୯.୨୪ କୋଟି ଆତ୍ମସାତ୍ ମାମଲା: ୩ ସରକାରୀ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

Reporterspen

ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍‌): ଆରଆଣ୍ଡବି ଡିଭିଜନ୍‌-୧ କାର୍ଯ୍ୟାଳୟରେ ୯.୨୪ କୋଟି ଆତ୍ମସାତ୍ ମାମଲାରେ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଛି । ଏହି ମାମଲାରେ ଆଉ ୩ ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଆଜି (ଶନିବାର) ଗିରଫ କରିଛି । ସେମାନେ ହେଲେ ଭୁବନେଶ୍ୱର ଜିଲ୍ଲା କୋଷାଗାର କାର୍ଯ୍ୟାଳୟର ବରିଷ୍ଠ ଆକାଉଣ୍ଟାଣ୍ଟ୍ କୃଷ୍ଣ ଚନ୍ଦ୍ର ବେହେରା, ପୁରୀ ଆରଆଣ୍ଡବି ଡିଭିଜନର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ ଦାସ ଓ ଭୁବନେଶ୍ୱର ଆରଆଣ୍ଡବି ଡିଭିଜନ-୧ର ପିଅନ କୁମୁଦ ସାହୁ । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।

ଏହାପୂର୍ବରୁ ପ୍ରଥମେ ଦୁଇ ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ଆରଆଣ୍ଡବି ଡିଭିଜନ-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର୍ ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକଙ୍କୁ ଗିରଫ କରାଯାଇଥିଲା । ଏହାପରେ ବନଲତା ଓ ବିଭୂଦତ୍ତଙ୍କ ଅଧୀନରେ ଉକ୍ତ ଅଫିସରେ କାର୍ଯ୍ୟ କରୁଥିବା ପିଅନ ଲକ୍ଷ୍ମଣ ବିଶ୍ୱାଳ, ଦୀପକ କୁମାର ରାଉତରାୟ, ଡାଟା ଏଣ୍ଟ୍ରି ଅପରେଟର ରାଜୀବ ଲୋଚନ ସେନାପତି ଓ ସୌମ୍ୟ ରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ଗିରଫଦାରୀ ସଂଖ୍ୟା ୯ରେ ପହଞ୍ଚିଛି ।

ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ ରିଲିଜରେ ଅଭିଯୁକ୍ତମାନଙ୍କ ଭୂମିକାକୁ ନେଇ ସ୍ପଷ୍ଟ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ବିଭୁଦତ୍ତ ମାର୍ଚ୍ଚ ୨୦୨୫ରୁ ଜୁଲାଇ ୨୦୨୬ ମଧ୍ୟରେ ୧୧ ଥରରେ ଫୋନ୍ ପେ’ ଜରିଆରେ କୃଷ୍ଣଚନ୍ଦ୍ରଙ୍କୁ ମୋଟ ୩ ଲକ୍ଷ ୯୦ ହଜାର ଟଙ୍କା ପଠାଇଥିଲେ । ଜାଲ୍ ଓ ଠକେଇପୂର୍ଣ୍ଣ ବିଲ୍‌ଗୁଡ଼ିକୁ ବିନା ଆପତ୍ତିରେ ପାସ୍ କରାଇବା ପାଇଁ ଏହି ଅର୍ଥ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି ।

ସେହିପରି, ବିଶ୍ୱନାଥ ପୂର୍ବରୁ ଭୁବନେଶ୍ୱରସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ ଆରଆଣ୍ଡବି ଡିଭିଜନ୍‌-୧ କାର୍ଯ୍ୟାଳୟରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ସେ ନିଜ ମାଆଙ୍କ ବ୍ୟାଙ୍କ ଖାତା, ନିଜ ବ୍ୟାଙ୍କ ଖାତା ଏବଂ ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ବ୍ୟାଙ୍କ ଖାତାର ବିବରଣୀ ଅଭିଯୁକ୍ତ ବନଲତା ଓ ବିଭୂଦତ୍ତଙ୍କୁ ଦେଇଥିଲେ । ହଡ଼ପ କରାଯାଇଥିବା ଅର୍ଥ ଏହି ଖାତାଗୁଡ଼ିକରେ ଜମା କରିବା ପାଇଁ ସେ ଏପରି କରିଥିବା ତଦନ୍ତରୁ ଜଣାପଡ଼ିଛି ।

ଅସ୍ଥାୟୀ ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମୁଣ୍ଡରେ ବିପୁଳ ପରିମାଣର ବେଆଇନ ଅର୍ଥ ଏହି ବ୍ୟାଙ୍କ ଖାତାଗୁଡ଼ିକରେ ଜମା କରାଯାଇଥିଲା । ତଦନ୍ତରୁ ଏପର୍ଯ୍ୟନ୍ତ ଜଣାପଡ଼ିଛି ଯେ, ବିଶ୍ୱନାଥ ଦାସଙ୍କ ମାଆ ନୟନା ଦାସଙ୍କ ଖାତାରେ ପ୍ରାୟ ୫୦ ଲକ୍ଷ ଟଙ୍କା, ତାଙ୍କ ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଏବଂ ବିଶ୍ୱନାଥଙ୍କ ନିଜ ଖାତାରେ ୩୭ ଲକ୍ଷ ଟଙ୍କା ଜମା ହୋଇଥିଲା । ଏହି ଅର୍ଥ ପାଇବା ପରେ ବିଶ୍ୱନାଥ ଏହାର ଏକ ଅଂଶ ଫୋନ୍ ପେ ମାଧ୍ୟମରେ ବିଭୁଦତ୍ତ ଓ ବନଲତାଙ୍କ ବ୍ୟାଙ୍କ ଖାତାକୁ ପଠାଇଥିବା ଅଭିଯୋଗ ହୋଇଛି । ବାକି ଟଙ୍କା ନଗଦ ଆକାରରେ ଉଠାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ, ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ୍‌-୧ କାର୍ଯ୍ୟାଳୟରେ ପିଅନ କୁମୁଦ ମଧ୍ୟ ନିଜ ପତ୍ନୀ ବିଜୁଳି ସାହୁଙ୍କ ବ୍ୟାଙ୍କ ଖାତାର ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି ଓ ବିଭୁଦତ୍ତଙ୍କୁ ଦେଇଥିଲେ । ଅସ୍ଥାୟୀ ଗ୍ରାଚ୍ୟୁଇଟି ବାବଦରେ ବିଜୁଳିଙ୍କ ବ୍ୟାଙ୍କ ଖାତାରେ ୧୧ ଲକ୍ଷ ୨୫ ହଜାର ୧୨୦ ଟଙ୍କା ଜମା ହୋଇଥିଲା । ପରେ କୁମୁଦ ଉକ୍ତ ଅର୍ଥକୁ ନିଜ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରି ତିନିଟି କିସ୍ତିରେ ନଗଦ ଟଙ୍କା ଉଠାଇଥିଲେ । ଏହି ଅର୍ଥକୁ ମୁଖ୍ୟ ଅଭିଯୁକ୍ତ ବନଲତା ଓ ବିଭୁଦତ୍ତଙ୍କ ସହ ମିଶି ହଡ଼ପ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ବନଲତା ଓ ବିଭୂଦତ୍ତ ଏସଷ୍ଟାବ୍ଲିସମେଂଟ ସେକ୍ସନରେ କାମ କରୁଥିଲେ । ୨୦୨୨-୨୩ରୁ ୨୦୨୫-୨୬ ଆର୍ôଥକ ବର୍ଷରେ ଏହି ଅନିୟମିତତା କରି ଟଙ୍କା ହଡ଼ପ କରିଥିଲେ । ମିଛ ଅର୍ଡର ଓ ବିଲ୍ କରି ଏତେ ବଡ଼ ପରିମାଣର ଟଙ୍କା ଚଳୁ କରିଥିଲେ । ଚଳୁ ଟଙ୍କା ୪୮ ଜଣଙ୍କ ୭୭ଟି ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା ବୋଲି ତଦନ୍ତରେ ଜଣାପଡିଥଲା ।


Reporterspen