Political News: ପଦଯାତ୍ରାର ଅନୁଭୂତି ନେଇ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହୁଅ: ମନମୋହନ ସାମଲ

Reporterspen

Political News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଚିରସ୍ମରଣୀୟ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିରାଟ ଭାରତବର୍ଷ ଗଠନର ପ୍ରମୁଖ ବିନ୍ଧାଣୀ ଥିଲେ । ୫୬୫ଟି ରାଜାଙ୍କ ଦ୍ୱାରା ଶାସିତ ହେଉଥିବା ରାଜ୍ୟକୁ ଭାରତ ସହ ମିଶାଇବାରେ ତାଙ୍କ ଭୂମିକା ଥିଲା ଅବିସ୍ମରଣୀୟ । ସେ ତାଙ୍କ ଗଡଜାତ ମିଶନ ଓଡିଶାର ନୀଳଗିରିରୁ ଆରମ୍ଭ କରିଥିଲେ । ଯେତେବେଳେ ସାରା ଦେଶରେ ଏକତା, ଅଖଣ୍ଡତା, ସାର୍ବୋଭୌମତ୍ୱ କଥା ଉଠେ, ସେତେବେଳେ ସର୍‌ଦ୍ଦାର ପଟେଲଙ୍କ କଥା ମନେପଡେ । ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏବଂ ଯୁବପୀଢୀଙ୍କ ମଧ୍ୟରେ ଏକତା, ଦେଶପ୍ରେମ ଓ ନାଗରିକ କର୍ତବ୍ୟ ଭାବନାକୁ ଜାଗ୍ରତ କରିବା ନିମନ୍ତେ ଅକ୍ଟୋବର ୩୧ରୁ ଦେଶବ୍ୟାପୀ ତାଙ୍କ ଜନ୍ମଜୟନ୍ତୀ ପାଳନ କରାଯାଉଛି । ୩ ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତିମ ପର୍ଯ୍ୟାୟ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିଲା । ଶେଷ ପର୍ଯ୍ୟାୟରେ ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥାନ ଗୁଜୁରାଟର କରମସଦରୁ କେଭଡିଆସ୍ଥିତ ବିରାଟ ପ୍ରତିମୂର୍ତି ପର୍ଯ୍ୟନ୍ତ ୧୫୦ କିଲୋମିଟର ପଦଯାତ୍ରା ଆୟୋଜନ କରାଯାଇଥିଲା । ଓଡିଶାର ସାଢେ ୪ କୋଟି ଜନତାଙ୍କ ମଧ୍ୟରୁ ୭୪ ଜଣ ପଦଯାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେବାର ସୁଯୋଗ ପାଇଥିଲେ । ଏହା ଆମ ରାଜ୍ୟ ପାଇଁ ଗୌରବର ବିଷୟ । ଏନେଇ ଉକ୍ତ ପଦଯାତ୍ରୀମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଯୁବମୋର୍ଚ୍ଚାର ପଦଯାତ୍ରୀମାନଙ୍କ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶ୍ରୀସାମଲ କହିଛନ୍ତି ଯେ, ଚଳିତ ବର୍ଷ ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ବର୍ଷ । ଏହି ବର୍ଷ ଡ. ହରେକୃଷ୍ଣ ମହାତାବଙ୍କ ୧୨୫ତମ ଜନ୍ମଜୟନ୍ତୀ, ଅଟଳବିହାରୀ ବାଜପେୟୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ, ବନ୍ଦେ ମାତରମ୍‌, ଭଗବାନ ବିର୍ସାମୁଣ୍ଡା ଓ ସର୍ଦ୍ଦାର ପଟେଲଙ୍କ ୧୫୦ ବର୍ଷ ଜୟନ୍ତୀ ଆମେ ପାଳନ କରୁଛୁ । ଏହା ଆମ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ଭରିଦେଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୪୭ ବିକଶିତ ଭାରତ ଓ ୨୦୩୬ ବିକଶିତ ଓଡିଶା ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେଥିରେ ଯୁବପିଢୀଙ୍କ ପ୍ରମୁଖ ଯୋଗଦାନ ରହିବ । ଏହି ପଦଯାତ୍ରାରେ ସେମାନେ ଯୋଗଦେଇ ଯେଉଁ ଅନୁଭବ ସାଉଁଟିଛନ୍ତି ତାହାକୁ ଆଧାର କରି ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବାକୁ ଯୁବପିଢୀଙ୍କୁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ଯେ, କରମସଦରେ ହୋଇଥିବା ପଦଯାତ୍ରାରେ ଓଡିଶାରୁ ଯୋଗଦେଇଥିବା ୭୪ ପଦଯାତ୍ରୀଙ୍କ ଏହି ଅନୁଭୂତି ସେମାନଙ୍କ ମନରେ ରୋମାଂଚ ଭରିବା ସହ ସାରାଜୀବନ ପାଇଁ ମନେ ରହିବ । ଓଡିଶାରେ ସର୍‌ଦ୍ଦାର ପଟେଲ ଉପଲକ୍ଷେ ୬୪ଟି ସ୍ଥାନରେ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏଠାରେ ସମୁଦାୟ ୪୪୮ କିଲୋମିଟର ଯାତ୍ରା ହୋଇଥିଲା । ଓଡିଶାରେ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ । ଭାରତର ସ୍ୱାଧୀନତା ପରବର୍ତୀ ଇତିହାସକୁ ମନେ ପକାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା । କିଭଳି ଭାବେ ଦେଶ, ମାତୃକାର ସେବା ପାଇଁ ଆମ ମହାପୁରୁଷମାନେ ବଳିଦାନ ଦେଇଥିଲେ ତାହାକୁ ସ୍ମରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ବରିଷ୍ଠ ନେତା ଗୋଲକ ମହାପାତ୍ର କହିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପଦଯାତ୍ରାରେ ଓଡିଶାର ପ୍ରତ୍ୟେକ ବର୍ଗର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କରମସଦରେ ହୋଇଥିବା ପଦଯାତ୍ରାରେ ଓଡିଶାରୁ ଯୋଗଦେଇଥିବା ୭୪ ପଦଯାତ୍ରୀ ନିଜ ଅନୁଭୂତିକୁ ନିଜ ଦୈନନ୍ଦିନ କାର୍ଯ୍ୟରେ ଲଗାଇବା ସହ ଅନ୍ୟମାନଙ୍କ ସହ ବାଂଟି ବିକଶିତ ଓଡିଶା ଗଠନରେ ସହଭାଗୀ ହୁଅନ୍ତୁ ।

ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ଯେ, ସର୍‌ଦ୍ଦାର ପଟେଲଙ୍କ ଜନ୍ମସ୍ଥାନରେ ହୋଇଥିବା ପଦଯାତ୍ରାରେ ଯୋଗଦେଇଥିବା ଯୁବ ପଦଯାତ୍ରୀଙ୍କ ପାଇଁ ଏହି ଅନୁଭୂତି ସାରାଜୀବନ ପାଇଁ ମନେ ରହିବ । ଏଥିରେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତା ଏକତା ଆମ୍ବାଷଡର ଭାବେ ଦେଶର ଏକତାକୁ ବଜାୟ ରଖିବା ପାଇଁ ନିଜ ନିଜ ଅଂଚଳରେ କାମ କରିବେ ।

ଏହି ସମ୍ବର୍ଦ୍ଧନା ସଭାରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତଥା କାର୍ଯ୍ୟକ୍ରମର ସଂଯୋଜକ ପ୍ରଶାନ୍ତ ପାଇକରାଏ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ସୁବତ୍ର ବିଶ୍ୱାଳଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।


Reporterspen