିଜୟ ପରେ ବିଜେପି ଏହାକୁ ଅକ୍ତିଆର କରିଛି । ଫଳରେ ବିଜେପତର ଆସନ ସଂଖ୍ୟା ରାଜ୍ୟ ବିଧାନସଭାରେ ୭୯ରେ ପହଞ୍ଚିଛି । ଆଉ ବିଜେଡିର ସ୍ଥିତି ଗାଟିଏ ଆସନ ତଳକୁ ଖସି ୫୦ରେ ପହଞ୍ଚିଛି ।
ସେପ୍ଟେମ୍ବର ୮ ତାରିଖରେ ତତ୍‌କାଳୀନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡ଼ିଥିଲା । ବିଧି ଅନୁସାରେ ନଭେମ୍ବର ୧୧ତାରିଖରେ ଏଥିଲାଗି ଭୋଟ ଗ୍ରହଣ କରାଯାଇଥିଲା । ଆଜି ନୂଆପଡ଼ାର ନ୍ୟାସନାଲ୍ କଲେଜରେ ହୋଇଥିବା ଗଣନା ଅନୁସାରେ ଜୟ ଢୋଲକିଆଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିଲା । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ୪୦ ହଜାର ୧୨୧ ଏବଂ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଭୋଟ ପାଇଥିଲେ । ସମୁଦାୟ ୨୯ ରାଉଣ୍ଡରେ ଗଣତି ଶେଷ ହୋଇଥିଲା । ଏବଂ ଏହି ତଥ୍ୟକୁ ନିର୍ବାଚନ କମିଶନଙ୍କ ଓ୍‌ୱେବସାଇଟରେ ପ୍ରକାଶ କରାଯାଇଥିଲା ।

ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ ଗଣତି । ପ୍ରଥମେ ବ୍ୟାଲଟ ପେପରରେ ଗ୍ରହଣ କରାଯାଇଥିବା ଭୋଟକୁ ଗଣା ଯାଇଥିଲା । ଏହାପରେ ପୋଷ୍ଟାଲ୍ ବ୍ୟାଲଟ ଗଣା ଯାଇଥିଲା । ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଆଗ୍ରହୀ ଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ୨୫୧ ବ୍ୟାଲଟ ବଣ୍ଟା ଯାଇଥିଲା । ସେଥିରୁ ୨୪୫ ଗ୍ରହଣ କରାଯାଇଥିଲା । ସେହିପରି ଡାକଯୋଗେ ୨୧୪ ବ୍ୟାଲଟରୁ ୪୧ଟିକୁ ଗ୍ରହଣ କରାଯାଇଥିଲା । ଏଗୁଡ଼ିକର ଗଣତି ଶେଷ ହେବା ପରେ ୩୫୮ଟି ବୁଥରୁ ଆସିଥିବା ଇଭିଏମ୍‌କୁ ଗଣାଯାଇଥିଲା । ୧୪ଟି ଟେବଲରେ ଗଣତା କାର୍ଯ୍ୟ କରାଯାଇଥିଲା ।

ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଥିବା ସାମ୍ନାକୁ ଆସିଥିଲା । ଏହାପରେ ଯେତିକି ଯେତିକି ସମୟ ଅତିବାହିତ ହେଉଥିଲା ଢୋଲକିଆଙ୍କ ପକେଟରେ ଭୋଟ ପରିମାଣ ବଢ଼ିବାରେ ଲାଗିଥିଲା । ଶେଷ ରାଉଣ୍ଡରେ ଜୟ ୧ଲକ୍ଷ ୨୩ ହଜାର ଭୋଟ ଟପିଥିଲେ । ବାପା ଯାହା କରି ନଥିଲେ ତାହା ଜୟଙ୍କ ପାଖରେ ଦେଖିବାକୁ ମିଳିଥିଲା । ଏନେଇ ଅନେକ କୃତଜ୍ଞତା ଜଣାଇଛନ୍ତି ଜୟ । ଏହାକୁ ନୂଆପଡ଼ାବାସୀଙ୍କ ଜିତ ବୋଲି କହିଛନ୍ତି ଜୟ । ଖାଲି ସେତିକି ନୁହେଁ, ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଜୟ ସମର୍ଥକଙ୍କ ସହ ଏକ ବିଶାଳ ରାଲିରେ ନୂଆପଡ଼ା ଭ୍ରମଣ କରିଥିବା ଜଣାପଡ଼ିଛି । ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଶୀତ ଅଧିବେଶନରେ ଜୟ ଶପଥ ନେଇ ପ୍ରଥମକରି ବିଧାନସଭା ମାଡ଼ିପାରନ୍ତି ।


Reporterspen