ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ବିଜେଡି ଛାଡ଼ିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ବିଜେଡିରୁ ଦେଇଛନ୍ତି ଇସ୍ତଫା । କ’ଣ ପାଇଁ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ମାତ୍ର ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଦେଇଛନ୍ତି ଇସ୍ତଫା । ନିଜ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।
ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ,“ମୁଁ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି । ମୁଁ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳର ସଙ୍ଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ବରବାସୀଙ୍କ ସେବା କରିଆସିଛି । କିନ୍ତୁ କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି I ଦଳ ସହ ମୋର ଦୀର୍ଘ ଦିନର ସମ୍ପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ ।”
ସୂଚନା ଅନୁସାରେ, ୨୦୧୪ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ବାଲେଶ୍ବର ବିଜେଡିର ସଭାପତି ସହ ବିଭିନ୍ନ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ତେବେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଲୋକସଭା ଟିକେଟ ଦେଇ ନଥିଲା । କିନ୍ତୁ ତାଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶ୍ରୀମତି ଜେନା ବିଜେଡି ଟିକଟରେ ବସ୍ତା ଆସନରେ ବିଜୟୀ ହୋଇଥିଲେ।

