odisha assembly: ମଣିଷ ଓ ହାତୀ ସଂଘର୍ଷ; ୫ବର୍ଷରେ ୬୪୬ ମୃତ

Reporterspen

odisha assembly: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ବିଗତ ୫ ବର୍ଷ ମଧ୍ୟରେ ମଣିଷ ଓ ହାତୀ ସଂଘର୍ଷ ଦ୍ୱାରା ୬୪୬ ମଣିଷଙ୍କର ମୃତ୍ୟୁ ଘଟିଛି । ସେହିପରି ମଣିଷଙ୍କ ଆକ୍ରମଣରେ ୧୫୧ଟି ହାତୀ ପ୍ରାଣ ହରାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ବିଧାୟକ ସଞ୍ଜଳୀ ମୁର୍ମୁଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ତଥ୍ୟ ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ସାଧାରଣତଃ ଖାଦ୍ୟ ଓ ପାନୀୟ ଅନ୍ୱେଷଣରେ ହାତୀମାନେ ଜଙ୍ଗଲ ପାଖାପାଖି ଥିବା ଚାଷଜମି ଏବଂ ନିକଟସ୍ଥ ଗ୍ରାମକୁ ପ୍ରବେଶ କରୁଛନ୍ତି । ଏହି ସମୟରେ ଧନଜୀବନ ପ୍ରଭାବିତ ଆଶଙ୍କାରେ ଗ୍ରାମବାସୀମାନେ ହାତୀ ଉପରେ ଆକ୍ରମଣ କରୁଛନ୍ତି । ହାତୀ ଓ ମଣିଷଙ୍କ ଲଢେଇରେ ଏହିଭଳି ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ରାଜ୍ୟ ସରକାର ଏପରି ସଂଘର୍ଷକୁ ରୋକିବା ପାଇଁ ଉଭୟ ଜଙ୍ଗଲ ଏବଂ ଜଙ୍ଗଲ ପାଖ ଗ୍ରାମଗୁଡିକରେ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଜଙ୍ଗଲ ପାଖ ଗାଁରେ ହାତୀଙ୍କୁ କିପରି ଘଉଡ଼ାଯାଇ ପାରିବ ସେ ବିଷୟରେ ସଚେତନ କରାଯାଉଛି ।

ଅପରପକ୍ଷେ ହାତୀ, ବାଘ ଓ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଜଙ୍ଗଲ ଭିତରେ ଆବଶ୍ୟକୀୟ ଖାଦ୍ୟପେୟର ଭିତ୍ତିଭୂମୀ ସୃଷ୍ଟି କରାଯାଉଛି । ବୃକ୍ଷରୋପଣ, ଚାରଣଭୂମି ସୃଷ୍ଟି, ଜଳାଶୟ ଖନନ ଆଦି କାର୍ଯ୍ୟରେ ସରକାର ଧ୍ୟାନ ନିବେଶ କରୁଛନ୍ତି । ଏହି ୫ ବର୍ଷ ମଧ୍ୟରେ କେବଳ ଶିମିଳିପାଳ ଜଙ୍ଗଲରେ ଚାରଣ ଭୂମି ବିକାଶ ପାଇଁ ୧୧ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ଖାଦ୍ୟ ଉତ୍ପାଦନକାରୀ ବୃକ୍ଷରୋପଣ ପାଇଁ ସରକାର ଏହି ୫ ବର୍ଷ ଭିତରେ ୧ ଲକ୍ଷ ୨୬ ହଜାର ୫୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ସମୂଦାୟ ୩୦ଟି ଜଳାଶୟ ଖନନ ପାଇଁ ୯୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଅପରପକ୍ଷେ କେବଳ ହାତୀ ନୁହଁନ୍ତି, ଅନ୍ୟ ବନ୍ୟ ଜୀବଜନ୍ତୁଙ୍କ ଆକ୍ରମଣରେ ମଧ୍ୟ ଧନଜୀବନ କ୍ଷତି ଘଟୁଛି । ଗତ ୧୦ ବର୍ଷ ମଧ୍ୟରେ ୫୬୦୯ ବନ୍ୟ ପ୍ରାଣୀ ଏହିପରି ସଂଘର୍ଷରେ ପ୍ରାଣ ହରାଇଥିବା ବେଳେ ୧୩୯୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଭାବେ ପରିବାରବର୍ଗଙ୍କୁ ୬୧ କୋଟି ୭୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟାରେ ରୋକ ଲଗାଇବା ନିମନ୍ତେ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ପକ୍ଷୀ ସୁରକ୍ଷା ଶୀବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପ?ଯୋଗିତା ଦ୍ୱାରା ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନିରିକ୍ଷଣ, ଶିକାର ନିରୋଧୀ ଦଳ ମୁତୟନ, ଜନ ସଚେତନତା ଇତ୍ୟାଦି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।


Reporterspen