ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବାଲିଅନ୍ତାଠାରେ ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ ଲାଇନ୍ ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରାୟ ୬୦୦କୋଟି ଟଙ୍କା ବ୍ୟୟରେ ଏହି ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନ – ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍.ସି.ବି. ମେଡ଼ିକାଲରେ ସ୍ଥାପନ କରାଯାଇଛି । ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୨୨ଲକ୍ଷ ଉପଭୋକ୍ତା ଲାଭାନ୍ବିତ ହେବେ। ଏହାସହ ଭୁବନେଶ୍ବରକୁ ଏକ ବିକଳ୍ପ ବିଦ୍ୟୁତ ଉତ୍ସ ସହିତ ସଂଯୋଗ ମଧ୍ୟ କରାଯାଇଛି । ଆଗାମୀ ଦିନରେ କଟକ ଓ ଭୁବନେଶ୍ବରକୁ ଏକାଧିକ ଫିଡର ଲାଇନ ଦ୍ବାରା ସଂଯୁକ୍ତ କରାଯିବ। ଏହାଦ୍ବାରା ରାଜଧାନୀବାସୀ ନିରନ୍ତର ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଗୁଡ଼ିକ ବହୁ ପୂର୍ବରୁ ମଞ୍ଜୁରୀ ପାଇଥିଲେ ମଧ୍ୟ କୋର୍ଟ କେସ୍ ଓ ବିଭିନ୍ନ ସମସ୍ୟା ଯୋଗୁଁ ଏ ଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିଲା । ନୂଆ ସରକାର ଦାୟିତ୍ବ ଗ୍ରହଣ କଲା ପରେ, ଏହି ପ୍ରକଳ୍ପ ଉପରେ ଗୁରୁତ୍ବ ଦିଆଯାଇ ସମସ୍ତ ସମସ୍ୟାର ସମାଧାନ କରି ବର୍ଷକ ତଳେ କାମ ଆରମ୍ଭ ହୋଇଥିଲା । ମାତ୍ର ୧ବର୍ଷ ମଧ୍ୟରେ OPTCLପକ୍ଷରୁ ୪ଟି ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି । ଏଥି ମଧ୍ୟରୁ ନୟାପଲ୍ଲୀ ଗ୍ରୀଡ ଗତବର୍ଷଠାରୁ ବିଦ୍ୟୁତ ସେବା ଆରମ୍ଭ ହୋଇସାରିଛି । ରାଜଧାନୀବାସୀଙ୍କୁ ବିଶ୍ବସ୍ତରୀୟ ବିଦ୍ୟୁତସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦୃଢ ସଂକଳ୍ପ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଯେଉଁଠି ଦୃଢ ଇଛା ଶକ୍ତି ଥାଏ, ସେଠାରେ ଅସମ୍ଭବ ସମ୍ଭବ ହୁଏ’।
ସେଥିପାଇଁ ଆମେ ମାତ୍ର ୧ବର୍ଷ ଭିତରେ ୪ଟି ଗ୍ରୀଡ ସବ୍-ଷ୍ଟେସନ କାମ ସମ୍ପୂର୍ଣ୍ଣ କରିପାରିଲୁ । ଭୁବନେଶ୍ୱରର ବିଦ୍ୟୁତ ଶକ୍ତି ଚାହିଦା ଦୁଇଗୁଣା ହେବ । ଯାହା ବର୍ତ୍ତମାନ ଏକ ହଜାର ମେଗାୱାଟ୍ ଅଛି ତାହା ୨୦୩୦ସୁଦ୍ଧା ଦୁଇ ହଜାର ମେଗାୱାଟ୍ରେ ପହଁଚିବ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ ଏବଂ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ଏହି ନୂତନ GISଗ୍ରୀଡ ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିସନ ଲାଇନଗୁଡ଼ିକ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣସ୍ତରୀୟ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ । ଫଳରେ ଶିଳ୍ପ, ବ୍ୟବସାୟ, ଆଇଟି ଏବଂ ନଗରୀୟ ଜୀବନର ସମଗ୍ର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ଯେଉଁ ଡିଜିଟାଲ ଇଣ୍ଡିଆର ପରିକଳ୍ପନା ରହିଛି, ସେହି ଆଧାରରେ ଓଡ଼ିଶାର ବିଦ୍ୟୁତ ଶକ୍ତି ବ୍ୟବସ୍ଥାର ପୁର୍ନବିନ୍ୟାସ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଡିଜିଟାଲ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ କରାଯାଇଛି ।
ସେହିପରି ରାଜଧାନୀ ପାଇଁ ୭୬୫କେ.ଭି. ଟ୍ରାନ୍ସମିସନ ବ୍ୟବସ୍ଥାର ବିକାଶ କରିବାର ଯୋଜନା ରହିଛି । ପରବର୍ତ୍ତୀ ସମୟରେ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଗ୍ରୀଡ୍ ସବ୍-ଷ୍ଟେସନକୁ ଏକାଧିକ ଫିଡର ମାଧ୍ୟମରେ ଯୋଗାଣ ବ୍ୟବସ୍ଥା କରାଯିବ । ଆଜି ସ୍ଥିତି ଅନୁଧ୍ୟାନ କଲା ପରେ ମୁଖ୍ୟମନ୍ତ୍ରୀ ଭିଙ୍ଗାରପୁର, ଉତ୍ତମପୁର, ଗଙ୍ଗେଶ୍ୱର, ପାଣ୍ଡରା, ଜଗନ୍ନାଥ ନଗର, ମଙ୍ଗରାଜ, ପଳାଶୁଣୀ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳକୁ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଆଉ ୩ଟି ଫିଡର ଯୋଗାଇଦେବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଥିଲେ ।ସେ ଏହା ମଧ୍ୟ କହିଥିଲେ ଯେ, ସତ୍ୟନଗର ଓ ଏସ.ସି.ବି. ମେଡ଼ିକାଲ GSSପାଇଁ ଫାଉଣ୍ଡେସନ ଡ୍ରଇଂ ଏବଂ କଣ୍ଟ୍ରୋଲ ରୁମ୍ ଭବନର ଲେଆଉଟ୍ ୨୪.୧୨.୨୦୨୪ରେ ଅନୁମୋଦିତ ହୋଇଥିଲା ଏବଂ OPTCL ୩୧.୦୩.୨୦୨୬ମଧ୍ୟରେ ସମସ୍ତ ସବଷ୍ଟେସନଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଗୁଡ଼ିକୁ ସମ୍ପନ୍ନ କରିଥିବାରୁ ସେ OPTCLକୁ ଅଭିନନ୍ଦନ ଜଣାଇଥିଲେ। ପ୍ରାୟ ₹୬୦୦କୋଟି ଟଙ୍କା ବ୍ୟୟରେ ବାଲିଅନ୍ତା, ସତ୍ୟନଗର, ନୟାପଲ୍ଲୀ ଏବଂ ଏସ.ସି.ବି. ମେଡ଼ିକାଲ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ଗ୍ରୀଡ଼ ସବଷ୍ଟେସନଗୁଡ଼ିକ ସ୍ଥାପିତ ହୋଇଛି, ଯାହା ଭୁବନେଶ୍ୱର ସହରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସୁଦୃଢ କରିବ । ଫଳରେ ରାଜଧାନୀ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ପ୍ରାୟ ୨୨ଲକ୍ଷ ଉପଭୋକ୍ତା ନିରବଚ୍ଛିନ୍ନ ଓ ଗୁଣସ୍ତରୀୟ ବିଦ୍ୟୁତ୍ ସେବାରୁ ଲାଭାନ୍ୱିତ ହେବେ। ବାଲିଅନ୍ତାରେ ସ୍ଥାପିତ ୨୨୦/୧୩୨/୩୩ କେ .ଭି. GISସବଷ୍ଟେସନ ଏହି ଅଞ୍ଚଳ ପାଇଁ ଏକ ମୁଖ୍ୟ ମାଇଲଷ୍ଟୋନ ସୃଷ୍ଟି କରିଛି । ଏହା ମାଧ୍ୟମରେ କଟକ ଓ ମଞ୍ଚେଶ୍ୱର ସହ ଶକ୍ତିଶାଳୀ ବିଦ୍ୟୁତ୍ ସଂଯୋଗ ସ୍ଥାପିତ ହୋଇ ଭୁବନେଶ୍ୱରର ବିଦ୍ୟୁତ୍ ସୁରକ୍ଷାକୁ ଆହୁରି ସୁଦୃଢ କରିଛି । ସେହିପରି, ସତ୍ୟନଗରରେ ସ୍ଥାପିତ ୧୩୨/୩୩କେ.ଭି. GIS ସବଷ୍ଟେସନ ସହରର କେନ୍ଦ୍ରାଞ୍ଚଳରେ ପ୍ରଥମ ଥର ପାଇଁ ନିର୍ମିତ ହୋଇ ଦ୍ରୁତଗତିରେ ବଢୁଥିବା ବିଦ୍ୟୁତ୍ ଚାହିଦାକୁ ପୂରଣ କରିବ । ଏସ.ସି.ବି. ମେଡ଼ିକାଲ ନିର୍ମିତ ୧୩୨/୩୩ କେ.ଭି.GIS ସବଷ୍ଟେସନ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା ପାଇଁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ। ଏହି ପ୍ରକଳ୍ପଗୁଡ଼ିକ ଭୁବନେଶ୍ୱରକୁ ୧୩୨କେଭି ଏବଂ ୨୨୦କେଭିର ଏକ ବଳୟ ମଧ୍ୟରେ ରଖିବ, ଯାହା ବିଦ୍ୟୁତ୍ ସରବରାହର ସ୍ଥିରତା ଓ ନିର୍ଭରଯୋଗ୍ୟତାକୁ ଅଧିକ ସୁଦୃଢ କରିବ।
ଏହି ଅବସରରେ ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀ ଗୁଡ଼ିକର ପୁନରୁଦ୍ଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦କୋଟି ଟଙ୍କା ମଂଜୁର ହୋଇଥିବାବେଳେ ଭୁବନେଶ୍ୱର-ଜୟଦେବ ଅଂଚଳରେ ଥିବା ଧନୁଆ ନଦୀର ପୁନଃରୁଦ୍ଧାର ପାଇଁ ଦ୍ଵିତୀୟ ଫେଜରେ ୭୫କୋଟି ଟଙ୍କା ଅନୁମୋଦନ ହୋଇସାରିଛି । ଏଥିସହିତ ସଂଜୀବନୀ ଯୋଜନାରେ ଦୟା ନଦୀର ପୁନଃରୁଦ୍ଧାର ପାଇଁ ୧୭୦କୋଟି ଟଙ୍କା ଏବଂ ଦୟା ପଶ୍ଚିମ କେନାଲ ପୁନଃରୁଦ୍ଧାର ଓ ଉନ୍ନତିକରଣ କରିବା ପାଇଁ ୪୦୦କୋଟି ଟଙ୍କା ଅନୁମୋଦନ ହୋଇଛି ଏବଂ ଖୁବଶୀଘ୍ର ସମସ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜ ଅଭିଭାଷଣରେ କହିଥିଲେ ଯେ, ଆମ ସରକାରଙ୍କ ଦ୍ୱାରା ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମେ ରକ୍ଷା କରିଛୁ ।
ଏଥର ଭୁବନେଶ୍ୱର ଓ ବାଲିଅନ୍ତା ଅଞ୍ଚଳରେ ନୂଆ ଶକ୍ତିର ସ୍ରୋତ ଭାବେ ଏହି ଗ୍ରୀଡ଼ ସବ ଷ୍ଟେସନ କାର୍ଯ୍ୟ କରିବ । ଲୋକମାନେ ଆଉ ଲୋ ଭୋଲ୍ଟେଜ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଏହିଭଳି ବଡ଼ ବଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ସର୍ବଦା ଆବଶ୍ୟକ । ଏଥିପାଇଁ ସ୍ଥାନୀୟ ଲୋକମାନେ ଏଥିରେ ସହଯୋଗ କରନ୍ତୁ ଆଗକୁ ରାଜ୍ୟରେ ଏମିତି ଜାରି ରହିବ । ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିଥିବାରୁ ଓପିଟିସିଏଲକୁ ଧନ୍ୟବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, CMD, OPTCL ଭାସ୍କର ଜ୍ୟୋତି ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।

