ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆସନ୍ତା ୩ ବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ନିଯୁକ୍ତି ହେବେ ଏବଂ ତନ୍ମଧ୍ୟରୁ ୪୦ ହଜାର ନୂତନ ଶିକ୍ଷକ ପଦବୀ ସୃଷ୍ଟି ହେବ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ ଯାହା ଫଳରେ ପିଲାମାନଙ୍କୁ ବହି ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସ୍କିମାଟିକ୍ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଉଛି । BSE ଓ CHSEକୁ ମିଶାଇ ଗୋଟିଏ ବୋର୍ଡ କରାଯିବ ଅର୍ଥାତ୍ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶିଯିବ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ କରାଯିବ। NCERT ଢ଼ାଞ୍ଚାରେ SCERTକୁ ବିକଶିତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଟେଷ୍ଟ ବୁକ୍ ପ୍ରକାଶନ ଓ ମାର୍କେଟିଙ୍ଗ ସଂସ୍ଥାର ସୁଦୃଢ଼ୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଓସେପାର ନିର୍ଦ୍ଦେଶିକା ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।