Political News: ଅସଜଡା ବିଜେଡିକୁ ସଜାଡିବାକୁ ଆସିବେ ସୁଜାତା!

Reporterspen

Political News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ନୂଆପଡ଼ା ଉପ-ନିର୍ବାଚନ ହାରିବା ପରେ ବିଜେଡିରେ ବିଭ୍ରାଟ ବଢିବାରେ ଲାଗିଛି । ଦଳ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ କେତେକ ଏହାକୁ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଦଳଭିତରେ ରହି ନାରୀନେତ୍ରୀ ଏଲିନା ଦାସ ଏବେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ପରାଜୟ ପରେ ଦଳ ଏବେ ଅସଜଡା ହୋଇଥିବା ବେଳେ ନୂଆ ମଙ୍ଗୁଆଳ ଆସିବା ଲାଗି ବାଟ ଖୋଲିଛି । ତେବେ ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇ ଦଳର ମଙ୍ଗୁଆଳ ସାଜିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ନିକଟରେ ସୁଜାତା ସ୍ୱେଚ୍ଛାକୃତ ଭାବେ ଚାକିରୀରୁ ଅବସର ନେଇଛନ୍ତି । ସେ ବ୍ୟକ୍ତଗତ କାରଣ ଦର୍ଶାଇ ଅବସର ନେଇଥିଲେ ମଧ୍ୟ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ରାଜନୈତିକ ମହଲରେ ବେଶ ଆଲୋଚ୍ୟର ବିଷୟ ପାଲଟିଛି । ଶ୍ରୀମତୀ କାର୍ତ୍ତିକେୟନ ଚାକିରୀ ଛାଡି ବିଜେଡିରେ ମିଶି ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ଏଭଳି ଚର୍ଚ୍ଚା ପରେ ବିଜେଡିର ଦୁଇଗୋଷ୍ଠୀ ସକ୍ରିୟ ହୋଇଉଠିଛନ୍ତି ।

କୁହାଯାଉଛି, ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ଏବେ ବି ବିଜେଡିରେ ତାଙ୍କର ଆଧିପତ୍ୟ ରହିଛି । ଗୋଟିଏ ଗୋଷ୍ଠୀ ତାଙ୍କୁ ଏବେ ବି ଦଳର ସର୍ବେସର୍ବା ବୋଲି ବିବେଚନା କରୁଛନ୍ତି । ତାଙ୍କ ବିନା ନିର୍ଦ୍ଦେଶରେ ଦଳରେ ସାମ୍ବାଦିକ ସମ୍ମିଳନିଟିଏ ମଧ୍ୟ କରୁନାହାନ୍ତି । ଏପରିକି ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ହେଲେ ଅନ୍ୟ ଏକ ଗୋଷ୍ଠୀ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟି କରି ତାଙ୍କୁ ବିରୋଧ କରୁଛନ୍ତି । ପାଣ୍ଡିଆନଙ୍କୁ ନେଇ ବିଜେଡିରେ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଛି । ଯାହା ଦଳ ପାଇଁ ଶୁଭଙ୍କର ନୁହେଁ । ଏପରିକି ରାଜ୍ୟବାସୀ ମଧ୍ୟ ପାଣ୍ଡିଆନଙ୍କୁ ପ୍ରତ୍ୟାଖାନ କରିଥିବା ଏହି ପରାଜୟରୁ ସ୍ପଷ୍ଟ ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀପାଣ୍ଡିଆନ ଓଡିଶା ଛାଡି ଦିଲ୍ଲୀରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା ।

ଏହି ସମୟ ମଧ୍ୟରେ ହଠାତ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ । ସୁଜାତାଙ୍କ ଅବସର ପରେ ପାଣ୍ଡିଆନ ସପରିବାରେ ଓଡିଶା ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ତାହା ହେଲା ନାହିଁ । ଚର୍ଚ୍ଚା ହେଉଛି, ସେ ଓଡ଼ିଶାରେ ରହି ବିଜେଡିକୁ ପଛରୁ ପରିଚାଳନା କରୁଛନ୍ତି । ୨୦୨୪ ନିର୍ବାଚନରେ ହାରିବା ପରେ ସେ ରାଜନୀତିରୁ ସନ୍ୟାସ ନେଇଥିବା ବେଳେ ଏବେ ପତ୍ନୀଙ୍କୁ ଦଳରେ ମଙ୍ଗୁଆଳ କରିବାକୁ ଲାଗିପଡିଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ ଅସୁସ୍ଥତା ଯୋଗୁଁ ଆଉ ଦଳୀୟ କାର୍ଯ୍ୟକ୍ରମରେ ସେତେଟା ସକ୍ରିୟ ହୋଇପାରୁନାହାନ୍ତି । ଏବେ ନୂଆପଡା ନିର୍ବାଚନ ହାରିବା ପରେ ଦଳ ମଧ୍ୟ ଜଣେ ସକ୍ରିୟ ସଭାପତି ଖୋଜୁଛି ।

ଏହି ସମୟରେ ସୁଜାତା ରାଜନୀତିରେ ସକ୍ରିୟ ହେବା ସହ ବିଜେଡିର ମଙ୍ଗ ସମ୍ଭାଳିବେ ବୋଲି କୁହାଯାଉଛି । କାରଣ ବିରୋଧୀମାନେ ପାଣ୍ଡିଆନଙ୍କୁ ରାଜ୍ୟ ବାହାର ଲୋକ କହି ସିନା ବିବାଦ ସୃଷ୍ଟି କରୁଛନ୍ତି, ହେଲେ ସୁଜାତା ଓଡିଶାର ଝିଅ । ତାଙ୍କୁ ବିରୋଧୀ ସମାଲୋଚନା କରିପାରିବେ ନାହିଁ । ଏଥିସହିତ ଲୋକେ ଗାଁ ଝିଅ ହିସାବରେ ଅତି ସହଜରେ ଗ୍ରହଣ କରିବେ ବୋଲି ବିଶ୍ୱାସ କରାଯାଉଛି । ଏଭଳି ଏକ ସମୀକରଣ କରାଯାଇ ସୁଜାତାଙ୍କୁ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ପ୍ରୋଜେକ୍ଟ କରାଯିବାକୁ ବିଜେଡି ଲକ୍ଷ୍ୟ ରଖିଥିବା କୁହାଯାଉଛି । ତେବେ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ସୁଜାତା ନିର୍ବାଚିତ ହେବା ସହ ଦଳର ମଙ୍ଗ ଧରିବେ ବୋଲି କୁହାଯାଉଛି ।

ଉଲ୍ଲେଖଥାଉ କି, ଓଡିଶାରୁ ଏବେ ଗୋଟିଏ ରାଜ୍ୟସଭା ଆସନ ଫାଙ୍କା ରହିଛି । ସୁଜିତ କୁମାର ବିଜେଡି ଛାଡିବା ପରେ ତାଙ୍କ ଆସନଟି ଫାଙ୍କା ରହିଛି । ଏଥିସହିତ ଏହାକୁ ମିଶାଇ ୨୦୨୬ରେ ଏପ୍ରିଲରେ ୪ଟି ରାଜ୍ୟସଭା ଆସନ ଫାଙ୍କା ହେବ । ନିରଂଜନ ବିିଶି, ମମତା ମହନ୍ତ, ମୁଜ୍ଜିବୁଲା ଖାନଙ୍କ କାର୍ଯ୍ୟକାଳ ୨୦୨୬ରେ ସରିବ । ଏହି ଆସନ ମଧ୍ୟରୁ ଗୋଟିଏ ସଜାତାଙ୍କୁ ମିଳିବ । ରାଜ୍ୟସଭା ମାଧ୍ୟମରେ ସୁଜାତା ରାଜନୀତିକୁ ଏଣ୍ଟ୍ରି କରିବା ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି ।


Reporterspen