Odisha Govt: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ସରକାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ ୱାର୍ଡ ମେମ୍ୱରଙ୍କଠାରୁ ଆରମ୍ଭ କରି ଜିଲ୍ଲା ପରିଷଦଙ୍କ ପର୍ଯ୍ୟନ୍ତ ପଞ୍ଚାୟତିରାଜ ଅନୁଷ୍ଠାନର ସମସ୍ତ ସଦସ୍ୟମାନେ ଏହା ଅଧୀନରେ ଅନ୍ତର୍ଭୁକ୍ତ ରହିବେ। ପଞ୍ଚାୟତିରାଜ ପ୍ରତିନିଧିଙ୍କ କାର୍ଯ୍ୟକାଳ ସମୟରେ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ସେମାନଙ୍କ ନିକଟତମ ସମ୍ଫର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହୟତା ରାଶି ପ୍ରଦାନ କରିବେ।
ସେହିପରି ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କ ଦୁର୍ଘଟଣାରେ ଉଭୟ ଆଖି, ହାତ କିମ୍ୱା ଗୋଡ ହରାଇଲେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇବେ। ଦୁର୍ଘଟଣାରେ ଆଂଶିକ ଅକ୍ଷମ ହେଲେ ସରକାର ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଗ୍ରାମାଞ୍ଚଳର ବିକାଶ ଏବଂ ଲୋକଙ୍କ ଅଭିଯୋଗର ସମାଧାନରେ ପଞ୍ଚାୟତିରାଜ ପ୍ରତିନିଧି ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିଷ୍ଠାନର ସଦସ୍ୟଙ୍କ ମୃତ୍ୟୁ କିମ୍ବା ଅକ୍ଷମତା ପାଇଁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।”