Odisha CM: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ସମୃଦ୍ଧ ଓଡିଶା ଓ ବିକଶିତ ଭାରତର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ଗୃହ ବିଭାଗର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ଏକ ସୁଦୃଢ ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ଓ ସର୍ବବିଧ ବିକାଶ ପାଇଁ ନିତାନ୍ତ ଆବଶ୍ୟକ। ମହିଳା, ଶିଶୁ, ଦୁର୍ବଳ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସୁରକ୍ଷା ଆମ ସରକାରଙ୍କ ପ୍ରାଥମିକତା। ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଆଇନ ଶୃଙ୍ଖଳା ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଆସୁଅଛି ବୋଲି ଗୃହ ବିଭାଗର ଅତିରିକ୍ତ ଅନୁଦାନ ଦାବି ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି କହିଥିଲେ। ଚଳିତ ଆର୍ଥିକ ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ପ୍ରସ୍ତାବିତ ୨୬୧ କୋଟି ୭୯ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟ ବରାଦ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଟାର୍ଗେଟ କରି ଏନସିଆରବିର ୨୦୨୩ ମସିହା ପାଇଁ ପ୍ରକାଶିତ ତଥ୍ୟକୁ ଉପସ୍ଥାପନ କରିଥିଲେ। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୩ ମସିହାରେ ଦଣ୍ଡନୀୟ ଅପରାଧର ସଂଖ୍ୟା ଥିଲା ୧ ଲକ୍ଷ ୯୯ ହଜାର ୯୫୪ ଯାହା ପୂର୍ବବର୍ଷ ତୁଳନାରେ ୧୨.୨ ପ୍ରତିଶତ ଅଧିକ। ୨୦୧୦ ରୁ ୨୦୨୩ ମଧ୍ୟରେ ସାଇବର ଅପରାଧରେ ୩୫ ଗୁଣ ବୃଦ୍ଧି ପାଇଥିଲା। ଆମ ସରକାରଙ୍କ ପାଇଁ ଅପରାଧୀର କେବଳ ଗୋଟିଏ ପରିଚୟ । ଅପରାଧୀ ଯେତେ ବଡ ପ୍ରଭାବଶାଳୀ ହେଲେ ବି ତାର ଗୋଟିଏ ଠିକଣା, ‘ଜେଲ୍ ର ଚାରିକାନ୍ଥ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ନିଯୁକ୍ତି ପ୍ରକ୍ରିୟା ଠାରୁ ଆରମ୍ଭ କରି ସାଇବର ଅପରାଧ ଦମନ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଥାନା ଏବଂ ଥାନାର ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟଶୈଳୀରେ ଆଧୁନିକୀକରଣ, ସାମୁଦ୍ରିକ ତଟ ସୁରକ୍ଷାର ସୁଦୃଢୀକରଣ, ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି। ପୋଲିସ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିହିତ ପଦକ୍ଷେପ ଗୁଡିକ ଗ୍ରହଣ କରି ଗୃହ ବିଭାଗକୁ ଆହୁରି କ୍ରିୟାଶୀଳ କରାଯିବା ପାଇଁ ପ୍ରୟାସ ଜାରି ରହିଛି । ଗୃହ ବିଭାଗରେ ମୋଟ ୧୫ ହଜାର ୩୨୬ ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ୩ ହଜାର ୫୫୭ ଟି ବିଭିନ୍ନ ବର୍ଗର ପଦବୀର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।
ଆମ ସରକାର ଶାସନକୁ ଆସିବାର ୧୫ ମାସ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାକୁ ଯଦି ତାର ପୂର୍ବବର୍ତ୍ତୀ ୧୫ ମାସ ଅର୍ଥାତ ତା ୦୧.୦୪.୨୦୨୩ ରୁ ୩୦.୦୬.୨୦୨୪ ମଧ୍ୟରେ ହୋଇଥିବା ଉକ୍ତ ଅପରାଧକୁ ତୁଳନା କରାଯାଏ, ତେବେ ଅପରାଧ ସଂଖ୍ୟା ଅପେକ୍ଷାକୃତ ଭାବେ ସ୍ଥିର ରହିଛି । ସେହିପରି ଦୁଷ୍କର୍ମ , ଅସଦାଚରଣ , ହତ୍ୟା , ଡକାୟତି , ଲୁଟ୍ , ଦଙ୍ଗା ଭଳି ମାମଲା ହ୍ରାସ ପାଇଛି । ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମାଓପ୍ରବଣ ଜିଲ୍ଲା ଗୁଡିକରେ ସୁରକ୍ଷା ବାହିନୀ ମୁତୟନ କରାଯାଇ ଅପରେସନକୁ ଜୋରଦାର କରାଯାଉଛି। ସେହିପରି ସାଇବର ଅପରାଧ ଦମନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୋଲିସର ଭୂମିକା ପ୍ରଶଂସନୀୟ । ବିଗତ କିଛିଦିନ ଧରି ପୋଲିସ ପକ୍ଷରୁ ଅପରେସନ ପ୍ରହାର, ଅପରେସନ ଗଜ, ଅପରେସନ ଚକ୍ର, ଅପରେସନ ଅଗ୍ନି, ଅପରେସନ ଗରୁଡ ଭଳି ଅଭିଯାନ ଆରମ୍ଭ କରାଯାଇଛି। ଗୃହ ବିଭାଗର ଆଉ ଗୋଟିଏ ମୁଖ୍ୟ ଅଙ୍ଗ ହେଉଛି ଅଗ୍ନିଶମ ବିଭାଗ। ଓଡିଶାର ଅଗ୍ନିଶମ ବିଭାଗ ବିଗତ ବର୍ଷମାନଙ୍କରେ ଉଲ୍ଲେଖନୀୟ କାର୍ଯ୍ୟ କରି ସାରା ଦେଶରେ ପ୍ରଶଂସା ଭାଜନ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

