ନୂଆଦିଲ୍ଲୀ : ଅଫିସରଙ୍କ ପାଇଁ ବ୍ୟବହାର କରାଯାଉଥିବା ‘ମାନନୀୟ’ ଶବ୍ଦ ବ୍ୟବହାରକୁ ନେଇ ଆହ୍ଲାବାଦ ହାଇକୋର୍ଟ କଡ଼ା ଆପତ୍ତି ଉଠାଇଛନ୍ତି । ହାଇକୋର୍ଟ କହିଛନ୍ତି, ମାନନୀୟ ଶବ୍ଦ କୌଣସି ବ୍ୟୁରୋକ୍ରାଟ୍ କିମ୍ୱା ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହି ପ୍ରସଙ୍ଗରେ ହାଇକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ମୁଖ୍ୟ ସଚିବଙ୍କୁ ଏକ ଆଫିଡେଭିଟ୍ ଫାଇଲ କରିବାକୁ କହିଛନ୍ତି । ଜଷ୍ଟିସ୍ ଅଜୟ ଭନୋଟ ଓ ଜଷ୍ଟିସ୍ ଗରିମା ପ୍ରସାଦଙ୍କ ଖଣ୍ଡପୀଠ ଯୋଗେଶ ଶର୍ମା ନାମଙ୍କ ବ୍ୟକ୍ତିଙ୍କ ପକ୍ଷରୁ ଦାଏର ପିଟିସନ ଉପରେ ଶୁଣାଣି ବେଳେ ଏହି ଆଦେଶ ଦେଇଛନ୍ତି ।
ଆହ୍ଲାବାଦ ହାଇକୋର୍ଟ କହିଛନ୍ତି, ମାନନୀୟ ଶବ୍ଦର ବ୍ୟବହାର କେବଳ ମନ୍ତ୍ରୀ ଓ ଅନ୍ୟାନ୍ୟ ସାର୍ବଭୌମ ପଦାଧିକାରୀଙ୍କ ପାଇଁ ବ୍ୟବହାର କରାଯିବ, ଏହା ପୂର୍ବରୁ ଦର୍ଶାଯାଇଛି । ମାନନୀୟ ଶବ୍ଦ ଅଧିକାରୀଙ୍କ ମାମଲାରେ ଲାଗୁ ହୁଏ ନାହିଁ । ଉକ୍ତ ମାମଲାରେ ଇଟାୱାର ଡିଏମ୍ (ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍)ଙ୍କ ଦ୍ୱାରା କାନପୁରର ମଣ୍ଡଳାୟୁକ୍ତଙ୍କୁ ମାନନୀୟ ମଣ୍ଡଳାୟୁକ୍ତ ଭାବେ ସନ୍ଦର୍ଭିତ କରାଯାଇଛି । ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇ ହାଇକୋର୍ଟ କହିଛନ୍ତି, କୋର୍ଟଙ୍କୁ କୁହନ୍ତୁ ଯେ, ଏହି ଅଧିକାରୀଙ୍କ ପାଇଁ କଣ କୌଣସି ପ୍ରୋଟୋକଲ ଅଛି, ଯାହା ତାଙ୍କ ପଦ କିମ୍ୱା ନାମ ପୂର୍ବରୁ ମାନନୀୟ ଶବ୍ଦ ଲଗାଇ ପାରିବେ ।
ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟ ନିରୀକ୍ଷଣ ବେଳେ ପ୍ରାଥମିକ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଅଧ୍ୟାପକଙ୍କ ନିଲମ୍ୱନ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ ଏବଂ କହିଥିଲେ ଅଧ୍ୟାପକଙ୍କ ଅନୁପସ୍ଥିତି ଶିକ୍ଷାର ଅଧିକାର ଅଧିନିୟମର ମୂଳ ଉଦ୍ଦେଶ୍ୟକୁ ବିଫଳ କରିଦିଏ । କୋର୍ଟ ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟପକଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ତିନି ମାସ ଭିତରେ ଏକ ନୀତି ପ୍ରଣୟନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ବିଚାରପତି ପ୍ରକାଶ ପାଡିଆ ଇନ୍ଦ୍ରା ଦେବୀ ଓ ଲୀନା ସିଂହ ଚୌହାନଙ୍କ ଦ୍ୱାରା ଦାଏର ରିଟ୍ ପିଟିସନ ଗୁଡ଼ିକର ନିସ୍ତାରଣ କରି କହିଛନ୍ତି, ଅଧ୍ୟାପକ ଅଧ୍ୟାପିକାମାନେ ଜ୍ଞାନର ସ୍ତମ୍ଭ ହୋଇଥାନ୍ତି ଏବଂ ଭାରତୀୟ ସଂସ୍କୃତିରେ ତାଙ୍କୁ ଗୁରୁର ମାନ୍ୟତା ମିଳିଛି । ଏଥିରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ଯେ, ପିଲାଙ୍କୁ ନିରବଚ୍ଛିନ୍ନ ଶିକ୍ଷା ଉପଲବ୍ଧ କରାଯାଉ ।

