RCB Victory Parade Stampede: ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା, ୧୧ ମୃତ

Reporterspen

RCB Victory Parade Stampede: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ପରେ ଏହାକୁ ଏକ ଉତ୍ସବରେ ପାଳନ କରାଯାଉଥିଲା । ବିଜୟ ଉତ୍ସବ ଓ ଶୋଭାଯାତ୍ରା ବେଳେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା । ବୁଧବାର (ଜୁନ୍ ୪, ୨୦୨୫) ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବିଜୟ ଶୋଭାଯାତ୍ରା ସମୟରେ ଦଳାଚକଟା ହୋଇଥିଲା, ଯେଉଁଥିରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୦ରୁ ଅଧିକ ଆହତ ହୋଇଥିଲେ । ଯାହାକୁ ନେଇ ଏବେ ସାରାଦେଶରେ ଚର୍ଚ୍ଚା ଆଲୋଚନା ଚାଲିଛି ।

ସୂଚନା ଅନୁଯାୟୀ, ନିଜ ପ୍ରିୟ କ୍ରିକେଟରଙ୍କୁ ଦେଖିବା ଲାଗି ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ ଲାଗି ରହିଥିଲା । ହଠାତ ଭିଡ ନିୟନ୍ତ୍ରଣ ବାହାରକୁ ଯାଇଥିଲା ଓ ଷ୍ଟାଡିୟମ ଭିତରେ ଏବଂ ବାହାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଅନେକ ଲୋକ ଚାପି ହୋଇଗଲେ ଏବଂ ଡଜନ ଡଜନ ଆହତ ହୋଇଥିଲେ । ଆହତଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ନ୍ୟୁଜ ଏଜେନ୍ସି ଅନୁଯାୟୀ, ଅନେକ ପ୍ରଶଂସକ ଚିନ୍ନାସ୍ୱାମୀ ଷ୍ଟାଡିୟମର କାନ୍ଥ ଏବଂ ବାଡ଼ ଉପରେ ଚଢ଼ି ଯାଇଥିଲେ । ପୋଲିସ ଲୋକଙ୍କୁ ସେଠାରୁ ଚାଲିଯିବା ଏବଂ ଏପରି କାର୍ଯ୍ୟକଳାପରେ ସାମିଲ ନ ହେବାକୁ ଅନୁରୋଧ କରିଥିଲା ।

ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା
ଘଟଣାସ୍ଥଳରେ ଜରୁରୀକାଳୀନ ସେବା ଉପସ୍ଥିତ ଅଛି ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି । ପୋଲିସ ପ୍ରଶାସନ ସଂପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣା ପଛରେ ଆୟୋଜକଙ୍କ ଅବହେଳା ଏବଂ ଭିଡ଼ ନିୟନ୍ତ୍ରଣରେ ତ୍ରୁଟି ଥିବା ସନ୍ଦେହ କରାଯାଉଛି ।

ଦୁର୍ଘଟଣା ଉପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ’ଣ କହିଛନ୍ତି?

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦୁର୍ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ମୁଁ ଏପର୍ଯ୍ୟନ୍ତ ମୃତ କିମ୍ବା ଆହତଙ୍କ ସଠିକ୍ ସଂଖ୍ୟା ନିଶ୍ଚିତ କରିପାରିବି ନାହିଁ, କିନ୍ତୁ ମୁଁ ଘଟଣାସ୍ଥଳକୁ ଯାଉଛି । ” ସେ ଆହୁରି କହିଛନ୍ତି, “ଆରସିବିର ବିଜୟର ଭାବପ୍ରବଣ ପ୍ରଶଂସକମାନେ ବହୁ ସଂଖ୍ୟାରେ ଷ୍ଟାଡିୟମରେ ପହଂଚିଥିଲେ ଏବଂ ଆମେ ପ୍ରାୟ ୫ ହଜାର ଅଧିକ କର୍ମଚାରୀଙ୍କ ବ୍ୟବସ୍ଥା କରିଥିଲୁ । ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଖୁବ୍ ଶୀଘ୍ର ବିସ୍ତୃତ ସୂଚନା ଦିଆଯିବ ।”

ବିସିସିଆଇର ବିବୃତ୍ତି, ଜାଣନ୍ତୁ କିଏ ଦାୟୀ

ଆଇପିଏଲ ୨୦୨୫ ଚାଂପିଅନ୍ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବିଜୟ ଶୋଭାଯାତ୍ରା ଏବଂ ମହାଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଥିଲା । ଦଳ ଆସିବା ପୂର୍ବରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା । ଏବେ ବିସିସିଆଇ ସଚିବ ଦେବଜିତ ସାଇକିଆ ଏହି ଦୁର୍ଭାଗ୍ୟଜନକ ଘଟଣା ଉପରେ ଏକ ବିବୃତ୍ତି ଜାରି କରିଛନ୍ତି । ସେ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଏବଂ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

ଏହି ଘଟଣା ଉପରେ କ୍ଷୋଭ ପ୍ରକାଶ କରି ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, “ଏହା ଦୁର୍ଭାଗ୍ୟଜନକ । ଏହା ଲୋକପ୍ରିୟତାର ଖରାପ ଦିଗ । ଲୋକମାନେ କ୍ରିକେଟରଙ୍କ ପ୍ରତି ପାଗଳ । ଆୟୋଜକମାନଙ୍କୁ ଭଲ ପ୍ରସ୍ତୁତି କରିବା ଉଚିତ ଥିଲା । ମୁଁ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ଆଶା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ।”

ଦେବଜିତ ସାଇକିଆ କହିଛନ୍ତି ଯେ ଯେତେବେଳେ ଏତେ ବଡ଼ ଆକାରର ଏକ ଘଟଣା ଆୟୋଜନ କରାଯାଉଛି, ସେତେବେଳେ ସଠିକ୍ ପ୍ରସ୍ତୁତି ଏବଂ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ । ବିସିସିଆଇ ସଚିବ କହିଛନ୍ତି ଯେ କୌଣସି ସ୍ଥାନରେ କିଛି ଶିଥିଳତା ଦିଆଯାଇଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି ।


Reporterspen
!-- afp header code starts here -->