ରେଳଧାରଣା କଡରେ ଫିଙ୍ଗି ପ୍ରମାଣ ନଷ୍ଟ ଉଦ୍ୟମ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ପାରିବାରିକ କଳହର ସମାଧାନ ପାଇଁ ଡାକି ଶଳା ନିଜ ଭିଣୋଇଙ୍କୁ ହତ୍ୟା କରିଛି । ଭୁବନେଶ୍ୱରର ସହିଦନଗର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ପଠାଣି ସାହୁ (୪୦) । ଏହି ଘଟଣାରେ ଅଭିଯୁକ୍ତ ସୁରେଶ ସିଂହଙ୍କୁ ପୁଲିସ ଗିରଫ କରିଛି ।
ଅଭିଯୋଗ ଅନୁଯାୟୀ, ସୁରେଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା । ଏହି କାରଣରୁ ଗତ ୧୫ ଦିନ ହେବ ତାଙ୍କ ପତ୍ନୀ ସୁନ୍ଦରପଦାସ୍ଥିତ ନିଜ ସାନ ଭଉଣୀଙ୍କ ଘରେ ରହୁଥିଲେ । ବିବାଦର ଆପୋସ ସମାଧାନ କରିବା ପାଇଁ ସୁରେଶ ନିଜ ଭିଣୋଇ ପଠାଣି ସାହୁଙ୍କୁ ସହିଦନଗର ତାରିଣୀ ବସ୍ତିସ୍ଥିତ ଘରକୁ ଡାକିଥିଲେ । ଘଟଣାର ପ୍ରାୟ ୪ ଦିନ ପୂର୍ବରୁ ସୁରେଶ ମୃତକଙ୍କୁ ନିଜ ଘରକୁ ଡାକିଥିଲେ । ଗତ ୬ ତାରିଖ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଉତ୍ତ୍ୟକ୍ତ ହୋଇ ସୁରେଶ ଏକ ସିମେଣ୍ଟ ଇଟାରେ ପଠାଣିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ପଠାଣିଙ୍କ ମୃତ୍ୟୁ ହୋଇଥିଲା ।
ହତ୍ୟା ପରେ ଏହାକୁ ଦୁର୍ଘଟଣାର ରୂପ ଦେବା ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମୃତଦେହକୁ ପ୍ରାୟ ୩୦ ମିଟର ଘୋଷାଡ଼ି ନେଇ ରେଳ ଧାରଣା ନିକଟରେ ଫିଙ୍ଗି ଦେଇଥିଲେ । ଏହା ଜଣାପଡିବା ପରେ ମୃତକଙ୍କ ପୁଅ ବିଟୁଲୁ ସାହୁ ହତ୍ୟାକାଣ୍ଡ ନେଇ ଶହିଦନଗର ଥାନାରେ ଏତଲା ଦେଇଥିଲେ । ଏହାକୁ ଆଧାର କରି ସହିଦନଗର ଥାନାରେ କେସ୍ ନଂ ୫୮୨, ତାରିଖ ୦୭.୧୧.୨୦୨୬, ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧)/୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଜୋନ୍-୫ ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି ‘ଭିଣୋଇ ଶଳାକୁ ହତ୍ୟା କରିଛି ବୋଲି ଆମକୁ ଖବର ମିଳିଥିଲା । ମୃତଦେହ ଟ୍ରେନ ଲାଇନ୍ ପାଖରେ ପଡିଥିଲା । ଯାହା ଜଣାପଡୁଛି ହତ୍ୟା ପରେ ମୃତଦେହକୁ ଟ୍ରେନ ଲାଇନରେ ପକାଇ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରାଯାଇଥିଲା । ତେବେ ଏହା ସଫଳ ହୋଇପାରିନାହିଁ । ସୁରେଶର ସ୍ତ୍ରୀ ପରକୀୟା ପ୍ରୀତି ସନ୍ଦେହ ପାଇଁ ଘର ଛାଡି ପଳାଇଥିଲା । ସେ ତା ଶାଳକକୁ ଡାକିଥିଲା । ଉଭୟ ମିଶି କାମଦାମ କରିଥିଲେ । ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେତିକିବେଳେ ରାଗରେ ଶଳାକୁ ଭିଣୋଇ ହତ୍ୟା କରିଛି । ରିପୋର୍ଟ ହେବା ପରେ ମାମଲା ରୁଜୁ ସହ ତଦନ୍ତ ଆଗେଇବ । ପଥରରେ ଶଳାକୁ ଅଭିଯୁକ୍ତ ହତ୍ୟା କରିଛି ଜଣାପଡିଛି’ ।

