odisha news: ସୂଚନା କମିସନର ହେବେ ପ୍ରଦୀପ ପ୍ରଧାନ, ଲବି ଜୋରଦାର!

Reporterspen

odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍) : ରାଜ୍ୟ ସୂଚନା କମିସନର ଦୌଡ଼ରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଏବେ ଆଗରେ ଅଛନ୍ତି । ନିର୍ଦ୍ଦିଷ୍ଟ ଭାବେ ବିଜେଡି ସରକାର, ଭି.କେ ପାଣ୍ଡିଆନ୍ ଓ କିଟ୍ ବିରୋଧରେ ନିଜର କାର୍ଯ୍ୟ ପରିସରକୁ ସୀମିତ ରଖିଥିବା ପ୍ରଦୀପ ଏବେ ସୂଚନା କମିସନର ପଦବୀ ହାତେଇବା ଏକପ୍ରକାର ନିଶ୍ଚିତ ହୋଇଛି । ଏଥିପାଇଁ ଶ୍ରୀପ୍ରଧାନ ବିଜେପିର ତଳିଆ ନେତାଙ୍କ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ନିଜ ସପକ୍ଷରେ ମତ ଦେବାକୁ ମନାଉଛନ୍ତି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଆଶା ବ୍ୟକ୍ତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ରାଜ୍ୟ ସୂଚନା କମିସନର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ବୈଠକ ଖୁବ୍ ଶୀଘ୍ର ବସିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଶାୟୀମାନେ ସେମାନଙ୍କର ଲବିକୁ ଜୋରଦାର କରିଛନ୍ତି । ୪ପଦବୀ ପାଇଁ ୧୭୯ ଆବେଦନକାରୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୯ଜଣ ଅବସରପ୍ରାପ୍ତ ଆଇଏଏସ୍ ଙ୍କ ସମେତ ଏକାଧିକ ଅବସରପ୍ରାପ୍ତ ଆଇପିଏସ୍, ଆଇଆରଏସ୍, ଆଇଏଫଏସ୍, ଓଏଏସ୍, ସାମ୍ବାଦିକ, ସ୍ୱେଚ୍ଛାସେବୀ ଏବଂ ଏକାଧିକ ସୂଚନା ଅଧିକାର କର୍ମୀ ଅଛନ୍ତି । କିନ୍ତୁ, ଏହି ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ପ୍ରଦୀପ ପ୍ରଧାନ ।

କୁହାଯାଉଛି, ପ୍ରଦୀପ ନିଜକୁ ଏକ ନମ୍ବର ଦାବିଦାର କରିବା ପଛରେ ଯଥେଷ୍ଟ ଯୁକ୍ତି ରହିଛି । ପ୍ରଥମତଃ ବିଜେଡି ସରକାର, ନବୀନ ପଟ୍ଟନାୟକ ଏବଂ ଭି.କେ.ପାଣ୍ଡିଆନ୍ ଙ୍କ ବିରୋଧରେ ସେ ତାଙ୍କର ଅଧା ସମୟ ଦେଇ ସାରିଛନ୍ତି । ଆରଟିଆଇକୁ ଅସ୍ତ୍ର କରି ଏମାନଙ୍କ ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ କରିଛନ୍ତି । ବିରୋଧୀ ଦଳର କାମକୁ ଏକା ଏକା ସମ୍ଭାଳିଛନ୍ତି । ସୁତରାଂ ରାଜ୍ୟରେ ବିଜେଡି ହଟିବା ଏବଂ ବିଜେପି ସରକାର ଆସିବା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ତାଙ୍କର ଦାବି ସ୍ୱାଭାବିକ! ତେଣୁ କରି ସୂଚନା କମିସନର ପଦବୀରେ ତାଙ୍କୁ ପୁରସ୍କୃତ କରିବା ଦାବି ଯୁକ୍ତି ଏବଂ ନ୍ୟାୟସଙ୍ଗତ!!

ଦ୍ୱିତୀୟରେ, କିଟ୍ ଏବଂ ଅଚ୍ୟୁତ ସାମନ୍ତଙ୍କ ପଛରେ ସେ ତାଙ୍କର ଅବଶିଷ୍ଟ ଅଧା ସମୟ ଦେଇଛନ୍ତି । ଦେଢ଼ ଦଶନ୍ଧି ଧରି ସେ ଅଚ୍ୟୁତଙ୍କ ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ କରୁଛନ୍ତି । ଏବେ କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଓଡ଼ିଶାର ପୁରପଲ୍ଲୀରେ ସମସ୍ତେ ତାଙ୍କୁ ବେଶୀ ଚିହ୍ନି ଯାଇଛନ୍ତି । ଅଚ୍ୟୁତ ସାମନ୍ତଙ୍କ ଭଳି ପ୍ରଭାବଶାଳୀ ଲୋକଙ୍କୁ ପାଣି ପିଆଇବାର ଶ୍ରେୟ ତାଙ୍କର । କିଟ୍ ବିରୋଧରେ ସୂଚନା ଅଧିକାର ବଳରେ ମାଗିଥିବା ତଥ୍ୟ ମଧ୍ୟ ବିଜେପି ସରକାରଙ୍କର ବହୁ କାମରେ ଲାଗୁଛି । ତେଣୁ ବିଜେପି ସରକାର ଏଭଳି ଖାଦ୍ୟଦାତାଙ୍କୁ ନିରାଶ କରିବା ଉଚିତ୍ ନୁହେଁ ।

ଏହି ଯୁକ୍ତିକୁ ସାଙ୍ଗରେ ଧରି ପ୍ରଦୀପ ନିଜର ଲବିକୁ ଜୋରଦାର କରିଛନ୍ତି । ସାରା ଓଡ଼ିଶାରେ ସୂଚନା ଅଧିକାରୀ କର୍ମୀଙ୍କୁ ନିଜ ସପକ୍ଷରେ ମତାଇ ସରକାରଙ୍କୁ ମନାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି । ଇତିମଧ୍ୟରେ ବିଜେପିର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଭେଟି ସେ ଗୁହାରି କରୁଛନ୍ତି । ତେବେ ଦେଖାଯାଉ, ବିଜେପି ସରକାର ତାଙ୍କ ନାଁରେ ମୋହର ମାରୁଛି, ନା ଚକମା ଦେଉଛି ।


Reporterspen
!-- afp header code starts here -->