President Visit Odisha: ଜନ୍ମଭୂମି, କର୍ମଭୂମିକୁ ଭୁଲିନାହାନ୍ତି ମହାମହିମ ଦୌପଦୀ ମୁର୍ମୁ : ମୁଖ୍ୟମନ୍ତ୍ରୀ

Reporterspen

President Visit Odisha: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଆଜି ଆମ ପାଇଁ ଗୌରବର ବିଷୟ, ଦୀର୍ଘ ୭୫ ବର୍ଷର ଓଡିଶା ବିଧାନସଭାର ଇତିହାସରେ ପ୍ରଥମ ଥର ପାଇଁ ଆଜି ଆମ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧନ କରିଛନ୍ତି । ଏଥି ସହିତ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିଛନ୍ତି । ମହାମହିମ ଆମ ବିଧାନସଭାରୁ ତାଙ୍କର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ନିଜର କଠୋର ଅଧ୍ୟବସାୟ ଓ ତ୍ୟାଗ ଫଳରେ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି । ଆମମାନଙ୍କ ପାଇଁ ଏହା ଶିକ୍ଷଣୀୟ, ସେ ନା’ ନିଜ ଜନ୍ମଭୂମିକୁ ଭୁଲିଛନ୍ତି, ନା’ ନିଜର କର୍ମଭୂମିକୁ ।

ନିଜ ଜନ୍ମଭୂମି ମୟୂରଭଞ୍ଜର ବିକାଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି । ଆଜି ତାଙ୍କର ପ୍ରଥମ କର୍ମଭୂମିକୁ ପରିଦର୍ଶନ କରି ସେ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି ଯେ, ମଣିଷ ଯେତେବଡ ହେଲେ ସୁଦ୍ଧା ନିଜର ଜନ୍ମଭୂମି ଏବଂ ପ୍ରଥମ କର୍ମଭୂମିକୁ ଭୁଲିବା ଉଚିତ ନୁହେଁ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଆଦିବାସୀ ପଲ୍ଲୀ ଉପରବେଡା ଗ୍ରାମର ଏକ ସାଧାରଣ ସାନ୍ତାଳି ପରିବାରରେ ରାଷ୍ଟ୍ରପତି ଜନ୍ମଗ୍ରହଣ କରିଥିଲେ । ସମସ୍ତ ଝଡଝଞ୍ଜା ସତ୍ୱେ୍ୱ କେବେବି ଜୀବନରେ ସେ ହାର ମାନି ନାହାନ୍ତି । ଝାଡଖଣ୍ଡ ରାଜ୍ୟର ରାଜ୍ୟପାଳ ଥିବା ବେଳେ ସେପ୍ଟେମ୍ବର ୨୦୧୬ ମସିହାରେ ଭୁବନେଶ୍ୱରରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଜୀବନ ସଂଗ୍ରାମ ବିଷୟରେ କହିଥିଲେ । କିପରି ଭାବେ ସ୍କୁଲରେ ପଢିଲା ବେଳେ, ରୋଷେଇ କରିବା ପାଇଁ ପ୍ରତିକୂଳ ପରିସ୍ଥିତିରେ ବି ଜଙ୍ଗଲରୁ ରୋଷେଇ କରିବା ପାଇଁ କାଠ ସଂଗ୍ରହ କରୁଥିଲେ ସେ ସମ୍ପର୍କରେ ରାଷ୍ଟ୍ରପତି କହିଥିଲେ ।

ଏମିତି ଏକ ପରିବେଶରେ ସଂଘର୍ଷ କରି ରାଜନୀତିରେ ସଫଳ ହେବା ଏବଂ ଦେଶର ସର୍ବୋଚ୍‌ଚ ଆସନରେ ପହଞ୍ଚିବା କେବେ ହେଲେ ସଂଯୋଗ ନୁହେଁ । ଏହା ଜନସେବା ପାଇଁ ଆପଣଙ୍କ କଠୋର ତପସ୍ୟା ଏବଂ ଇଶ୍ୱରଙ୍କ ଆଶୀର୍ବାଦର ଫଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବ୍ୟକ୍ତିଗତ ଭାବେ ମୁଁ ଅଭିଭୂତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାରଣ ମୋ ପରି ଜଣେ ସାଧାରଣ ଆଦିବାସୀ ପରିବାରରେ ଜନ୍ମିତ ବ୍ୟକ୍ତିକୁ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ମିଳିଛି । ଓଡିଶା ପରି ରାଜ୍ୟ, ଯେଉଁଠାରେ ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଜନଜାତି ସଂପ୍ରଦାୟର । ସେହି ସମ୍ପ୍ରଦାୟରୁ ଦେଶର ରାଷ୍ଟ୍ରପତି ତଥା ପ୍ରଥମ ନାଗରିକ ଭାବେ ସେବା କରିବା ପାଇଁ ମହାମହିମ ଦ୍‌ରୌପଦୀ ମୁର୍ମୁଙ୍କୁ ସୁଯୋଗ ମିଳିଛି ଏବଂ ରାଜ୍ୟର ସେବା କରିବା ପାଇଁ ମୁଖ୍ୟ ସେବକ ଭାବେ ମୋତେ ମଧ୍ୟ ସୁଯୋଗ ମିଳିଛି ।

ବିଧାନସଭାରେ ଆଜିର ଆଗମନ ପୁଣିଥରେ ଆପଣଙ୍କ ସ୍ୱଚ୍‌ଛ ଦକ୍ଷ ଏବଂ ନିପୁଣ କାର୍ଯ୍ୟଶୈଳୀ ବିଷୟରେ ସମସ୍ତ ସ୍ମୃତିକୁ ଜାଗ୍ରତ କରିଛି । ଏହି ପବିତ୍ର ଗୃହରେ ଆପଣଙ୍କର କାର୍ଯ୍ୟଦକ୍ଷତା ପାଇଁ ଆପଣ ପ୍ରଥମ ମହିଳା ଶ୍ରେଷ୍ଠ ବିଧାୟିକା ଭାବରେ ସମ୍ମାନିତ ହୋଇଥିଲେ । ଓଡ଼ିଶା ସରକାରରେ ମତ୍ସ୍ୟ ଓ ପଶୁପାଳନ, ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବରେ ଯୋଗ ଦେଇ ସୂଚାର ରୂପେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ବର୍ତ୍ତମାନ ରାଷ୍ଟ୍ରପତି ଭାବେ ଆପଣ ଯେଉଁ ଭୂମିକା ନିଭାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


Reporterspen