Odisha Police Association: ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ସାରାଦେଶରେ ତୁମ୍ବିତୋଫାନ ଚାଲିଛି । ପୋଲିସର ଏଭଳି କାର୍ଯ୍ୟକୁ ଲୋକେ ଛି… ଛି… କରୁଛନ୍ତି । ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ତତକାଳୀନି ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫କର୍ମଚାରୀଙ୍କୁ ନିଲମ୍ବିନ କରାଯାଇଛି । ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ଗିରଫ କରିବାକୁ ପ୍ରସ୍ତୁତ ହେଉଛି । ଏଭଳି ଏକ ଘଡିସନ୍ଧୀ ମୁହୁର୍ତ୍ତରେ ଓଡ଼ିଶା ପୋଲିସ ଅଫିସର ସଂଘ ଏପର୍ଯ୍ୟନ୍ତ ଚୁପ୍ ବସିଛି ।
ସବୁବେଳେ ଓ ସବୁ ସମୟରେ ପୋଲିସ ଅଫିସରଙ୍କ ଲାଗି ମୁହଁ ଖୋଲୁଥିବା ସଂଘ ସଭାପତିଙ୍କ ସହ ମୁଁ ଯୋଗାଯୋଗ କରିଥିଲି । ଗତକାଲି ରାତିରେ ସଂଘର ସଭାପତି ସତ୍ୟଜିତ ମିଶ୍ରଙ୍କୁ ଫୋନ କରି କଥା ହୋଇଥିଲି । ମୁଁ ଫୋନ କରିବା ମାତ୍ରେ ‘ହଁ ସାନଭାଇ କ’ଣ ଖବର’ ବୋଲି କହିଥିଲେ । ମୁଁ ତାଙ୍କୁ ଭରତପୁର ଘଟଣା ସମ୍ପର୍କରେ ଅବଗତ କରିଥିଲି । ଘଟଣା ଶୁଣିବା ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସେ କେବଳ ହୁଁ… ହୁଁ ମାରିଥିଲେ । ଶେଷରେ ‘ହଉ ସାନଭାଇ ରାତି ହେଲାଣି ଯା ଶୋଇବ, ଗୁଡ୍ ନାଇଟ’ ବୋଲି କହି ଫୋନ ରଖିଥିଲେ ।
ଫୋନ ରଖିବା ବେଳେ ସେ ଯେଉଁ ଦୁଇପଦ କଥା କହିଥିଲେ, ତାହା କାହିଁକି କେଜାଣି ମୋ ମନକୁ ଆନ୍ଦୋଳିତ କରିଥିଲା । ତାଙ୍କର ଏଭଳି ନିରବତା ମୋ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ଯେଉଁ ଅଫିସର ଦିନେ ପୋଲିସ କର୍ମଚାରୀଙ୍କ ଲାଗି ନିଜ ଜୀବନକୁ ବାଜି ଲଗାଇବାକୁ ପ୍ରସ୍ତୁତ ଥିଲା, ସେ ଏବେ ନିରବ କାହିଁକି? ମୁହଁ ବନ୍ଦ କରି ଆଖିରୁ କାହିଁକି ଲୁହ ଝରାଉଛନ୍ତି? ତାଙ୍କ ମନରେ କିଛି ଅକୁହା କଥା ରହିଛି କି? ଏଭଳି ଅନେକ ପ୍ରଶ୍ନ ମୋ ମନକୁ ଆନ୍ଦୋଳିତ କରିଥିଲା । ମୋତେ ରାତିସାରା ନିଦ ମଧ୍ୟ ହେଲାନି । ରାତି ପ୍ରାୟ ସାଢେ ୪ଟା ବେଳେ ଉଠି ଲ୍ୟାପଟପ୍ ଖୋଲି ପୁରୁଣା ଫାଇଲ ସବୁ ଖୋଜି ଚାଲିଲି । ଶେଷରେ ୨୦୧୯ର ଏକ ନ୍ୟୁଜ ଉପରେ ମୋ ନଜର ପଡିଲା । ଯାହା ମୋ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ଦେଲା, ପରେ ମୁଁ ଅଚିନ୍ତାରେ ଶୋଇପଡିଲି ।
ସେଇପୁରୁଣା ଫାଇଲ ଯାହା କହେ….
୨୦୧୯ ଜୁଲାଇ ୨୬ ତାରିଖ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଥିବା ଏକ ଢାବାରୁ ଜଣେ ଶିଶୁ ଶ୍ରମିକଙ୍କ ଝୁଲନ୍ତା ଶବ ମିଳିଲା । ପାରିପାଶ୍ୱିର୍କ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡୁଥିଲା । ମାତ୍ର ନାବାଳକର ମୃତ୍ୟୁକୁ ନେଇ ଲୋକେ ସେଠାରେ ହୋହଲ୍ଲା କରିବା ସହ ଢାବା ମାଲିକଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଥାନା ଅଧିକାରୀ ପ୍ରଭୂକଲ୍ୟାଣ ଆଚାର୍ଯ୍ୟ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ଲୋକେ ତାଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ପିଟିଥିଲେ । ଏହି ଘଟଣାକୁ ନେଇ ରାଜ୍ୟ ପୋଲିସ ଅଫିସର ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ।
ସେହିମାସ ୨୮ ତାରିଖ ଦିନ ସଂଘ ସଭାପତି ସତ୍ୟଜିତ ମିଶ୍ର, ସମ୍ପାଦକ ଜ୍ୟୋତିରଂଜନ ସାମନ୍ତରାୟ, ସହ-ସମ୍ପାଦକ ଅରୁଣ ସାହୁ ଓ ଉମେଶ ଚନ୍ଦ୍ର ସାହୁ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ ଦାବି କରିଥିଲେ ଯେ, ଡାକ୍ତରଙ୍କ ସୁରକ୍ଷା ଭଳି ସମସ୍ତ ସରକାରୀ କର୍ମଚାରୀଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ତଥା ୩୫୩ ଆଇପିସିକୁ ଆମେଣ୍ଟମେଣ୍ଟ କରାଯାଉ । ଏନେଇ ସଂଘ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟି ଏକ ଦାବି ପତ୍ର ଦେବ ବୋଲି ଘୋଷଣା କରିଥିଲା । ଏହାର ୩ଦିନ ପରେ ହଠାତ ସତ୍ୟଜିତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଗଲା । ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ କରାଗଲା । ଏହି ଘଟଣାରେ ତାଙ୍କ ସପକ୍ଷରେ କେହି ମୁହଁ ଖୋଲିନଥିଲେ ।
ଏହାର କିଛିମାସ ପୂର୍ବରୁ ତତକାଳୀନ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଘରକୁ ବିଜେପି କର୍ମୀମାନେ ଢେଲା-ପଥର ମାଡ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସମସ୍ତ ସଂଘ ସଭାପତିଙ୍କୁ ଡାକି ପ୍ରତିବାଦ କରିବାକୁ କହିଥିଲେ । ସେତେବେଳେ ପୋଲିସ ସଂଘର ସଭାପତି ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ପ୍ରତିବାଦ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ବାଲିଆପାଳ ଘଟଣାରେ ମୁହଁ ଖୋଲିବାରୁ ତାଙ୍କୁ ନିଲମ୍ବିନ କରାଯାଇଥିଲା । ଯାହାକୁ ନେଇ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ।
ବୋଧହୁଏ, ଅଫିସରଙ୍କୁ ସହଯୋଗ କରିବାକୁ ଆଗକୁ ଆସିବା ତାଙ୍କ ପାଇଁ ମହଙ୍ଗା ପଡିଛି । ସେହିଦିନ ଠାରୁ ପରପୋକାରୀ ସତ୍ୟଜିତ ମିଶ୍ରଙ୍କ ଏକପ୍ରକାର ମୃତ୍ୟୁ ଘଟିଛି । ଏବେ ନୂଆ ସତ୍ୟଜିତ ମିଶ୍ରଙ୍କ ଜନ୍ମ ହୋଇଛି । ସେ ଆଉ ମୁହଁ ଖୋଲିବାକୁ ଚାହୁଁନାହାନ୍ତି । ସେଥିପାଇଁ ବୋଧହୁଏ ମୁହଁ ବନ୍ଦ ରଖି ପୋଲିସ ସଂଘ ସଭାପତି ଆଖିରୁ ଲୁହ ଝରାଇ ଚାଲିଥିଲେ ।
ଯତିନ୍ ସେଣ୍ଡ୍ (ସାମ୍ବାଦିକ)