Odisha Police: ଉପକୂଳ ସୁରକ୍ଷା ଲାଗି ଗଠନ ହେବ ସ୍ୱତନ୍ତ୍ର ଆଧୁନିକ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର

Reporterspen

Odisha Police: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଓଡ଼ିଶାରେ ସୁଦୀର୍ଘ ସମୁଦ୍ରତଟ ଥିବାରୁ ଉପକୂଳ ସୁରକ୍ଷା ସବୁବେଳେ ପୁଲିସ ପାଇଁ ଆହ୍ୱାନ ହୋଇ ଆସିଛି। ଏହାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ନିଜକୁ ଆଧୁନିକୀକରଣ ଆଡ଼କୁ ମୁହାଁଇଛି। ଏହିକ୍ରମରେ ରାଜ୍ୟ ସରକାର ୧୪୯.୯୫ କୋଟି ଅନୁମୋଦନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ। ଏହି ଅର୍ଥରେ ଉପକୂଳ ସୁରକ୍ଷା ନିମନ୍ତେ ୧୦ଟି ଆଧୁନିକ ଡ୍ରୋନ୍, ୩ଟି ଟ୍ରଲର୍ ଓ ୧୪୦ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଖୁବ ଶୀଘ୍ର ରିୟଲ୍-ଟାଇମ୍ ସର୍ଭେଲାନ୍ସ ପାଇଁ ଏକ ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର ଗଠନ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ୩୨ଟି ମାଛ ଧରା ବନ୍ଦର ଓ ଫିଶିଂ ହାର୍ବର୍‌କୁ ସିସିଟିଭି ସିଷ୍ଟମ୍‌ରେ ଆବୃତ କରିବା ପାଇଁ କାମ ଚାଲିଛି । ଏହା ସହିତ ନୂଆ ନୌକା କିଣିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳାରେ ଡିଜିପି ଏହି ସୂଚନା ଦେଇଛନ୍ତି। ଏଥିରେ ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ, ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଥିଲା।

ଓଡ଼ିଶା ପୋଲିସକୁ ଦେଶର ସବୁଠୁ ଆଧୁନିକ ତଥା ସୁଦୃଢ କରିବା ଓ ଏହାକୁ ଦେଶର ପ୍ରମୁଖ ପୋଲିସ ସଂଗଠନ ମାନଙ୍କ ମଧ୍ୟରୁ ଗୋଟିଏ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ତାଙ୍କର ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ – ଲୋକ ମାନଙ୍କୁ ଫଳପ୍ରଦ ପୋଲିସ ସେବା ଯୋଗାଇଦେବା ପାଇଁ କର୍ମଚାରୀ ମାନଙ୍କ ମଧ୍ୟରେ ବୃତ୍ତିଗତ ଦକ୍ଷତା, ସମୟୋପଯୁକ୍ତ ପ୍ରସ୍ତୁତି ଓ ସମନ୍ୱୟ ରହିବା ହେଉଛି ମୁଖ୍ୟ ଚାବି। ଏହି କର୍ମଶାଳାରେ ଉପଲବ୍ଧ ଶିକ୍ଷଣୀୟ ତତ୍ତ୍ଵ ଗୁଡିକୁ ନେଇ କାର୍ଯ୍ୟ କ୍ଷେତ୍ରରେ ବିନିଯୋଗ କରି ରେଳବାଇ ଓ ଉପକୂଳ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଶ୍ରୀ ଖୁରାନିଆ ଅଧିକାରୀମାନଙ୍କୁ ନିଜ ଦକ୍ଷତାକୁ ନିରନ୍ତର ଅପଡେଟ୍ ରଖିବା ସହ ନୂଆ ଚାଲେଞ୍ଜ ସମ୍ପର୍କରେ ସବୁବେଳେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

“ଓଡ଼ିଶା ପୋଲିସ ଆତ୍ମବିଶ୍ୱାସ ସହିତ ଅଗ୍ରସର ହେବା ସହ ନୂଆ ଚାଲେଞ୍ଜକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ରହିଛି ଏବଂ ଲୋକଙ୍କ ସେବାରେ ଅଧିକ ପେଶାଦାର ହୋଇ କାର୍ଯ୍ୟ କରୁଛି ବୋଲି ଡିଜିପି କହିଥିଲେ।

ସେହିପରି ରେଳବାଇ ପୁଲିସକୁ ଅଧିକ ଆଧୁନିକୀକରଣ କରିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ନୂତନ ରେଳବାଇ ପୁଲିସ ଜିଲ୍ଲା ଓ କିଛି ନୂଆ ଜିଆର୍‌ପିଏସ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି। ସମସ୍ତ ୧୫ଟି ଜିଆରପିରେ ସିସିଟିଭି ମନିଟରିଂ ସେଣ୍ଟର ସ୍ଥାପନ ପାଇଁ ମଧ୍ୟ ଅର୍ଥ ଅନୁମୋଦନ ହୋଇଛି ବୋଲି ଡିଜିପି ସୂଚନା ଦେଇଛନ୍ତି। ଏହି କର୍ମଶାଳାରେ ବେଆଇନ ଭାବେ ଅବୈଧ ପ୍ରବେଶ ଓ ମାନବ ଚୋରା ଚାଲାଣ ଆଦି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା।


Reporterspen