ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଅନୁଗୋଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ରୁ ଅନୁମୋଦିତ ରାସ୍ତା ଓ ସେତୁ ନିର୍ମାଣ ସମ୍ବନ୍ଧିତ ୬ଟି ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପର ଭୂମିପୂଜନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦୀ ସରକାରଙ୍କ ଦ୍ୱାରା ଡିଏମଏଫ୍ ନୀତିରେ ପରିବର୍ତ୍ତନ ଯୋଗୁଁ ଆଜି ଅନୁଗୋଳ ଜିଲ୍ଲା ବିକାଶ ପାଇଁ ବାର୍ଷିକ ପ୍ରାୟ ୫୦୦କୋଟି ଟଙ୍କା ପାଉଛି । ଯାହା ସ୍ଥାନୀୟ ଅଞ୍ଚଳର କାୟାକଳ୍ପ ବଦଳାଇବାରେ ସହାୟକ ହେଉଛି । ଆଜି ଜିଲ୍ଲା ଖଣିଜ ପାଣ୍ଠିରୁ ଅନୁମୋଦିତ ଅନେକ ବିକାଶମୂଳକ ପ୍ରକଳ୍ପର ଭୂମିପୂଜନ ହୋଇଛି । ଆଗାମୀ ଦିନରେ ବାଲିଜେରେଙ୍ଗଠାରୁ ବେତାର ରାସ୍ତା ଏବଂ ମାଣିକଯୋଡ଼ିରୁ କୃଷ୍ଣଚନ୍ଦ୍ରଗଡ଼ ଭାୟା କୁଳସର ରାସ୍ତା ନିର୍ମାଣ ହେବ । ସେହିପରି ସରଧାପୁରରୁ ପଥରଗଡ ଏବଂ ଅନ୍ତୁଳିଆରୁ ତାବଡ଼ା ରାସ୍ତା ଅର୍ଥ ବ୍ୟୟବରାଦ କରାଯାଇଛି । ଏହି ସବୁ ପ୍ରକଳ୍ପ ସହ ସରଧାପୁର-ଗଦେଇମୁଣ୍ଡା ରାସ୍ତାରେ ‘ମାତେଲିଆ ସେତୁ’ ଏବଂ ନୂଆବଡ଼ଦାଣ୍ଡସାହି ରାସ୍ତାରେ ‘କଇଁଆ ସେତୁ’ ନିର୍ମାଣ ପାଇଁ ମଧ୍ୟ ଭୂମିପୂଜନ କରାଯାଇଛି ।
• ବାଲିଜେରେଙ୍ଗ ଠାରୁ ବେତାର ରାସ୍ତା, ମାଣିକଯୋଡ଼ିରୁ କୃଷ୍ଣଚନ୍ଦ୍ରଗଡ଼ ଭାୟା କୁଳସର ରାସ୍ତା, ସରଧାପୁରରୁ ପଥରଗଡ ଏବଂ ଅନ୍ତୁଳିଆରୁ ତାବଡ଼ା ରାସ୍ତା ନିର୍ମାଣ ପାଇଁ ଡିଏମଏଫ ପାଣ୍ଠିରୁ ଅର୍ଥ ଅନୁମୋଦିତ
• ଗଦେଇମୁଣ୍ଡା ଠାରେ ମାତେଲିଆ ସେତୁ, ନୂଆବଡ଼ଦାଣ୍ଡସାହିରେ ନିର୍ମାଣ ହେବ କଇଁଆ ସେତୁ
• ଡିଏମଏଫ୍ ପାଣ୍ଠିର ସଠିକ୍ ବିନିଯୋଗ କରି ଅନୁଗୋଳକୁ ଏକ ଅଗ୍ରଣୀ ଜିଲ୍ଲା କରିବା
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସରଧାପୁର, ବଡ଼ହିଂସର ଓ ବଡକେରଜାଙ୍ଗ ସମେତ ସମଗ୍ର ଅଞ୍ଚଳର ଜନସାଧାରଣ ସିଧାସଳଖ ଉପକୃତ ହେବେ । ଉନ୍ନତ ରାସ୍ତା ଓ ସେତୁ କେବଳ ଯୋଗାଯୋଗକୁ ସହଜ କରିବ ନାହିଁ, ବରଂ କୃଷି ଓ ବାଣିଜ୍ୟ କ୍ଷେତ୍ରକୁ ତ୍ୱରାନ୍ୱିତ କରି ଅଞ୍ଚଳର ଆର୍ଥିକ ପ୍ରଗତିକୁ ନୂତନ ଗତି ପ୍ରଦାନ କରିବ । କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ଥାନୀୟ ଅଞ୍ଚଳର ମୂଳ ସମସ୍ୟା ‘ପାନୀୟ ଓ ଚାଷ ଜଳ’ ଉପରେ ଗୁରୁତ୍ୱାରୋପ କରିଥିଲେ । ଡିଏମଏଫ୍ ପାଣ୍ଠିର ସଠିକ୍ ବିନିଯୋଗ କରି କିଭଳି ଭଲ ଫସଲ ହୋଇପାରିବ ଏବଂ ଅନୁଗୋଳକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ାଯାଇପାରିବ, ସେ ନେଇ ସେ ପ୍ରତିଶ୍ରୁତି ବଦ୍ଧତା ପ୍ରକାଶ କରିଥିଲେ । ମହାନଦୀ ଅବବାହିକାରେ ଥିବା ଆଠମଲ୍ଲିକ ଅଞ୍ଚଳକୁ ବିକାଶର ଶୀର୍ଷକୁ ନେବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

