Odisha News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ଆଜି ନୂଆପଡା ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । କେବଳ ନୂଆପଡା ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ନୂଆପଡା ଜିଲ୍ଲାର ଜଣେ ଲୋକପ୍ରିୟ ଜନପ୍ରତିନିଧିଙ୍କ ସୁଯୋଗ୍ୟ ଦାୟାଦ ଆଜି ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀର ପରିବାରରେ ସାମିଲ ହୋଇଛନ୍ତି ବୋଲି ନୂଆପଡାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଏବେ ନୂଆପଡା ଦେଖିବ ଡବଲ ଇଂଜିନ ସରକାରର ବିକାଶର ଗତି । ବିଭିନ୍ନ ଦଳରୁ ହଜାର ହଜାର କର୍ମୀଙ୍କ ସହିତ ଅନେକ ଦଳୀୟ ନେତା ନିଜ ନିଜ ଦଳ ତ୍ୟାଗ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜିଙ୍କ ବିଚାର ଓ ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି । ଏତେ ସଂଖ୍ୟକ କର୍ମୀ ଗୋଟିଏ ଦଳ ଛାଡି ବିଜପେିରେ ମିଶିବା ହୁଏତ ପୂର୍ବରୁ କେବେ ହୋଇନଥିଲା । ଏହା ମୋତେ ଅଭିଭୁତ କରିଛି । ଆପଣମାନଙ୍କ ପରିଶ୍ରମ ଓ ତ୍ୟାଗ କେବଳ ବିଜେପି ନୁହେଁ, ବରଂ ରାଷ୍ଟ୍ର ଗଠନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ । ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ଅବସରରେ ନୂଆପଡା ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ କି ସନ୍ଦେହ ରହିବା କଥା ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି ।
ନୂଆପଡାର ବିକାଶର ଦାୟୀତ୍ୱ ମୁଁ ନେଇଛି, ଏହି ଜିଲ୍ଲାକୁ ରାଜ୍ୟର ବିକଶିତ ଓ ଶ୍ରେଷ୍ଠ ଜିଲ୍ଲା ବର୍ଗକୁ ନେବାର ଦାୟୀତ୍ୱ ମୁଁ ନେଇଛି । ଏହି ପରିପ୍ରେକ୍ଷୀରେ ଗତ ୬ ତାରିଖ ଦିନ ଜିଲ୍ଲା ଗସ୍ତ ଅବସରରେ ୧୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପଗୁଡିକର ଶିଳାନ୍ୟାସ ହୋଇଛି । ଗୋଟିଏ ଦିନରେ ଗୋଟିଏ ଜିଲ୍ଲାରେ ଏତେ ଟଙ୍କାର ପ୍ରକଳ୍ପ ଆଗରୁ କେବେ ହୋଇନଥିଲା । ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତା ଓ ବ୍ୟକ୍ତିଗତ ଭାବେ ମୋର ଉତରଦାୟୀତ୍ୱ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଅତୀତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଧାମନଗର, ପଦ୍ମପୁର, ବିଜେପୁର ଆଦି ଉପନିର୍ବାଚନରେ ବିକାଶର ଦାୟୀତ୍ୱ ମୋର ବୋଲି ଘୋଷା ପାଠ କରିଥାନ୍ତି, ଏବଂ ପରବର୍ତୀ ସମୟରେ ଉପନିର୍ବାଚନ ପରେ, ସବୁ କଥା ଭୁଲି ଯାଇ ଦାୟୀତ୍ୱ ବି ସାରି ଦେବାର କଥାକୁ ସମସ୍ତେ ମନେ ରଖିଛନ୍ତି । କିନ୍ତୁ ଆମ ସରକାରର ମନ୍ତ୍ର ହେଉଛି କଥା ଦେବୁ, କଥା ରଖିବୁ । କଥା ଦେଇ କଥା କେମିତି ରଖାଯାଏ, ତାହା ଗତ ପନ୍ଦର ମାସ ହେବ ଆମ ସରକାର ରାଜ୍ୟରେ କରୁଛନ୍ତି ଏବଂ ଗତ ୧୧ ବର୍ଷ ଧରି କେନ୍ଦ୍ରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କେନ୍ଦ୍ରରେ କରିଆସୁଛନ୍ତି । ଆଜି ଯେତେବେଳେ ସମଗ୍ର ବିଶ୍ୱ ଏକ ଆର୍ଥିକ ସଂକଟ ଦେଇ ଗତି କରୁଛି, ଭାରତର ଅର୍ଥନୀତି ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଧାନ କୁଇଂଟାଲ ପିଛା ୮୦୦ ଟଙ୍କା ପ୍ରଦାନ ଏବଂ ସୁଭଦ୍ରା ଯୋଜନା ପାଇଁ ପାଂଚ ବର୍ଷକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇ ଏହାର ସୁଫଳ ୨୦ ଲକ୍ଷ ଅନ୍ନଦାତା ଏବଂ ଏକ କୋଟିରୁ ଉଦ୍ଦ୍ୱର୍ ସୁଭଦ୍ରା ବି ପାଇଥିଲେ । ନୁଆପଡା ଜିଲ୍ଲାରୁ ଦୁଇ ଲକ୍ଷ ଚାହୀ ଏବଂ ୧ ଲକ୍ଷ ୫୫ ହଜାର ମା’ ସୁଭଦ୍ରା ଯୋଜନାରୁ ଉପକୃତ ହୋଇଛନ୍ତି । ନିକଟ ଅତୀତରେ କେନ୍ଦ୍ର ସରକାର ଓଡିଶା ପାଇଁ ୩୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଂଜୁର କରିଛନ୍ତି, ଯେଉଁଥିରେ ନୂଆପଡା ଜିଲ୍ଲାକୁ ଗୁରୁତ୍ୱ ମିଳିଛି । ବରଗଡ ରୋଡ – ନୂଆପଡା ରେଳ ଲାଇନ, ନୂଆପଡା – ଗୁଣପୁର – ଥେରୁବାଲି ରେଳ ଲାଇନ ପ୍ରକଳ୍ପ ସ୍ଥାନ ପାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଜଣେ ସମାଜସେବକ ଭାବେ ନିଜ ଅଂଚଳ ଓ ଅଂଚଳବାସିଙ୍କ ପାଇଁ କାର୍ଯ୍ୟ କରିବା ଓ ତାଙ୍କ ସୁଃଖ ଦୁଃଖରେ ଛିଡା ହେବା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱଭାବ ଥିଲା । ଆଜି ତାଙ୍କ ଅବର୍ତମାନରେ ତାଙ୍କର ସୁଯୋଗ୍ୟ ଦାୟାଦ ଜୟ ଢୋଲକିଆ ନିଜ ପିତାଙ୍କ ପଦାକୁ ଅନୁସରଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିଚାରଧାରା ଓ ବିକାଶର ଧାରାରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି । ନୂଆପଡାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ପିତାଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ସଂପର୍କରେ ଭଲ ଭାବେ ଅବଗତ ଥିବା ଜୟ ଢୋଲକିଆ ଯେଉଁ ନିଷ୍ପତି ନେଇଛନ୍ତି, ତାହା ଏହି ଅଂଚଳର ବିକାଶ ପାଇଁ ନିର୍ଣ୍ଣାୟକ ମୁହୁର୍ତ ହେବାକୁ ଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ବିଜେଡି ତରଫରୁ ଯେଉଁ ବ୍ୟକ୍ତିଗତ ଆଶାଳୀନ ମନ୍ତବ୍ୟ ଦିଆଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ମାତ୍ର ଶାଳୀନତା ପାଇଁ ଜଣାଶୁଣା ନବୀନ ପଟ୍ଟନାୟକ ଏଭଳି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନକରିବା ଅତ୍ୟନ୍ତ ମର୍ମାହତ କରିଛି ।
ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଜିଲ୍ଲାରେ ସୁଦୃଢ ସଂଗଠନ ଅଛି । ଡୋଲକିଆ ପରିବାରର ଜନପ୍ରିୟତା ଓ ନିଜ ବ୍ୟକ୍ତିଗତ ସଂଗଠନ ଅଛି । ଏବେ ଏହି ଡବଲ ଇଂଜିନ ତୃଣମୁଳ ସ୍ତରରେ କାନ୍ଧକୁ କାନ୍ଧ ମିଶାଇ କାର୍ଯ୍ୟ କରିବେ । ଏହି ନିର୍ବାଚନ ଏକପାଖିଆ ହେବ ଏବଂ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ ହାସଲ କରି ନିର୍ବାଚିତ ହେବେ । ଏହି ବିଶ୍ୱାସ କେବଳ ମୋର ନୁହେଁ, ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତାଙ୍କ ଅଛି ବୋଲି ଶ୍ରୀ ମାଝୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟ କରିବା ପାଇଁ ସଂକଳ୍ପ ନେବାକୁ ଲୋକ ଆସିଛନ୍ତି । ଆମେ ଅକ୍ଲାନ୍ତ ପରିଶ୍ରମ କରି ଏଥର ବୃହତ ଓ ରେକର୍ଡ ବ୍ୟବଧାନରେ ବିଜୟୀ ହେବୁ । ରାଜ୍ୟର ବିକାଶ ମୁଖ୍ୟମନ୍ତ୍ରୀଙ୍କ ହାତରେ ହେଉଛି । ଆମେ ଯାହା କହିଛୁ ତାହା କରିଛୁ । ଚାଷୀ, ମହିଳାଙ୍କ ପାଇଁ ରାଜ୍ୟ ସମର୍ପିତ । ୧୧୧୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯାହା ବିକାଶର ଚିତ୍ରକୁ ବଦଳିବ । ଆପଣଙ୍କ ଯେଉଁ ମେଡିକାଲ କଲେଜ ପାଇଁ ଦାବି ରହିଛି ତାକୁ ମଧ୍ୟ ଚିନ୍ତା କରାଯିବ । । ୪୦ବର୍ଷ ଓଡିଶାରେ ଓ ୫୬ବର୍ଷ କେନ୍ଦ୍ରରେ ଶାସନ କଲା କଂଗ୍ରେସ ଏବଂ ବିଜୁ ଜନତା ଦଳ ମଧ୍ୟ ଲମ୍ବା ସମୟ ଧରି ଶାସନ କରିବା ପରେ ମଧ୍ୟ ନୂଆପଡାବାସୀ ସମସ୍ତ ସୁବିଧାରୁ ବଂଚିତ ହେଲେ । କିନ୍ତୁ ୧୬ମାସ ଧରି ଭାରତୀୟ ଜନତାପାର୍ଟୀ ସରକାର ମୋହନ ମାଝୀଙ୍କ ନେତୃତ୍ୱରେ ଏବଂ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୧୨ବର୍ଷର ବିଜେପି ସରକାର ଭାରତର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଓଡିଶାର ବିକାଶ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ପାଖରେ ପହଁଚାଇଛନ୍ତି । ଆମ ଦଳ ଲୋକଙ୍କ ବିଶ୍ୱାସକୁ ଜିତିପାରିଛି । ଭାରତୀୟ ଜନତା ପାର୍ଟୀର ଅନ୍ୟ ନାମ ବିକାଶ । ସରକାର ହେବା ପରେ ପରେ ଜଗନ୍ନାଥ ମନ୍ଦିର ଚାରିଦ୍ୱାର ଖୋଲାଗଲା, ରତ୍ନଭଣ୍ଡାର ଖୋଲାଗଲା । ଚାଷୀଙ୍କ ରୋଜଗାରକୁ ଦୁଇଗୁଣା କରିବା ପାଇଁ ଧାନ କୁଇଂଟାଲ ୧୩୧୦ରୁ ୨୩୬୯ ଟଙ୍କା କରିଛନ୍ତି ।
ଏହା ଉପରେ ଲୋକପ୍ରିୟ ମୁଖମନ୍ତ୍ରୀ ମୋହନଚରଣ ମାଝୀ ୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ଦେବା ପରେ ଧାନ କୁଇଂଟାଲ ପିଛା ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି । ପିଏମ୍ କିଶାନ ଓ ସିଏମ୍ କିଶାନ ଯୋଜନାରେ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଯାଉଛି । ରାଜ୍ୟର ମା’ ଓ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଇଛି । ଫଳରେ ମା’ ଭଉଣୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିଛି । ଲକ୍ଷପତି ଦିଦି ଯୋଜନାରେ ଓଡ଼ିଶାର ମା’ ଭଉଣୀମାନେ ଏବେ ୧ ନମ୍ବର ହେଲେଣି । ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ୩୫୦୦ଟଙ୍କା ଭତା ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରିଛି । ସବୁ ଗ୍ରାମରେ ପକ୍କା ସଡ଼କ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୭୫ ହଜାର କିଲୋମିଟର ରାସ୍ତା ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ନୁଆ ଶିକ୍ଷା ନୀତି ଲାଗୁ କରି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ କରାଯାଇଛି । ବିଜେପି ଯାହା ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିଛି । ଆଗାମୀ ଦିନରେ ନୂଆପଡ଼ାକୁ ରାଜ୍ୟ ୧ ନଂ ଜିଲ୍ଲାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଜେ ଦାୟିତ୍ୱ ନେଇଛନ୍ତି । ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।
ନୂଆପଡ଼ାରେ ନିର୍ବାଚନ ପରେ ମେଡିକାଲ କଲେଜ ଖୋଲାଯିବ । ନୂଆପଡ଼ାରେ ଶିକ୍ଷାଠାରୁ ଆରମ୍ଭ କରି ଜଳସେଚନ, ଗମନାଗନ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରାଯାଇ ସାମଗ୍ରିକ ବିକାଶ କରାଯିବ । ଏଠାକାର ଲୋକଙ୍କୁ ଯେପରି ଦାଦନ ଖଟିବାକୁ ଯିବେ ନାହିଁ, ସେଥିପାଇଁ ଶିଳ୍ପର ବିକାଶ କରାଯିବ । ପର୍ଯ୍ୟଟନ ଶିଳ୍ପ, ମତ୍ସ୍ୟା ଚାଷକୁ ଗୁରୁତ୍ୱ ଦିଆଯିବ । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଥିବାବେଳେ ନୂଆପଡ଼ାରେ ବିଜୟୀ ହୋଇପାରିଲେ ଏଠାକାର ମୌଳିକ ସମସ୍ୟାର ପରିବର୍ତନ ହେବ । ଏହି ନିର୍ବାଚନରେ ଐତିହାସିକ ବିଜୟ ଲାଭ କରାଇ ପାଇଁ ଶ୍ରୀ ସାମଲ ନୂଆପଡ଼ାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଯେଉଁ ଭାରବର୍ଷକୁ ଦିନେ ଗରିବ ଦେଶ ବୋଲି କୁହାଯାଉଥିଲା, ଆଜି ମୋଦିଜୀ ୧୧ବର୍ଷ ଧରି ଅଖଣ୍ଡ ପରିଶ୍ରମ କରି ସେହି ଭାରତ ଅର୍ଥନୀତିକୁ ବିଶ୍ୱର ୪ ନମ୍ବର ସ୍ଥାନରେ ପହଂଚାପାରିଛନ୍ତି । ପୂର୍ବ ସରକାର ସମୟରେ ଯେଉଁ ସବୁ ସମସ୍ୟାର ସମାଧାନ ହୋଇ ନଥିଲା ସେସବୁର ସମାଧାନ ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ବିଜେପି ଗୋଟିଏ ବିଚାର ଧାରାର ଦଳ । ୧୫ ମାସ ହେଲାଣି ମୋହନ ମାଝୀ ସରକାର ଗଠନ ହୋଇଛି । ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଛି । ଆଦିବାସୀଙ୍କୁ ଉଚିତ ସମ୍ମାନ ଦେଇଛି ବିଜେପି । ରାଜ୍ୟରୁ ରାଷ୍ଟ୍ରପତି ଓ ଜଣେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଆଦିବାସୀ । ସେହିଭଳି ୩ ଜଣେ ଆଦିବାସୀ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ଅଛନ୍ତି । ମାଟିକୁ ଲୁଟିବାର ଦଳ କଂଗ୍ରେସ । କୁକୁଡ଼ା ଦାନା ଦେଇକି ଗରିବ ଲୋକଙ୍କୁ ମାରୁଥିବା ଦଳ କଂଗ୍ରେସ । ନୂଆପଡାକୁ ଖିନଭିନ କରିଛି କଂଗ୍ରେସ ଦଳ ବୋଲି ପୂର୍ବତନ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।
ମୋର ବାପା ସ୍ୱର୍ଗତ ରାଜୁ ଭାଇ ଢୋଲକିଆଙ୍କ ଯେଉଁ ପ୍ରତିଜ୍ଞା ଥିଲା ତାକୁ ଗାଁ ନେବା ପାଇଁ ବିଜେପିରେ ସାମିଲ ହୋଇଛି । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ସମାଜ ସେବା ଜାରି ରଖିବି । ସବୁ ଦିନ ପାଇଁ ମୋ ଘର ଦ୍ୱାର ଆପଣଙ୍କ ପାଇଁ ଖୋଲା ରହିବ ବୋଲି ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ରବି ନାଏକ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଗଣେଷରାମ ସିଂ ଖୁଂଟିଆ, ମନ୍ତ୍ରୀ ବିଭୂତି ଜେନା, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବିଧାୟକ ଜୟନାରାୟଣ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ସମସ୍ତ ବିଧାୟକ ଗଣ, ସମସ୍ତ ପୂର୍ବତନ ବିଧାୟକ ଓ ସାଂସଦ ଗଣ, ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ହୋମସିଂ ମାଝୀ, ଅଭିନନ୍ଦନ ପଣ୍ଡା, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ, ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ ।