Odisha Police: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ବଳଙ୍ଗା ପୀଡିତା, ବାଲିହରଚଣ୍ଡୀ ଗଣଦୁଷ୍କର୍ମ, ଏବଂ ପରୀ ହତ୍ୟାକାଣ୍ଡ ଘଟଣାକୁ କେବେ ଭୁଲି ହେବନି । ଘଟଣା ଯେତିକି ଭୟାନକ ସେତିକି ମଧ୍ୟ ଅମାନୁଷିକ । ଏହି ସବୁ ଘଟଣାରେ ପୁଲିସର ତଦନ୍ତ ଅପେକ୍ଷା ଫରେନ୍ସିକ୍ ରିପୋର୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତଦନ୍ତରେ ଅସୁବିଧା ବେଳେ ଫରେନ୍ସିକ୍ ରିପୋର୍ଟ ହିଁ ପୁଲିସକୁ ବାଟ କଢାଇଛି । ହେଲେ ଫରେନ୍ସିକ୍ ବିଭାଗକୁ ସବୁବେଳେ ଅଣଦେଖା କରାଯାଉଛି । ଫରେନ୍ସିକ୍ ରାଜ୍ୟ ପୁଲିସର ଏକ ଅଂଶ । ଏହାର ମୁଖ୍ୟାଳୟରେ ଜଣେ ବରିଷ୍ଠ ଆଇପିଏସ୍ ନିର୍ଦ୍ଦେଶକ ଅଛନ୍ତି । ତଥାପି ରାଜ୍ୟ ଫରେନ୍ସିକ ସାଇନ୍ସ ଲାବେରୋଟୋରି(ଏସ୍ଏଫ୍ଏସ୍ଏଲ୍) ଏବେ ଅବ୍ୟବସ୍ଥାରେ ଚାଲିଛି ।
ଆବଶ୍ୟକୀୟ ଅଧିକାରୀ ଏବଂ କର୍ମଚାରୀ ନଥିବାବେଳେ କ୍ୱାଲିଟି ନୁହେଁ ଏବଂ କ୍ୱାଂଟିଟିକୁ ଗୁରୁତ୍ୱ ଦିଆଯାଉଛି । ଖୋଲାଖୋଲି କହିବାକୁ ଗଲେ ଅପରାଧସ୍ଥଳରୁ ସଂଗ୍ରହ ହେଉଥିବା ତଥ୍ୟପ୍ରମାଣର ଠିକ୍ ଭାବେ ପରୀକ୍ଷା ବା ଯାଂଚ କରାଯାଉନଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଏସ୍ଏଫ୍ସିଏଲ୍ର କେତେକ ଅଧିକାରୀ ଓ କର୍ମଚାରୀ ନିଜ ନାମ ଗୋପନ ରଖି ଗଣମାଧ୍ୟମ ଆଗରେ ବଖାଣିଛନ୍ତି ।
ଅଭିଯୋଗ ଅନୁସାରେ, ଏସ୍ଏଫ୍ଏସ୍ଏଲରେ ନିର୍ଦ୍ଦେଶକଙ୍କୁ ମିଶାଇ ସମୁଦାୟ ୧୨୭ଜଣ ଅଧିକାରୀ ଓ କର୍ମଚାରୀଙ୍କ ପଦବୀ ରହିଛି । ସେଥିମଧ୍ୟରୁ ବର୍ତମାନ ୬୭ଟି ପଦବୀ ଖାଲି ରହିଛି । ସେହିପରି ୫୦ ପ୍ରତିଶତ ମହିଳା ବୈଜ୍ଞାନିକ କାମ କରୁଛନ୍ତି । ଏମିତିକି ସେମାନେ ସକାଳ ୧୦ରୁ ଆସି ରାତି ୮ଟା ପର୍ଯ୍ୟନ୍ତ କାମରେ ନିୟୋଜିତ ହେଉଛନ୍ତି । ଖାଲି ଏତିକି ନୁହେଁ, ସେମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ମଧ୍ୟ ଦିଆଯାଉଛି । ତାଙ୍କର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ।
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ମଧ୍ୟ ଏସ୍ଏଫ୍ସିଏଲ୍ କର୍ତୁପକ୍ଷ ଅବମାନନା କରୁଛନ୍ତି । ଗତ ମେ’ ମାସ ୧୭ ତାରିଖରେ ଏସ୍ଏଫ୍ଏସ୍ଏଲ ପକ୍ଷରୁ୍ ଜାରି ନିର୍ଦ୍ଦେଶାନାମା-୧୬୬ ଅନୁସାରେ ପୂର୍ବରୁ ସର୍ବାଧିକ ଦୈନିକ ୧୦ଟି ନମୁନା ଯାଂଚ କରିବାକୁ ଦିଆଯାଉଥିବା ବେଳେ ଏବେ ଏହାର ସଂଖ୍ୟା ୪୦ କରିଦିଆଯାଇଛି । ଯାହାଫଳରେ ବୈଜ୍ଞାନିକମାନେ ତରବରିଆ ଭାବେ ନମୁନା ଯାଂଚ କରୁଛନ୍ତି ।
ସେହିପରି ଏସ୍ଏଫ୍ସିଏଲ୍ରେ ଗୋଟିଏ ଯୁଗ୍ମ ନିର୍ଦ୍ଦେଶକ ପଦ ଥିବାବେଳେ ସେହି ପଦବୀକୁ ଜଣେ ୬୪ବର୍ଷୀୟା ଅବସରପ୍ରାପ୍ତ ଅଧିକାରୀ ମାଡି ବସିଛନ୍ତି । ଏମିତିକି ତାଙ୍କ କାର୍ଯ୍ୟକାଳ ବଢାଇବାକୁ ସେ ସବୁବେଳେ କସରତ କରୁଛନ୍ତି । ଏସ୍ଏଫ୍ସିଏଲ୍ରେ ଦକ୍ଷ ଅଧିକାରୀ ଥିବା ସତ୍ୱେ ତାଙ୍କୁ କାହିଁକି ଏତେ ମୁଣ୍ଡରେ ବସାଯାଉଛି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ଏହାସହ ଏସ୍ଏଫ୍ସିଏଲ୍କୁ ରସାୟନ ସାମଗ୍ରୀ, ଉଚ୍ଚମାନର ଯନ୍ତ୍ରପାତି ଯୋଗାଉଥିବା ଭେଣ୍ଡରମାନଙ୍କ ବିଲ୍ ମଧ୍ୟ ଠିକ୍ ସମୟରେ ପାସ୍ ହେଉନି । ଯାହାଫଳରେ ସେମାନେ ନିମ୍ନମାନର ଜିନିଷ ଯୋଗାଉଛନ୍ତି । ଏମିତିକି ରାଜ୍ୟ ବାହାରର ନାମୀଦାମୀ ଭେଣ୍ଡର ଓଡିଶା ଏସ୍ଏଫ୍ସିଏଲ୍କୁ ଉଚ୍ଚମାନର ଯନ୍ତ୍ରପାତି ଯୋଗାଇବା ମଧ୍ୟ ବନ୍ଦ କରିଦେଇଛନ୍ତି ।
ସେହିପରି ଠିକ୍ ସମୟରେ ବୈଜ୍ଞାନିକ ଏବଂ ଅନ୍ୟ କର୍ମଚାରୀଙ୍କୁ ପଦୋନ୍ନତି ହେଉନାହିଁ । ଏମିତିକି ଗ୍ରେଡ୍ ପ’କୁ ନେଇ ମଧ୍ୟ ଟଣାଓଟରା ଚାଲିଛି । ଯାହାଫଳରେ ବୈଜ୍ଞାନିକମାନେ କାମ ଠିକ୍ ଭାବେ କରୁନଥିବା ସହ ନିଜ ମନରେ ଥିବା ଦୁଃଖ ବଖାଣିଛନ୍ତି । ତେଣୁ ରାଜ୍ୟସରକାର ଏହି ସବୁ ଦିଗକୁ ଧ୍ୟାନ ଦେଇ ଏସ୍ଏଫ୍ସିଏଲ୍ରେ ବିକାଶ ଦିଗରେ ଚିନ୍ତା କରିବାର ଆବଶ୍ୟକ ରହିଛି ।