Odisha Vigilance: ସହାୟକ ଯନ୍ତ୍ରୀ ରାଜକିଶୋର ଗିରଫ, ଅଶୋକ ପଣ୍ଡାଙ୍କ ଘରେ ଚଢାଉ

Reporterspen

Odisha Vigilance: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଯନ୍ତ୍ରୀ ମହଲରେ ରାଙ୍ଗା-ବିଲ୍ଲା ନାଁରେ ପରିଚିତ ପଣ୍ଡାବାବୁ ଓ ଜେନାବାବୁ ଶେଷରେ ଭିଜିଲାନ୍ସ ଜାଲରେ ଫଶିଛନ୍ତି । ଆରଆଣ୍ଡବି ଡିଭିଜନ-୩ର ସହାୟକ ଯନ୍ତ୍ରୀ ରାଜ କିଶୋର ଜେନାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୁଇଦିନ ଧରି ଚଢାଉ କରିବା ପରେ ଭିଜିଲାନ୍ସ ବୁଧବାର ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତିର ୩୧୭ ପ୍ରତିଶତ ଆୟବର୍ହିଭୂତ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି । ସେହିପରି ତାଙ୍କର ସହଯୋଗୀ ସହାୟକ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି ।

ଭିଜିଲାନ୍ସ ସୂଚନା ଅନୁସାରେ, ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା । ତେବେ ଭୁବନେଶ୍ୱର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଂଟ ବଳରେ ମଙ୍ଗଳବାର ତାଙ୍କ ଘର ଉପରେ ଚଢାଉ କରାଯାଇଥିଲା । ନୟାଗଡ ସ୍ଥିତ ତାଙ୍କ ପୈତୃକ ଘର ସମେତ ଭିଜିଲାନ୍ସ ୧୦ଟି ସ୍ଥାନରେ ଚଢାଉ କରିଥିଲା ।

ଚଢାଉ ବେଳେ ନିଲାଦ୍ରୀ ବିହାରରେ ଏକ ମଲ୍‌ଟି-ଷ୍ଟୋରେଜ ବିଲ୍ଡିଂ, କସ୍ମୋପଲିସରେ ୨ଟି ଫ୍ଲାଟ, ଗ୍ୟାଲେରିଆ ଓ ସିମ୍ଫୋନୀ ମଲ୍ଲରେ ୨ଟି ବ୍ୟବସାୟିକ ଅଉଟଲେଟ, ୧୩ଟି ମୂଲ୍ୟବାନର ଜମି, ୭୫ ଲକ୍ଷ ଟଙ୍କା ଡିପୋଜିଟ୍‌, ୬୭ ଲକ୍ଷ ଟଙ୍କା ପିଲାମାନଙ୍କ ପାଠପଢା ଖର୍ଚ୍ଚ ଆଦିର ହିସାବ ମିଳିଛି । ଆୟବର୍ହିଭୂତ ସମ୍ପତ୍ତିର ସନ୍ଧାନ ମିଳିବା ପରେ ଭିଜିଲାନ୍ସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ।

ଶ୍ରୀଜେନାଙ୍କର ସମ୍ପତ୍ତି ଖୋଳତାଡ କରୁଥିବା ବେଳେ ତାଙ୍କ ସହଯୋଗୀ ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡା ସହ ମିଶି ଏକାଧିକ ଘର ଓ ଫ୍ଲାଟ କିଣିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ପରେ ଅଶୋକ ପଣ୍ଡାଙ୍କ ଘରେ ଖାନତଲାସୀ କରିବାକୁ ଭିଜିଲାନ୍ସ ଟିମ ଯାଇଥିଲା । ଶ୍ରୀପଣ୍ଡା ସୂଚନା ପାଇ ଘର ଭିତରେ ତାଲା ପକାଇ ଲୁଚି ରହିଥିଲେ । ହେଲେ ଭିଜିଲାନ୍ସ ଟିମ ତାଙ୍କ ଘର ଆଗରେ ଜଗି ରହିଥିଲା । ଆଜି ଘର ସିଲ୍ କରିବାକୁ ଭିଜିଲାନ୍ସ ଉଦ୍ୟମ କରିବା ବେଳେ ସେ କବାଟ ଖୋଲିଥିଲେ । ହେଲେ ଏକ ବ୍ୟାଗରେ ଏକଲକ୍ଷ ଟଙ୍କା, ଜମିଜମା କାଗଜପତ୍ର, ୬୦ ଗ୍ରାମର ସୁନା, ୧୦ଗ୍ରାମର ରୂପା ଗହଣା, ଆଇଫୋନ, ଗାଡି ଚାବି ଆଦି ବାହାରକୁ ଫିଙ୍ଗି ଦେଇଥିଲେ । ଭିଜିଲାନ୍ସ ତାକୁ ଜବତ କରିଛି ।

ସେହିପରି ଯାଞ୍ଚ ବେଳେ ଉତ୍କଳ କଣିକା ଗ୍ୟାଲେରିଆରେ ଦୁଇଟି ଦୋକାନ, ସିଫୋନି ମଲରେ ଗୋଟିଏ ଦୋକାନ ଓ ପଟିଆରେ ଏକ ୪ମହଲା ଘର ଠାବ ହୋଇଛି । ଚଢାଉ ଜାରି ରହିଥିବା ବେଳେ ଆଗକୁ ଏହାର ପରିମାଣ ବଢିବା ସମ୍ଭାବନା ରହିଛି ।


Reporterspen