ନୂଆଦିଲ୍ଲୀରେ ଦୁଇ ଦିନିଆ ନିବେଶ ଆକର୍ଷଣ ଅଭିଯାନ : ‘ଓଡ଼ିଶା ଫୁଡ୍ ପ୍ରୋ-୨୦୨୬’ରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ମିଳିବ ଗୁରୁତ୍ୱ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଶିଳ୍ପାୟନକୁ ଆହୁରି ତ୍ୱରାନ୍ୱିତ କରିବା ସହ ରାଜ୍ୟକୁ ଅଧିକ ନିବେଶ ଆକର୍ଷଣ କରିବ ଓଡ଼ିଶା । ଏହି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତା ୭ ଓ ୮ ତାରିଖରେ ନୂଆଦିଲ୍ଲୀରେ ଦୁଇ ଦିନିଆ ନିବେଶ ପ୍ରୋତ୍ସାହନ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ହେବେ । ୨ ଦିନିଆ କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଶିଳ୍ପପତି, ଏମଏସଏମଇ, ଡାଉନଷ୍ଟ୍ରିମ ଉଦ୍‌ୟୋଗ ଓ ବିଭିନ୍ନ ବ୍ୟବସାୟିକ ସଂଗଠନ ସହ ଆଲୋଚନା ହେବ । ରାଜ୍ୟରେ ଚାଲିଥିବା ଓ ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା ସହ ନୂତନ ନିବେଶ ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

ନୂଆଦିଲ୍ଲୀ ନିବେଶ ଆକର୍ଷଣ ଅଭିଯାନର ପ୍ରମୁଖ ଆକର୍ଷଣ ରହିବ ‘ଓଡ଼ିଶା ଫୁଡ୍ ପ୍ରୋ-୨୦୨୬’ । ଅଗଷ୍ଟ ୭ରେ ନୂଆଦିଲ୍ଲୀରେ ଓଡ଼ିଶା ସରକାର ଓ ଆସୋଚାମ୍‌ର ମିଳିତ ଆନୁକୂଳ୍ୟରେ ଆୟୋଜିତ ହେବ । କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ, ନିବେଶକ, ଏମଏସଏମଇ, ଶିଳ୍ପ ସଂଗଠନ ଓ କ୍ଷେତ୍ର ବିଶେଷଜ୍ଞମାନେ ଯୋଗଦେବେ । ଓଡ଼ିଶାର କୃଷି ଓ ସାମୁଦ୍ରିକ ସମ୍ପଦ, ଖାଦ୍ୟ ପ୍ରକ୍ରିୟାକରଣ ଭିତ୍ତିଭୂମି, ଲଜିଷ୍ଟିକ୍ସ, ସରକାରୀ ନୀତି ଓ ନିବେଶ ସମ୍ଭାବନାକୁ ଏହି ମଞ୍ଚରେ ଉପସ୍ଥାପନ କରାଯିବ । କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଏକ ଜ୍ଞାନଭିତ୍ତିକ ରିପୋର୍ଟ ପ୍ରକାଶ ପାଇବା ସହ ଶିଳ୍ପପତିଙ୍କ ଅନୁଭୂତି ବିନିମୟ, ନିବେଶ ପ୍ରସ୍ତାବ ସ୍ୱାକ୍ଷର ହେବ । ସମ୍ଭାବ୍ୟ ନିବେଶକଙ୍କ ସହ ରାଜ୍ୟ ନେତୃତ୍ୱର ସିଧାସଳଖ ଆଲୋଚନା ହେବ । ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ, କୋଲ୍ଡ ଚେନ୍ ଓ ଭାଲ୍ୟୁ ଆଡେଡ୍ ଶିଳ୍ପରେ ନିବେଶ ଆକର୍ଷଣ ସହ ରାଜ୍ୟର କୃଷିଜାତ ଓ ସାମୁଦ୍ରିକ ଉତ୍ପାଦକୁ ଜାତୀୟ ଓ ବିଶ୍ୱ ବଜାର ସହ ଯୋଡ଼ିବା ଉପରେ ଜୋର ଦିଆଯିବ ।

ସେହିପରି ଷ୍ଟେନଲେସ ଷ୍ଟିଲ ଡାଉନଷ୍ଟ୍ରିମ ଶିଳ୍ପ, ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ନିବେଶ ସୁଯୋଗ ନେଇ ଶିଳ୍ପପତିଙ୍କ ସହ ଏକାନ୍ତ ଆଲୋଚନା ହେବ । ବଡ଼ ଶିଳ୍ପ ପ୍ରକଳ୍ପକୁ କେନ୍ଦ୍ର କରି ସ୍ଥାନୀୟ ସପ୍ଲାଏର ନେଟୱାର୍କକୁ ସୁଦୃଢ଼ ଓ ଘୋଷିତ ପ୍ରକଳ୍ପଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯିବ । ଦ୍ୱିତୀୟ ଦିନରେ ରାଜ୍ୟ ପ୍ରତିନିଧି ଦଳ ଗ୍ରେଟର ନୋଏଡାର ଏକ ଅତ୍ୟାଧୁନିକ ଉତ୍ପାଦନ କାରଖାନା ପରିଦର୍ଶନ କରିବେ । ଉନ୍ନତ ଉତ୍ପାଦନ ପ୍ରଣାଳୀ ସମ୍ପର୍କରେ ଅବଗତ ହେବେ । ଏହା ସହ ହ୍ୱାଇଟ୍ ଗୁଡ୍ସ ଓ କନ୍ସ୍ୟୁମର ଆପ୍ଲାଏନ୍ସ କ୍ଷେତ୍ରରେ ସହଯୋଗ ସମ୍ଭାବନା ଉପରେ ଆଲୋଚନା କରାଯିବ ।

ଗ୍ରେଟର ନୋଏଡାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ରାଉଣ୍ଡଟେବୁଲ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ପ୍ରଥମ ବୈଠକରେ ଆଲୁମିନିୟମ ଡାଉନଷ୍ଟ୍ରିମ ଶିଳ୍ପ, ଦ୍ୱିତୀୟରେ ବୟନ ଓ ପୋଷାକ ଶିଳ୍ପ ଓ ତୃତୀୟରେ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ଆସୋସିଏସନ ସହ ଇଞ୍ଜିନିୟରିଂ ନିର୍ମାଣ ଓ ଏମଏସଏମଇ କ୍ଷେତ୍ରର ଉଦ୍‌ୟୋଗୀମାନଙ୍କ ସହ ଆଲୋଚନା ହେବ । ଏଥିରେ ଶିଳ୍ପ ଉପକରଣ, ଫ୍ୟାବ୍ରିକେସନ୍‌, କ୍ୟାପିଟାଲ୍ ଗୁଡ୍ସ, ସ୍ୱଚ୍‌ଛ ଶକ୍ତି ଉପକରଣ ଓ ସ୍ଥାନୀୟ ଭେଣ୍ଡର ନେଟୱାର୍କ ବିକାଶ ଉପରେ ଆଲୋଚନା କରାଯିବ ।

ଏନେଇ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି,”ଓଡ଼ିଶାର ପରବର୍ତ୍ତୀ ଶିଳ୍ପ ବିକାଶର ମୂଳ ଲକ୍ଷ୍ୟ ହେଉଛି ଭାଲ୍ୟୁ ଆଡିସନ୍ ବୃଦ୍ଧି କରିବା । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର କୃଷି ଓ ସାମୁଦ୍ରିକ ସମ୍ପଦକୁ ବୃହତ ବଜାର ସହ ଯୋଡ଼ିବାର ବଡ଼ ସୁଯୋଗ ସୃଷ୍ଟି କରୁଛି । ଏହି ନିବେଶ ଅଭିଯାନ ମାଧ୍ୟମରେ ବିଶ୍ୱସନୀୟ ନିବେଶ ପ୍ରସ୍ତାବ ଆଣିବା, ପୂର୍ବରୁ ହୋଇଥିବା ପ୍ରତିଶ୍ରୁତିକୁ ତ୍ୱରାନ୍ୱିତ କରିବା ଓ ଆଲୋଚନାକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା ଲକ୍ଷ୍ୟ । ଦୁଇ ଦିନିଆ ନିବେଶ ଅଭିଯାନ ମାଧ୍ୟମରେ ନୂଆ ଶିଳ୍ପ ପ୍ରସ୍ତାବ ଆସିବା ସହ ବର୍ତ୍ତମାନର ନିବେଶ ପ୍ରକଳ୍ପଗୁଡ଼ିକ ମଧ୍ୟ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କ ଆଶା । ଏହା ଦ୍ୱାରା ଚାଷୀ, ମତ୍ସ୍ୟଜୀବୀ, କୃଷକ ଉତ୍ପାଦକ ସଂଗଠନ, ମହିଳା ଉଦ୍‌ୟୋଗୀ ଓ ଗ୍ରାମୀଣ ଉଦ୍‌ୟୋଗୀଙ୍କ ପାଇଁ ନୂଆ ବଜାର ସୃଷ୍ଟି ହେବ । ଏହା ସହ ରୋଜଗାର ଓ ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହେବ । ‘ସମୃଦ୍ଧ ଓଡ଼ିଶା\’ ଓ ‘ବିକଶିତ ଓଡ଼ିଶା-୨୦୩୬\’ ଲକ୍ଷ୍ୟ ପୂରଣ ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।”


Reporterspen