IPL 2026: ଆଇପିଏଲ୍ ୨୬: ଡିସେମ୍ବର ୧୬ରେ ମିନି ନିଲାମ

Reporterspen

IPL 2026 : ନୂଆଦିଲ୍ଲୀ : ଆଗାମୀ ଆଇପିଏଲ୍‌୧୯ ର ମିନି ନିଲାମ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ଖେଳାଳି ରିଟେନ ତାଲିକା ପ୍ରସ୍ତୁତ କରୁଛନ୍ତି । ଆଜି ଅପରାହ୍ନ ୩ଟା ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍ ଖେଳାଳି ରିଟେନ ତାଲିକା ଘୋଷଣା କରିବେ । ବାକି ଖେଳାଳି ଦଳରୁ ବାଦ ପଡିବେ ଓ ନିଲାମରେ ସାମିଲ ହେବେ । ୧୬ ତାରିଖ ଦିନ ଆବୁଧାବିରେ ମିନି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୦୨୪ରେ ଦୁବାଇ, ୨୦୨୫ରେ ଜେଦାହ ପରେ ଏଥର ଆବୁଧାବିରେ ନିଲାମ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ରିଟେନ ତାଲିକା ଚୂଡାନ୍ତ କରିବା ସହ ପ୍ରତ୍ୟେକ ଫ୍ରାଞ୍ଚାଇଜ ଖେଳାଳି ଅଦଳ ବଦଳ ପାଇଁ ମଧ୍ୟ ଜୋରଦାର ପ୍ରୟାସ କରୁଛନ୍ତି ।

୫ଥର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ୍ ଇତିହାସର ସବୁଠୁ ଚର୍ଚ୍ଚିତ ଖେଳାଳି ବଦଳ ହୋଇଛି । ରାଜସ୍ଥାନ ରୟାଲ୍ସ ଷ୍ଟାର୍ ଖେଳାଳି ତଥା ଅଧିନାୟକ ସଞ୍ଜୁ ସାମସନଙ୍କୁ ସୁପରକିଙ୍ଗ୍ସର ଦୁଇ ପ୍ରମୁଖ ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ସାମ କୁରାନଙ୍କ ସହ ଅଦଳ ବଦଳ କରିଛି । ରାଜସ୍ଥାନ ରୟାଲ୍ସରେ ଜାଡ?ଜା ଅଧିନାୟକ ନିଯୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଶସ୍ୱୀ ଜୈସ୍ୱାଲ୍ ଓ ଧ୍ରୁବ ଜୁରେଲ ମଧ୍ୟ ଅଧିନାୟକ ୌଡରେ ରହିଛନ୍ତି । ସାମସନଙ୍କ ଟ୍ରେଡ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଥିବା ବେଳେ ସମସ୍ତଙ୍କ ଆଗୋଚରରେ ୫ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ କିଛି ପ୍ରମୁଖ ଖେଳାଳିଙ୍କୁ କିଣିବାରେ ସଫଳ ହୋଇଛି । ଇତି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସ ଠାରୁ ସେରଫାନ ରଦରଫୋର୍ଡଙ୍କୁ ୨.୬୦କୋଟି ଓ ଲକ୍ଷ୍‌ନୌ ସୁପରଜାଏଣ୍ଟସ ଠାରୁ ସର୍‌ଦୁଲ ଠାକୁରଙ୍କୁ ୨କୋଟି ଟଙ୍କା ମୂଲ୍ୟରେ ଆଣିବାରେ ସଫଳ ହୋଇଛି ।

ଉଭୟଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ କୌଣସି ଖେଳାଳି ବଦଳ କରିନାହିଁ । ଠିକ୍ ସେହିପରି ସୁପରଜାଏଣ୍ଟ୍ସ ୩୦ଲକ୍ଷ ଟଙ୍କା ମୂଲ୍ୟରେ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଆଣିବାରେ ସଫଳ ହୋଇଛି । ସର୍‌ଦୁଲ ୨୦୧୦ରୁ ୨୦୧୨ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ସହକାରୀ ବୋଲର ଭାବେ ଚୁକ୍ତି କରିଥିଲେ । ଗତ ମେଗା ନିଲାମରେ ତାଙ୍କୁ କେହି କିଣି ନଥିଲେ । ସେ କାଉଣ୍ଟି କ୍ରିକେଟ୍ ଖେଳିବା ପାଇଁ ଲଣ୍ଡନ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ସୁପରଜାଏଣ୍ଟ୍ସ ତାଙ୍କୁ କିଣିଥିଲା । ସେ ଗତ ସିଜନରେ ୧୦ଟି ମ୍ୟାଚ୍ ଖେଳି ୧୩ଟି ୱିକେଟ୍ ନେଇଥିଲେ । ସେହିପରି ରଦରଫୋର୍ଡ ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ, ୨୦୨୨ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗତ ସିଜନରେ ଟାଇଟନ୍ସ ପକ୍ଷରୁ ଖେଳିଥିଲେ । ଆଗାମୀ ସିଜନରେ ଟାଇଟନ୍ସ ୱାସିଂଟନ ସୁନ୍ଦରଙ୍କୁ ୪ନଂ ସ୍ଥାନରେ ବ୍ୟାଟିଂ କରାଇବାକୁ ଯୋଜନା କରୁଛି । ତେଣୁ ରଦରଫୋର୍ଡ ଅନାବଶ୍ୟକ ହୋଇଯାଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ସଠିକ ସମୟ ଦେଖି ତାଙ୍କୁ କିଣି ନେଇଛି ।

ସେ ପୂର୍ବରୁ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୨୨ରେ କୋଲକାତା ନାଇଟ ରାଇଡର୍ସ ସଦସ୍ୟ ଥିଲେ ହେଁ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନଥିଲେ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଗତ ସିଜନ ଖେଳିଥିବା ପେସ୍ ବୋଲର ମହମ୍ମଦ ସାମିଙ୍କୁ ନେବା ପାଇଁ ମଧ୍ୟ କିଛି ଫ୍ରାଞ୍ଚାଇଜ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି । ବିଶେଷ କରି ସୁପରଜାଏଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ନେବା ପାଇଁ ସନରାଇଜର୍ସ ସହ ଆଲୋଚନା ଚଳାଇଛନ୍ତି ।


Reporterspen