ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଅନୁଗୋଳରେ ଶୁକ୍ରବାର ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ର ଉଦ୍ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଅନୁଗୋଳ ମାଟି ସଂସ୍କୃତି, ପରମ୍ପରା ଓ ଆତିଥ୍ୟରେ ସଦା ଅନନ୍ୟ ରହିଛି ଏବଂ ଏହି ମହୋତ୍ସବ ଏହି ଅଞ୍ଚଳର ସାମୁଦାୟିକ ଏକତା ଓ ସାଂସ୍କୃତିକ ଗର୍ବକୁ ଆହୁରି ମଜବୁତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନୁଗୋଳ ଜିଲ୍ଲା ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ହୋଇ ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ଶିଳ୍ପ ଉନ୍ନତିର ଏକ ସୁଦୃଢ ମିଶ୍ରଣ ଭାବେ ଉଭା ହୋଇଛି । ସାତକୋଶିଆ ଅଞ୍ଚଳ, ମହାନଦୀ ଓ ବ୍ରାହ୍ମଣୀ ନଦୀ ଏବଂ ପର୍ବତମାଳା, ଅନୁଗୋଳ ଜିଲ୍ଲା ପର୍ଯ୍ୟଟନ ଶିଳ୍ପ ବିକାଶରେ ଗୁରୁତ୍ୱ ରଖୁଥିବାବେଳେ, ନାଲକୋ, ଏମସିଏଲ୍ ଓ ଏନ୍ଟିପିସି ଭଳି ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ ଏହି ଜିଲ୍ଲାକୁ ଦେଶର ଏକ ଅଗ୍ରଣୀ ଶିଳ୍ପ କେନ୍ଦ୍ରରେ ପରିଣତ କରିଛି ।
ସେ କହିଥିଲେ ଯେ, ଅନୁଗୋଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା ଏହାର ପ୍ରକୃତ ଶକ୍ତି । ଶୈଳ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର, ମା’ ବୁଢ଼ୀ ଠାକୁରାଣୀ ପୀଠ, ମା’ ହିଙ୍ଗୁଳା ପୀଠ ସହିତ ବିଭିନ୍ନ ପୂଜାସ୍ଥଳୀ ଏହି ଅଞ୍ଚଳର ଧାର୍ମିକ ଐତିହ୍ୟକୁ ଶକ୍ତିଶାଳୀ କରିଛି। ସ୍ଥାନୀୟ ଯାତ୍ରା, ଲୋକନୃତ୍ୟ ଓ ଲୋକଗୀତ ଅନୁଗୋଳର ସାଂସ୍କୃତିକ ଚିହ୍ନଟକୁ ଆହୁରି ଉଜାଗର କରୁଛି । ମୁଖ୍ୟମନ୍ତ୍ରୀ ଅନୁଗୋଳର ଐତିହାସିକ ଅବଦାନକୁ ସ୍ମରଣ କରି ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ, ନୃସିଂହ ରାୟଗୁରୁ ଓ ରାଧାମୋହନ ଗଡନାୟକଙ୍କ ଭଳି ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ, ଏହି ଜିଲ୍ଲାର ସଂଗ୍ରାମ ଓ ସେବା ଭାବନା ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ରହିଛି।
ଶିଳ୍ପ ଓ ଉର୍ଜା କ୍ଷେତ୍ରରେ ଅନୁଗୋଳର ଭୂମିକାକୁ ଉଲ୍ଲେଖ କରି ସେ କହିଥିଲେ ଯେ, ବିସ୍ତୀର୍ଣ୍ଣ କୋଇଲା ଖଣି ଓ ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ଏହି ଜିଲ୍ଲା ରାଜ୍ୟର ‘ଶକ୍ତି କେନ୍ଦ୍ର’ ଭାବେ ପରିଚିତ ହେଉଛି । ତାଳଚେରରେ ପ୍ରସ୍ତାବିତ Integrated Surface Coal Gasification Plant ଭବିଷ୍ୟତରେ ଉର୍ଜା ସୁରକ୍ଷା ଓ ନିଯୁକ୍ତି ସୃଷ୍ଟିରେ ନୂଆ ଦିଗ ଖୋଲିବ ବୋଲି ସେ ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ, ପାରାଦୀପରୁ ରାଉରକେଲା ପର୍ଯ୍ୟନ୍ତ ଏକ ବିଶାଳ ଶିଳ୍ପ କରିଡର ଗଠନ ଯୋଜନା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବ ଏବଂ ଏହାର କେନ୍ଦ୍ରସ୍ଥଳ ଭାବେ ଅନୁଗୋଳ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ ପୂର୍ବବର୍ଷ ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ପରେ, ଏହି ବର୍ଷ ମଧ୍ୟ ଅନୁଗୋଳ ପାଇଁ ୫୫୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ରଖାଯାଇଛି । ଏଥିରେ ସଡ଼କ, ସେତୁ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଅଙ୍ଗନବାଡ଼ୀ, ଛାତ୍ରାବାସ ଓ କ୍ରୀଡ଼ା ଭିତ୍ତିଭୂମି ସମ୍ମିଳିତ ଅଛି, ଯାହା ଜିଲ୍ଲାର ସମଗ୍ର ବିକାଶକୁ ସୁନିଶ୍ଚିତ କରିବ। ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’, ‘ସମୃଦ୍ଧ କୃଷକ ଯୋଜନା’, ‘ସୁଭଦ୍ରା ଯୋଜନା’, ‘କନ୍ୟା ବିବାହ ଯୋଜନା’ ଓ ‘କନ୍ୟା ସୁମଙ୍ଗଳ ଯୋଜନା’ ଭଳି ପଦକ୍ଷେପ ମାଧ୍ୟମରେ କୃଷକ, ମହିଳା, ଯୁବ ଓ ଗରିବ ବର୍ଗଙ୍କ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିଛି।
ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ଯେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହିତ ସୁଶାସନ, ପାରଦର୍ଶିତା ଓ ଦୁର୍ନୀତି ବିରୋଧରେ ‘ଜିରୋ ଟୋଲେରାନ୍ସ’ ନୀତି ଅବ୍ୟାହତ ରହିଛି । ‘ବିକଶିତ ଭାରତ-୨୦୪୭’ ଓ ‘ସମୃଦ୍ଧ ଓଡ଼ିଶା-୨୦୩୬’ ଲକ୍ଷ୍ୟ ପୂରଣରେ ଅନୁଗୋଳ ଜିଲ୍ଲା ଏକ ପ୍ରମୁଖ ଭୂମିକା ନେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିଥିଲେ ଓ ଏକ ସ୍ମରଣିକା “ଆମ ଜିଲ୍ଲା ଆମ କଥା” ଉନ୍ମୋଚନ କରିଥିଲେ । ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଓ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ସଭା ଶେଷରେ ଅନୁଗୋଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।

