Political News: ଶିଳ୍ପମନ୍ତ୍ରୀଙ୍କ ଗୁମର ଖୋଲିଲେ ବାପି ସର୍ଖେଲ

Reporterspen

ମନ୍ତ୍ରୀ ହେବା ପରେ ସମ୍ପଦଙ୍କ ପରିବାରରେ ୧୮ ଠିକାଦାର ସୃଷ୍ଟି : ବାପି

Political News: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : କ୍ଷମତାର ଅପବ୍ୟବହାର କରି ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ନିଜର ଓ ନିଜ ପରିବାରର ମୁନାଫା ଚିନ୍ତା କରୁଛନ୍ତି । ପାରାଦ୍ୱୀପରେ ଥିବା ଶିଳ୍ପ ସଂସ୍ଥା ଉପରେ ମନ୍ତ୍ରୀଙ୍କ ପ୍ରଭାବ, ଜୁଲମ ଓ ମନ୍ତ୍ରୀ ହେବା ପରେ ନିଜ ପରିବାର ୧୮ଜଣ ଠିକାଦାର ପାଲଟିବା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରମିକ ନେତା ବାପି ସର୍ଖେଲ କହିଛନ୍ତି ।

ସୋସିଆଲ ମିଡ଼ିଆରେ ବାପି କହିଛନ୍ତି, ପାରାଦ୍ୱୀପ ମାଟିର ପୁଅ ସମ୍ପଦ ସ୍ୱାଇଁ ଶିଳ୍ପମନ୍ତ୍ରୀ ହେବାର ମାତ୍ର ବର୍ଷେ ହୋଇଛି । ଏହି ବର୍ଷକ ମଧ୍ୟରେ ସେ ରାଜ୍ୟର ଶିଳ୍ପ କଥା ଯେତିକି ଚିନ୍ତା ନକରିଛନ୍ତି, ତା’ଠୁ ଅଧିକ ନିଜ ପରିବାରର କଥା ଚିନ୍ତା କରିଛନ୍ତି । ମନ୍ତ୍ରୀ ହେବା ପରେ ସେ ପ୍ରଥମେ ପିପିଏଲ୍ କମ୍ପାନୀକୁ ନିଜ କବ୍ଚାକୁ ନେଇଛନ୍ତି । ଉଦାହରଣ ସ୍ୱରୂପ ପିପିଏଲ୍ ପୂର୍ବରୁ ଜିପସମ୍ ୩୨୦ଟଙ୍କା (ଜିଏସଟି ଛାଡି)ରେ ବିକ୍ରି କରୁଥିଲା । ଏହାକୁ ୧୫/୨୦ ଟ୍ରେଡିଂ କମ୍ପାନୀ ନେଉଥିଲେ । ମାଟିର ପୁଅ ମନ୍ତ୍ରୀ ହେବା ପରେ ତାଙ୍କ ବାପାଙ୍କର ଏନ୍‌କେଏସ୍ କମ୍ପାନୀ ଏକମାତ୍ର ସଂସ୍ଥା ଭାବେ ଟ୍ରେଡିଂ କରିବାକୁ ଯୁକ୍ତି କରାଯାଇଛି ।

ହେଲେ ଆଶ୍ଚର୍ଯ୍ୟଜନକ ଭାବେ ମୂଲ୍ୟ ୩୨୦ରୁ ୧୦୦ ଟଙ୍କାକୁ ଖସିଆସିଛି । ଏଥିରୁ ସ୍ପଷ୍ଟ ଯେ, ମନ୍ତ୍ରୀଙ୍କ ଚାପରୁ ପିପିଏଲ ଏଭଳି ଯୁକ୍ତି କରିଛି । କାରଣ ପ୍ରଦୂଷଣ ଲାଗି ପିପିଏଲ ମାସେ ବନ୍ଦ ରହିଥିଲା । ସେ ଭୟରେ କମ୍ପାନୀ ବୋଧହୁଏ ଏଭଳି ଯୁକ୍ତି କରିବାକୁ ବାଧ୍ୟ ହୋଇଛି । ପିପିଏଲରୁ ମାସକୁ ଅତି କମରେ ୫୦ଟନ୍ ଜିପସମ କାରବାର ହେଉଛି । ଏହିବାବଦରେ ମାସକୁ ପ୍ରାୟ ଦେଢକୋଟି ଟଙ୍କା ମନ୍ତ୍ରୀଙ୍କ ବାପା ଲାଭ ପାଉଛନ୍ତି ।

ସେହିପରି ଦୀର୍ଘଦିନ ହେଲା ପାରାଦ୍ୱୀପ ଟ୍ରକ ମାଲିକ ସଂଘ, ଜଗତସିଂପୁର ଜିଲ୍ଲା ଟ୍ରକ ମାଲିକ ସଂଘ ଓ ଜଗନ୍ନାଥ ଟ୍ରକ ମାଲିକ ସଂଘ ଜିପସମ୍ ତାଙ୍କ ମାଧ୍ୟମରେ ଟ୍ରାନ୍ସପୋର୍ଟ ହେଉ ବୋଲି ଚାହୁଁଥିଲେ । ମାଟିର ପୁଅ ମନ୍ତ୍ରୀ ହେବା ପରେ ଟ୍ରକ ମାଲିକ ସଂଘକୁ ଡାକି ଏକ ବୈଠକ କରିଥିଲେ । ଆଶା କରାଯାଉଥିଲା, ଟ୍ରକ ମାଲିକମାନେ ଏଥିରେ ବେଶ ଲାଭବାନ ହେବେ । ମାତ୍ର ଏହା ପଛରେ ମନ୍ତ୍ରୀଙ୍କ ଲାଭଖୋର ମନୋବୃତ୍ତି ଥିବା ଜଣାପଡିଲା ।

ବୈଠକ ପରେ ଟ୍ରକ ମାଲିକ ସଂଘ କେବଳ ଇଫକୋରୁ ଟ୍ରାନ୍ସପୋର୍ଟ କରିବେ ବୋଲି କୁହାଗଲା । ତାହା ପୁଣି ୭୦ ଭାଗ । ବାକି ୩୦ ଭାଗ ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରଷ୍ଟ ନାମକ ଏକ ସଂସ୍ଥ୍‌ା ଟ୍ରାନ୍ସପୋର୍ଟ କରିବ । ଏହି ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରଷ୍ଟ ପଛରେ ମନ୍ତ୍ରୀ ଅଛନ୍ତି । ଏହି ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରଷ୍ଟ ପରାଦ୍ୱୀପରୁ ଖାଲି ଫେରୁଥିବା ଟ୍ରକକୁ ଇଫକୋରେ ପୁରାଇ ଟ୍ରାନ୍ସପୋର୍ଟ କରାଇଲେ । ଟ୍ରକ ସଂଘର ଭଡା ୮୦୦ ଟଙ୍କା ଥିବା ବେଳେ ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରଷ୍ଟ ରିଟର୍ଣ୍ଣ ଗାଡିକୁ ୩୦୦ ଟଙ୍କା ଭଡା ଦେଇ କାରବାର କରୁଛି । ଫଳରେ ଏଥିରୁ ୫୦୦ ଟଙ୍କା ଲାଭ ମିଳିଲା । ଏହି ଲାଭ ଟଙ୍କା ମଧ୍ୟ ମନ୍ତ୍ରୀଙ୍କ ପକେଟକୁ ଗଲା ।

ସେହିପରି ପାରାଦ୍ୱୀପରେ ଥିବା ସମସ୍ତ କମ୍ପାନୀର ଠିକା କାମ ମନ୍ତ୍ରୀଙ୍କ ପରିବାର ଲୋକେ କରୁଛନ୍ତି । ବର୍ଷକ ଭିତରେ ଭାଇ, ମାମୁଁ, ଶଳା ଏଭଳି ଭାବେ ତାଙ୍କ ପରିବାରର ୧୮ଜଣ ନୂଆ ଠିକାଦାର ସୃଷ୍ଟି ହୋଇଛନ୍ତି । ତେବେ ଏସବୁ ଘଟଣାକୁ ନେଇ ଟ୍ରକ୍ ମାଲିକ ସଂଘ, ଠିକାଦାର, ଶ୍ରମିକ ଓ ସ୍ଥାନୀୟ ଲୋକେ ଅସନ୍ତୋଷ ଥିଲେ ମଧ୍ୟ ମନ୍ତ୍ରୀଙ୍କ ଭୟରେ କେହି ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାଁନ୍ତି । ଆଗାମୀ ଦିନରେ ଲୋକେ ଏହାର ଜବାବ ଦେବେ ବୋଲି ଶ୍ରୀସର୍ଖେଲ କହିଛନ୍ତି । ଅନ୍ୟପକ୍ଷରେ ଏନେଇ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


Reporterspen
!-- afp header code starts here -->