Odisha Vigilance : ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ

Reporterspen

Odisha Vigilance: ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି । ଚଢାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି ।

ଭିଜିଲାନ୍ସ ସୂଚନା ଅନୁସାରେ, ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା । ତେବେ ଭୁବନେଶ୍ୱର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଂଟ ବଳରେ ଆଜି ତାଙ୍କ ଘର ଉପରେ ଚଢାଉ କରାଯାଇଥିଲା । ନୟାଗଡ ସ୍ଥିତ ତାଙ୍କ ପୈତୃକ ଘର ସମେତ ଭିଜିଲାନ୍ସ ୧୦ଟି ସ୍ଥାନରେ ଚଢାଉ କରିଥିଲା ।

ଏହି ଚଢାଉ ବେଳେ ନୀଳାଦ୍ରିବିହାର ସେକ୍ଟର ୫ରେ ଥିବା ପ୍ଲଟ ନମ୍ବର ୨୨୬ରେ ଏକ ତିନି ମହଲା କୋଠା, କସ୍ମୋପଲ୍ଲୀରେ ଦୁଇଟି ଫ୍ଲାଟ, ଉତ୍କଳ କଣିକା ଗ୍ୟାଲେରିଆ ମଲ୍ ରେ ଥିବା ୪୦୦ ବର୍ଗଫୁଟ୍ ଅଂଚଳରେ ଥିବା ନ୍ୟାକା ଲକ୍ସ ଶୋ-ରୁମ୍ (ସପ୍ ନଂ-୦୨୪), ସିମ୍ଫୋନୀ ମଲ୍ ପାହାଳାରେ ଏକ ଦୋକାନ ଘର ଠାବ ହୋଇଛି । ସେହିପରି ୧୩ଟି ମୂଲ୍ୟବାନ ଜମି, ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ମୋଟ ୭୫ ଲକ୍ଷ ଟଙ୍କା, ୩୦ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଓ ଘରୋଇ ଉପକରଣ ଆଦି ଭିଜିଲାନ୍ସ ଠାବ କରିଛି । ତେବେ ଚଢାଉ ଜାରି ରହିଥିବା ବେଳେ ସଂପତିଗୁଡିକର ମୂଲ୍ୟ ଓ ମାପ ନିର୍ଣ୍ଣୟ କରୁଛି । ଏହି ସଂପତି କେମିତି ଆସିଛି ବୋଲି ଜେନାଙ୍କୁ ପଚାରାଉଛନ୍ତି । ତଦନ୍ତ ଚାଲିଥିବା ବେଳେ ଅଧିକ ସଂପତି ଠାବ ହେବାର ସମ୍ଭାବନା ଅଛି ।

ଆଜିର ଏହି ଚଢାଉରେ ଭିଜିଲାନ୍ସର ୧୦ଟି ଟିମ୍ ସାମିଲ ଥିଲେ । ଯେଉଁଥିରେ ୭ ଜଣ ଡିଏସପି, ୫ ଜଣ ଇନସ୍ପେକ୍ଟର, ୧ ଜଣ ସବ-ଇନସ୍ପେକ୍ଟର, ୧୧ଜଣ ଏଏସଆଇ ସହିତ ଅନ୍ୟାନ୍ୟ ଷ୍ଟାଫ୍ ଥିଲେ । ସେ ବର୍ତ୍ତମାନ ଅଫିସର ଭାବେ ଆରଆଣ୍ଡବି ଡିଭିଜନ-୩ରେ କାର୍ଯ୍ୟରତ ଅଛନ୍ତି । ୦୩.୧୦.୨୦୦୭ ରେ ୫୦୦୦ଟଙ୍କାର କନସୋଲିଡେଟେଡ୍ ଦରମାରେ ଜେଇ ଭାବରେ ସେବା ଆରମ୍ଭ କରିଥିଲେ ।


Reporterspen