commissionerate police: ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜଧାନୀ ଭୁବନେଶ୍ୱର ଏବେ ଅସୁରକ୍ଷିତ ହୋଇପଡିଛି । ଦିନରେ ଯାହା ଯେମିତି ଚଳିଯାଉଛି, ହେଲେ ରାତି ହେଲେ ଘରୁ ବାହାରିବାକୁ ଡର ଲାଗୁଛି । ରାସ୍ତାରେ ରକ୍ତମୁଖା ଅପରାଧୀମାନେ ହାତରେ ଖଣ୍ଡା-ବନ୍ଧୁକ ଧରି ବୁଲୁଛନ୍ତି । ଲୋକଙ୍କୁ ଲୁଟ୍ପାଟ କରିବା ଉଦ୍ଦେଶ୍ୟରେ କେଉଁଠି ଖଣ୍ଡା ଚୋଟ ମାରୁଛନ୍ତି ତ ଆଉ କେଉଁଠି ଗୁଳିମାଡ କରୁଛନ୍ତି । ଗତକିଛିଦିନ ହେଲା ଏଭଳି ଅପରାଧୀମାନେ ରାଜଧାନୀରେ ଆତଙ୍କ ସୃଷ୍ଟି କରୁଛନ୍ତି । ହେଲେ ମହାବଳଶାଳୀ କମିଶନରେଟ ପୋଲିସ ସବୁଜାଣି ନଜାଣିବା ଭଳି ଅଭିନୟ କରିଚାଲିଛି ।
ଦୁଇଦିନ ତଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ମିଡିଆ ହାଉସର କର୍ମଚାରୀ ଚନ୍ଦ୍ରଭାନୁ ବେହେରା ଅଫିସ ସାରି ଘରକୁ ଫେରୁଥିଲେ । ରାତି ପ୍ରାୟ ୨ଟା ବେଳେ ଶ୍ରୀବେହେରା ନିଜ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ପାଣ୍ଡରା ଛକ ନିକଟରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ସେ ନଅଟକି ଚାଲି ଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରିଥିଲେ । ଖଣ୍ଡା ବୁଲାଇ ବୁଲାଇ ଫିଲ୍ମ ଷ୍ଟାଇଲରେ ତାଙ୍କୁ ଗୋଡାଇଥିଲେ ।
ଏମିତି କିଛି ବାଟ ଗୋଡାଇବା ପରେ ଦୁବୃତ୍ତମାନେ ଶ୍ରୀବେହେରାଙ୍କୁ ଓଭରଟେକ କରିବାକୁ ଉଦ୍ୟମ କରିଥିଲେ । ଭୟରେ ଶ୍ରୀବେହେରା ନିଜ ଗାଡିରୁ ଡେଇଁ ପଡିବା ସହ ନିକଟରେ ଥିବା ଏକ କମ୍ପାନୀ ପାଚେରି ଡେଇଁ ସେପଟକୁ ପଳାଇଯାଇଥିଲେ । କମ୍ପାନୀରୁ ସିକ୍ୟୁରିଟି ଗାର୍ଡ ଉଠିବା ପରେ ସେ ପୋଲିସକୁ ଫୋନ କରିଥିଲେ । ଇତି ମଧ୍ୟରେ ଅପରାଧୀାମାନେ ତାଙ୍କ ଗାଡିକୁ ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ଚାବି ନଥିବାରୁ ସେମାନେ ଗାଡିକୁ ନେଇନପାରି ଭାଙ୍ଗିରୁଜି ଦେଇଥିଲେ । ଏନେଇ ଶ୍ରୀବେହେରା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ସେହିପରି ଗତ ୧୯ ତାରିଖ ରାତିରେ ମଞ୍ଚେଶ୍ୱର ଥାନା ଚକେଇସିହାଣୀରେ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଥିଲେ । ଆହତ ଛାତ୍ର ଜଣକ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ରୁଦ୍ରନାରାୟଣ ପାତ୍ର । ତାଙ୍କର ଅବସ୍ଥା ଏବେ ବି ଗୁରୁତର ରହିଛି । ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି ।
ଗତ ୨୫ ତାରିଖ ରାତିରେ ଇନଫୋଭ୍ୟାଲି ଥାନା ପିତାପଲ୍ଲୀରେ ଗୁଳିକାଣ୍ଡ ଘଟିଥିଲା । ଘଟଣାଦିନ ରାତି ପ୍ରାୟ ୧୨ଟା ସମୟରେ ପିତାପଲ୍ଲୀ ଅଂଚଳର ପ୍ରଶାନ୍ତ ସ୍ୱାଇଁ ଓରଫ ଗେଣ୍ଡୁ ଶନିବାର ରାତି ଏକ ହୋଟେଲରୁ ଖାଇସାରି ଘରକୁ ଫେରୁଥିଲେ । ଏହି ସମୟରେ ଏକ ହୁଣ୍ଡାଇ କାରରେ ଯାଉଥିବା ଦୀପୁ, ତାଭାଇ ଲିପୁ ଓ ଅନ୍ୟ ସହଯୋଗୀମାନେ ଗେଣ୍ଡୁଙ୍କୁ ସାଇଡ୍ ମାରିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଗେଣ୍ଡୁଙ୍କୁ ହତ୍ୟା କରିବାକୁ ଦୀପୁ ଫାୟାରିଂ କରିଥିଲା । ତେବେ ଫାୟାରିଂ କରିବା ସମୟରେ ଭାଇ ଗେଣ୍ଡୁଙ୍କୁ ବଂଚାଇବାକୁ ଯାଇ ପିଂଟୁ ଗୁଳିମାଡ଼ର ଶିକାର ହୋଇଥିଲେ । ଏତିକିରେ ଦୀପୁର କ୍ରୋଧ ଶାନ୍ତ ହୋଇନଥିଲା । ସେ ଓ ତା’ର ସହଯୋଗୀମାନେ ବିଭିନ୍ନ ଧାରୁଆ ମାରଣାସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିଲେ । ଏହା ଛଡା ନିକଟରେ ଏଭଳି ଏକାଧିକ ଅପରାଧ ଘଟିଛି ।
ଏସବୁ ଘଟଣାକୁ ଅନୁଧ୍ୟାନକଲେ ରାଜଧାନୀ ଭୁବନେଶ୍ୱର ଏବେ ସମ୍ପୂର୍ଣ୍ଣଭାବେ ଅସୁରକ୍ଷିତ ହୋଇପଡିଥିବା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଅନଭିଜ୍ଞ, ଅପରିପକ୍ୱ ଓ ସୁପାରିଶରେ ଆସି ଥାନା-ଫାଣ୍ଡିରେ କାମ କରୁଥିବା ଅଫିସରଙ୍କ ଯୋଗୁଁ ଏଭଳି ଅପରାଧ ଘଟୁଥିବା ଲୋକେ ଅଭିଯୋଗ କରୁଛନ୍ତି । ବିଶେଷ କରି ଥାନା ଅଧିକାରୀମାନେ ଲୋକଙ୍କ ସହ ସିଧାସଳକ ସମ୍ପର୍କ ରଖୁନଥିବାରୁ ଏଭଳି ଅପରାଧର ମାତ୍ରା ବଢୁଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।