ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ହାସଲ କରିବାରେ ଓଡ଼ିଶା ଦେଶର ଶ୍ରେଷ୍ଠ ୧୦ କିମ୍ୱା ଶ୍ରେଷ୍ଠ ୨୦ ରାଜ୍ୟ ଭିତରେ ବି ସ୍ଥାନ ପାଇନାହିଁ । ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶକୁ ୪,୨୧,୯୨୮.୮୩ କୋଟି ଟଙ୍କାର ଏଫ୍ଡିଆଇ ଆସିଛି । ସେଥିରୁ ମାତ୍ର ୩୯.୦୨ କୋଟି ଟଙ୍କା ଓଡ଼ିଶା ଭାଗରେ ପଡ଼ିଛି । ଏହା ଦେଶକୁ ଆସିଥିବା ମୋଟ୍ ଏଫ୍ଡିଆଇର ମାତ୍ର ୦.୦୦୯ ପ୍ରତିଶତ ।
ଗତ ଆର୍ଥିକ ବର୍ଷରେ ମହାରାଷ୍ଟ୍ର ସର୍ବାଧିକ ୧,୬୪,୮୭୫.୨୦ କୋଟି ଟଙ୍କାର ଏଫ୍ଡିଆଇ ହାସଲ କରିଛି । ଏହା ମୋଟ୍ ଏଫ୍ଡିଆଇର ୩୯.୧୬ ପ୍ରତିଶତ । ଏହି ଗୋଟିଏ ରାଜ୍ୟକୁ ଯେତିକି ଏଫ୍ଡିଆଇ ମିଳିଛି, ତଳ ଆଡ଼େ ଥିବା ୨୦ଟି ରାଜ୍ୟ ମିଳିତ ଭାବେ ସେତିକି ଏଫ୍ଡିଆଇ ପାଇନାହାନ୍ତି । ଦେଶକୁ ଆସୁଥିବା ବିଦେଶୀ ନିବେଶ ମୁଖ୍ୟତଃ ୭ଟି ରାଜ୍ୟ ମଧ୍ୟରେ ସୀମିତ ରହିଛି । କ୍ରମାନ୍ୱୟରେ ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ (୫୬,୦୨୯ କୋଟି ଟଙ୍କା), ଦିଲ୍ଲୀ (୫୧,୫୪୦ କୋଟି ଟଙ୍କା), ଗୁଜୁରାଟ (୪୭,୯୪୭ କୋଟି ଟଙ୍କା), ତାମିଲନାଡ଼ୁ (୩୧,୧୦୨ କୋଟି ଟଙ୍କା), ହରିୟାଣା (୨୬,୫୯୯ କୋଟି ଟଙ୍କା) ଓ ତେଲେଙ୍ଗାନା (୨୫,୫୯୯ କୋଟି ଟଙ୍କା) ।
ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଏପରି ବହୁତ ପୁଞ୍ଜିନିବେଶ କଥା କୁହାଯାଇଥିଲା, ଯାହା ବାସ୍ତବତା ଠାରୁ ବହୁତ ଦୂରରେ । କେବଳ ପ୍ରଚାର ଉଦେ୍ଦଶ୍ୟରେ ଏପରି କଥା କୁହାଯାଉଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହା ରୂପାନ୍ତରିତ ହେଉନାହିଁ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ପୁଞ୍ଜି ଆସିବା ତ ଦୂରର କଥା ରାଜ୍ୟରୁ JSW EV, Arcellor Mittal Steelପ୍ରକଳ୍ପ, S Ram N Ram Semi Conductor ପ୍ରକଳ୍ପ Wari ସୋଲାର ପ୍ରକଳ୍ପ ଓଡ଼ିଶାରୁ ଚାଲିଗଲା । ବିଦେଶୀ ପୁଞ୍ଜି ଆଣିବା ଲାଗି ସରକାରୀ ସ୍ତରରେ ଯେଉଁଭଳି ଭାବେ ଉଦ୍ୟମ, ବିଚାରବିମର୍ଶ, ଯୋଜନା ଓ ଆଲୋଚନା ହେବା କଥା ତାହା ବିଜେପି ସରକାରରେ ହେଉନାହିଁ । ପୂର୍ବରୁ ବିଜେଡି ସରକାର ସମୟରେ ୨୦୨୩-୨୪ରେ ଓଡ଼ିଶାକୁ ସର୍ବାଧିକ ପୁଞ୍ଜି ଆସିଥିଲା, ଯାହାର ପୁରସ୍କାର ବର୍ତ୍ତମାନର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଭାରତ ସରକାରଙ୍କ ଠାରୁ ଗ୍ରହଣ କରିଥିଲେ ।
ନବୀନ ସରକାରଙ୍କ ସମୟରେ ଏଫ୍ଡିଆଇ ଲାଗି ନିର୍ଦ୍ଦିଷ୍ଟ କ୍ଷେତ୍ର ଚିହ୍ନଟ କରାଯାଉଥିଲା । ସ୍ୱତନ୍ତ୍ର ଭାବେ ବିଭିନ୍ନ କ୍ଷେତ୍ରଗୁଡ଼ିକରେ ପୁଞ୍ଜି ନିବେଶ ଲାଗି ବିଦେଶୀ ନିବେଶକମାନେ ଆକୃଷ୍ଟ ହେଉଥିଲେ । କିନ୍ତୁ ବର୍ତ୍ତମାନ ଏଫଡିଆଇ ହାତେଇବାରେ ରାଜ୍ୟ ବିଜେପି ସରକାର ବହୁତ ପଛୁଆ । ଏପରି ପ୍ରଚାର ସର୍ବସ୍ୱ ଘୋଷଣା ଓ ପ୍ରହସନ ନ କରି ବାସ୍ତବରେ ଓଡ଼ିଶାକୁ ପୁଞ୍ଜି ଆଣନ୍ତୁ ।

