baladevjew temple : ବଳଦେବଜୀଉ ମନ୍ଦିର ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ

Reporterspen

baladevjew temple : ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଭଳି ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉ ପରିକ୍ରମା ପ୍ରକଳ୍ପ ହେବ । ଶ୍ରୀବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ । ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ରାଜ୍ୟ ସରକାର ପ୍ରାୟ ୧୦୦କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ଆଜି ସମୀକ୍ଷା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଓ ଉନ୍ନତିକରଣ ନିମନ୍ତେ ଆର୍ଥିକ ବଜେଟ ଅଟକଳ ଓ ଡିପିଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଷ୍ଟ୍ରୀୟ ଭାଜପା ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବେ?ଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବଳଦେବଜୀଉଙ୍କ ପୀଠର ପରିକ୍ରମା ପ୍ରକଳ୍ପ, ସମ୍ପୂର୍ଣ୍ଣ ଉନ୍ନତିକରଣ, ମନ୍ଦିରର ଭଣ୍ଡାର ଗୃହ, ଭୋଗ ମଣ୍ଡପ ଓ ପୋଖରୀର ସୌନ୍ଦର୍ଯ୍ୟୀକରଣ ବିଷୟରେ ଆଲୋଚ଼ନା ହୋଇଛି ।

ବଳଦେବଜୀଉ ପ୍ରକଳ୍ପ ନେଇ ପୂର୍ବରୁ ୩ରୁ ୪ଥର ବୈଠକ ହୋଇସାରିଛି । ମନ୍ଦିରର ସେବକ, ଟ୍ରଷ୍ଟ ବୋର୍ଡ, ସ୍ଥାନୀୟ ଲୋକ ଏବଂ ଜନ ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନ ହୋଇଛି । କିନ୍ତୁ ଏହି ପ୍ରକଳ୍ପର ଅଗ୍ରଗତି ମନ୍ଥର ଗତିରେ ଚାଲିଛି, ଯାହା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି । ଏହି ବୈଠକରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସାଦ ନାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟର, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନାଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ ହେଉଛି ବଳଦେବଜୀଉ ମନ୍ଦିର । କେନ୍ଦ୍ରାପଡ଼ା ସହରର ୨ କିଲୋମିଟର ଦକ୍ଷିଣ ପଶ୍ଚିମକୁ ଇଚ୍‌ଛାପୁର ଗାଁର କେନ୍ଦ୍ରରେ ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ ।ଦୁଇଏକର ୬ ଡ଼?ସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ । ଏହି ମନ୍ଦିରର ପାଚେରୀ ୧୪ ଫୁଟ ଉଚ୍‌ଚ । ମନ୍ଦିରର ଅରୁଣସ୍ତମ୍ଭଟି ୪୦ ଫୁଟ ଉଚ୍ଚତା ବିଶୀଷ୍ଟ ।

ମୁଖ୍ୟ ମନ୍ଦିରର ଉଚ୍ଚତା ୭୫ ଫୁଟ ଓ ଓସାର ୪୦ ଫୁଟ । ପୁରାତନ ସପ୍ତପାବଚ୍‌ଛ ନିର୍ମାଣଶୈଳୀର ଆଧାରରେ ଏହା ବଉଳମାଳିଆ ପଥର ବ୍ୟବହାର କରି ତିଆରି କରାଯାଇଛି । ମନ୍ଦିରର ଚୂଡ଼ାରେ ରାମାନନ୍ଦୀ ଚିତା, ବ୍ରହ୍ମ ନୀଳଚକ୍ର ରହିଛି ଓ ଏହାର ଶୀର୍ଷରେ ନୀଳଚକ୍ର ବାନା ଉଡୁଛି । ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ (ଶ୍ରୀ ବଳଦେବ ଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା) ବିଜେ କରିଛନ୍ତି ।


Reporterspen