ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ୨ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର। ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି। ବିରାଟ ପଟୁଆରରେ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସମସ୍ତେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ରାଜ୍ୟସଭା ଚତୁର୍ଥ ଆସନ ପାଇଁ ରୋଚକ ଲଢେଇ ହେବ। ଡାକ୍ତର ଦତ୍ତେଶ୍ଵର ହୋତା ଏବଂ ଦିଲ୍ଲୀପ ରାୟଙ୍କ ମଧ୍ୟରେ ବରାବର ଟକ୍କର ଦେଖିବାକୁ ମିଳିବ। ଦିଲ୍ଲୀପଙ୍କ ସ୍ବାଧୀନ ପ୍ରାର୍ଥୀତ୍ବକୁ ବିଜେପି ସମର୍ଥନ କରିବ। ସେହିପରି ବିଜେଡି ଓ କଂଗ୍ରେସ ବଳରେ ଦତ୍ତେଶ୍ଵର ଲଢିବେ। ୨୦୦୨ରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ବିଜେଡିର ବିରୋଧ ସତ୍ତ୍ୱେ କ୍ରସ ଭୋଟିଂରେ ଦିଲ୍ଲୀପ ବାଜି ମାରିଥିଲେ। ତେଣୁ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ରାଜ୍ୟସଭା ଭୋଟ ଗଣିତ ବଡ଼ ରୋଚକ କରିବ ବୋଲି ଆଲୋଚନା ହେଉଛି। ଦିଲ୍ଲୀପ ୩ ଥର ବିଧାୟକ ଓ ୨ ଥର ରାଜ୍ୟସଭା ସାଂସଦ ହେବା ସହ ମନ୍ତ୍ରୀ ମଧ୍ୟ  ହୋଇଛନ୍ତି।

ନାମାଙ୍କନ ଭରିବା ପରେ ଦିଲ୍ଲୀପ ରାୟ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଛି। ବିଜେପି ନାମାଙ୍କନ ଭରିବା ପାଇଁ ପୁରା ସମର୍ଥନ ଯୋଗାଇ ଦେଇଛି। କାଲିଠୁ ପ୍ରଚାର ଆରମ୍ଭ ହେବ। ୨୦୦୨ ପରି ଜିତାପଟ ହାସଲ କରିବି।


Reporterspen